ବରୁଣେଇ-କରୁଣେଇ ପୀଠରେ ରଜ ମେଳା: ଗ୍ରୀଷ୍ମ ପ୍ରବାହ ସତ୍ୱେ ବରୁଣେଇଙ୍କ ଚନ୍ଦନମାଖି ରୂପ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼

ଖୋର୍ଦ୍ଧା: ଐତିହାସିକ ଖୋର୍ଦ୍ଧାଗଡ଼ର ଆରାଧ୍ୟ ଦେବୀ ବରୁଣେଇ ଓ କରୁଣେଇ । ବରୁଣେଇ ପାହାଡ଼ର ପାଦଦେଶରେ ଥିବା ବୀର ପାଇକଙ୍କ ଆରାଧ୍ୟ ଦେବୀଙ୍କ ପୀଠରେ କାହିଁ କେତେ ଶହ ବର୍ଷରୁ ପ୍ରତିବର୍ଷ ଆଷାଢ଼ କୃଷ୍ଣପକ୍ଷ ସଂକ୍ରାନ୍ତିରେ ଦେବୀଙ୍କ ତନ୍ତ୍ରମତେ ପୂଜାର୍ଚ୍ଚନା ହୁଏ । ଏଥିପାଇଁ ପ୍ରତିବର୍ଷ ଆଖପାଖର ସହସ୍ରାଧିକ ଭକ୍ତଙ୍କ ଭିଡ଼ ଜମିଥାଏ । ପହିଲି ରଜ ଠାରୁ ତିନିଦିନ ଧରି ଦେବୀଙ୍କ ଚନ୍ଦନମାଖି ରୂପରେ ଦର୍ଶନ ଦେଇଥାନ୍ତି । ଆଜି ଏହି ମେଳାର ପ୍ରଥମ ଦିନରେ ଗ୍ରୀଷ୍ମପ୍ରବାହ ସତ୍ୱେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି ।
ବରୁଣେଇ-କରୁଣେଇ ପୀଠରେ ମକର ସଂକ୍ରାନ୍ତି ପରେ ସବୁଠାରୁ ବଡ଼ ପର୍ବ ରଜ ସଂକ୍ରାନ୍ତି ଅଟେ । ପ୍ରତିବର୍ଷ ଏହି ଦିନ ଆଖପାଖ ଅଂଚଳର ସହସ୍ରାଧିକ ଶ୍ରଦ୍ଧାଳୁ ଓ ଭକ୍ତ ବିଶେଷତଃ ପାଇକଘରର ଝିଅ ଓ ବହୂମାନେ ନିଜର ଆରାଧ୍ୟା ଦେବୀଙ୍କ ପାଇଁ ପୋଡ଼, ମଣ୍ଡା ଆଦି ଭୋଗ କରିବାକୁ ନେଇ ଆସିଥାନ୍ତି । ପରମ୍ପରା ଅନୁସାରେ, ବରୁଣେଇ-କରୁଣେଇ ପୀଠରେ ୪ ଦିନ ଧରି ସ୍ୱତନ୍ତ୍ର ବେଶ ସହ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥାଏ । ଆଜି ପହିଲି ରଜରେ ପୂଜକମାନେ ଠାକୁରାଣୀଙ୍କୁ ପୂଜାର୍ଚ୍ଚନା ପରେ ଚନ୍ଦନଲେପ ସହ ନୂତନବସ୍ତ୍ର ପରିଧାନ କରାଇଥିଲେ । ଏହି ଚନ୍ଦନ ମାଖି ବେଶରେ ତିନିଦିନ ଧରି ଠାକୁରାଣୀ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ଚନ୍ଦନମାଖି ବେଶର ତିନି ଦିନ ଓ ମହାଲକ୍ଷ୍ମୀ ବୁଡ଼, ମୋଟ ଚାରିଦିନ ଏଠାରେ ରଜ ମେଳା ଅନୁଷ୍ଠିତ ହୋଇଥାଏ ।
ଚତୁର୍ଥ ଦିନ, ବସୁମତି ବା ମହାଲକ୍ଷ୍ମୀ ସ୍ନାନ ଦିବସ ବରୁଣେଇ-କରୁଣେଇ ପୀଠରେ ମହାଲକ୍ଷ୍ମୀ ବୁଡ଼ ଭାବେ ପାଳନ କରାଯାଏ । ଏହି ଦିନ ଦେବୀଙ୍କୁ ସ୍ନାନ କରାଇବା ପରେ ପୁଣି ନୂତନବସ୍ତ୍ର ସହ ଭକ୍ତଙ୍କୁ ଆଶୀର୍ବାଦ ଦେଇଥାନ୍ତି । ଏହି ଦିନ ଦେବୀମାନଙ୍କ ପୂଜାର୍ଚ୍ଚନା ସକାଶେ କେବଳ ଖୋର୍ଦ୍ଧା ନୁହେଁ ନୟାଗଡ଼, ପୁରୀ ଜିଲ୍ଲାରୁ ମଧ୍ୟ ବହୁ ଭକ୍ତଙ୍କ ସମାଗମ ହୋଇଥାଏ । ଦେବୀମାନଙ୍କୁ ପଣସପତ୍ର ରେ ପ୍ରସ୍ତୁତ ପାତ୍ର (ଠୋଲା)ରେ କ୍ଷୀର ଓ ଅରୁଆ ଚାଉଳରେ ପ୍ରସ୍ତୁତ ସ୍ୱତନ୍ତ୍ର କ୍ଷୀରି, ନଡ଼ିଆ ପୂର ଦିଆ ଏଣ୍ଡୁରି ପିଠା ଭୋଗ ଦିଆଯାଇଥାଏ । ମନ୍ଦିର ପକ୍ଷରୁ ପ୍ରସ୍ତୁତ ଏହି ଭୋଗ ପାଇବା ପାଇଁ ଭକ୍ତଙ୍କ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଥାଏ ।

ସମ୍ବନ୍ଧିତ ଖବର