ଖୋର୍ଦ୍ଧା: ଗୁରୁବାର ଠାରୁ ଐତିହାସିକ ବରୁଣେଇ ପୀଠ ଠାରେ ଖୋର୍ଦ୍ଧାର ଅନ୍ୟତମ ସ୍ୱେଚ୍ଛାସେବୀ ଓ ସାଂସ୍କୃତିକ ଅନୁଷ୍ଠାନ ଦିଶାନ୍ତି ଓ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ୧୫ତମ ବରୁଣେଇ ରଜ ମହୋତ୍ସବ ଆରମ୍ଭ ହୋଇଯାଇଛି। ଗୁରୁବାର ରାତିରେ ରାଜ୍ୟ ବିଜ୍ଞାନ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଦ୍ୱାରା କାର୍ଯ୍ୟକ୍ରମର ଉଦ୍‌ଘାଟନ ହୋଇଥିଲା । ଆଜି ଦ୍ୱିତୀୟ ସଂଧ୍ୟାରେ ସ୍ଥାନୀୟ ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅତିଥି ଭାବେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେ୍ଦବ, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ପୂର୍ବତନ ଜିଲ୍ଲା ପରିଷଦ ସଭାପତି ତଥା ବିଜୁ ମହିଳା ଜନତା ଦଳ ରାଜ୍ୟ ବରିଷ୍ଠ ଉପସଭାପତି ବାସନ୍ତୀ ମହାପାତ୍ର, ଡ ଉମାକାନ୍ତ ପଟ୍ଟନାୟକ, ପ୍ରଣୟ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ ।

Advertisment

ଓଡ଼ିଆ କୃଷି ସଂସ୍କୃତିରେ ରଜ ପର୍ବର ମହତ୍ୱ, ଏହି ପର୍ବ ଦ୍ୱାରା ମାଟି ମା' ପ୍ରତି ଓଡ଼ିଆଙ୍କ ଅନାବିଳତା ଓ ସ୍ନେହ ଅଦ୍ୱିତୀୟ । ଏହି ପର୍ବ ପାଳନ କରିବା ପଛରେ ବସୁନ୍ଧରା, ମାତୃଶକ୍ତିକୁ ସମ୍ମାନ ଦେବାର ପରଂପରାର ପରିଚାୟକ ବୋଲି ଅତିଥିମାନେ ନିଜ ବକ୍ତବ୍ୟରେ କହିଥିଲେ । ସଭା କାର୍ଯ୍ୟ ପରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର କର୍ମକର୍ତାଙ୍କୁ ସମ୍ମାନିତ କରାଯାଇଥିଲା । ଦିଶାନ୍ତର ସମ୍ପାଦକ ଦିଲିପ କୁମାର ପରିଡ଼ା ସ୍ୱାଗତଭାଷଣ ଦେଇଥିବା ବେଳେ ଉପସଭାପତି ନିରଂଜନ ନାୟକ ଧନ୍ୟବାଦ ଦେଇଥିଲେ । ଗତକାଲି ମହୋତ୍ସବ ମନ୍ତ୍ରୀଙ୍କ ଆଗମନକୁ ଅପେକ୍ଷା କରି ଅନେକ ବିଳମ୍ବରେ ଆରମ୍ଭ ହୋଇଥିବା ବେଳେ ଆଜି ଏହି ତ୍ରୁଟିକୁ ସଜଡ଼ା ଯାଇଥିଲା । ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ମେଳାରେ ଖୋଲାଯାଇଥିବା ପ୍ରଦର୍ଶନୀ ମଣ୍ଡପଗୁଡ଼ିକରେ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।