ସମ୍ବଲପୁର: ଓଡ଼ିଶାର ସାଂସ୍କୃତିକ ଗଣପର୍ବ ରଜର ପ୍ରଚାରପ୍ରସାର ଓ ପରମ୍ପରା ରକ୍ଷା ଉଦ୍ଦେଶ୍ୟରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ପାନ୍ଥନିବାସ ପରିସରେ ‘ରଜ ମହୋତ୍ସବ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବୁଧବାର ସନ୍ଧ୍ୟାରେ ଡିଏଫ୍‌ଓ (କେନ୍ଦୁପତ୍ର) ନିବେଦିତା ଦାଶ, ‘ସମ୍ବାଦ’ ଉପ ମହାପ୍ରବନ୍ଧକ ସୁବ୍ରତ ନାୟକ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ମଣ୍ଡଳ ଅଧିକାରୀ ଅଜିତ ମେହେର, ପର୍ଯ୍ୟଟନ ଅଧିକାରୀ ହେମନ୍ତ ପ୍ରଧାନ ଅତିଥି ଭାବେ ଯୋଗ ଦେଇ ମହୋତ୍ସବକୁ ଉଦ୍‌ଘାଟନ କରିଥିଲେ। ସାମାଜିକ ଓ ସାଂସ୍ମୃତିକ ଜୀବନରେ ପରିବର୍ତ୍ତିତ ପରିସ୍ଥିତିରେ ରଜ ଉତ୍ସବର ଯଥେଷ୍ଟ ପ୍ରାସଂଗିକତା ରହିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ନାରୀ ସୁରକ୍ଷା ତଥା ଉଜୁଡ଼ା ପରିବେଶକୁ ବଂଚାଇ ରଖିବାର ପ୍ରୟାସ ସ୍ବରୂପ ଏହି ଉତ୍ସବ ଅବସରରେ ପରସ୍ପର ମଧ୍ୟରେ ଶ୍ରଦ୍ଧାଭାବ ବଜାୟ ରଖିବା ସାଙ୍ଗକୁ ବୃକ୍ଷରୋପଣ କରିବାକୁ ଉତ୍ସବରେ ଗୁରୁତ୍ବାରୋପ କରାଯାଇଥିଲା। ଲଳିତ ଜେନା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Advertisment

ମହୋତ୍ସବରେ ଲୋକଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳିଥିଲା। ପିଠା ଖାଇବା ସହ ଲୋକେ ଦୋଳି ଖେଳିଥିଲେ। ପାନ୍ଥନିବାସ ଠାରେ ୩ଟି ଦୋଳି ଲଗାଯାଇଥିବା ବେଳେ ଗୋଟିଏ ସେଲ୍‌ଫି ପଏଣ୍ଟ କରାଯାଇଛି। ସେଲ୍‌ଫି ଉଠାଇବା ପାଇଁ ମଧ୍ୟ ଭିଡ଼ ଦେଖିବାକୁ ମିଳିଥିଲା। ସନ୍ଧ୍ୟାରେ ମହୋତ୍ସବ ଉଦ୍‌ଘାଟନ ହୋଇଥିଲେ ମଧ୍ୟ ପାଖାପାଖି ୫ ଶହ ଲୋକଙ୍କ ସମାଗମ ହୋଇଥିଲା। ଗୁରୁବାର ଓ ଶୁକ୍ରବାର ପାନ୍ଥନିବାସ ପରିସରରେ ସକାଳ ୮ରୁ ରାତି ୧୦ଟା ଯାଏ ଲୋକେ ଏହି ଦୋଳି ଓ ପିଠାର ମଜା ନେଇ ପାରିବେ।

ବୁଧବାର ଠାରୁ ‘ପିଠା ଅନ୍‌ ହ୍ବିଲ୍‌’ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ ହୋଇଛି। ପାନ୍ଥନିବାସର ଏକ ଗାଡ଼ି ସମ୍ବଲପୁର ସହର ସାରା ବୁଲି ଲୋକଙ୍କ ପାଖରେ ପାରମ୍ପରିକ ପିଠା ପହଞ୍ଚାଇ ଥିଲା। ପାନ୍ଥନିବାସ ପକ୍ଷରୁ ସକାଳ ୭ଟାରୁ ଦିନ ୧୧ଟା ଯାଏ ଗାଡ଼ିରେ ସହରର ମୁଖ୍ୟ ଛକଗୁଡ଼ିକରେ ପିଠା ବିକ୍ରି କରାଯାଇଥିଲା। ତା ସହିତ ପାନ୍ଥନିବାସ ଠାରେ ମଧ୍ୟ ପିଠା ବିକ୍ରି ହୋଇଥିଲା। ପାନ୍ଥନିବାସ ପ୍ରବନ୍ଧକ ସନ୍ତୋଷ ସମନ୍ତରାୟଙ୍କ ସୂଚନା ଅନୁଯାୟୀ ପିଠାର ଚାହିଦା ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ବହୁତ ଅଧିକ ରହିଛି। ପୋଡ଼ ପିଠାର ଚାହିଦା ସବୁଠୁ ଅଧିକ ଅଛି। ପୋଡ଼ପିଠା କିଲୋ ୩୫୦ ଟଙ୍କାରେ ବିକ୍ରି ହେଉଛି। ଏବର୍ଷ ପ୍ରଥମ ରଜ ଦିନ ୨୫ ହଜାର ଟଙ୍କାରୁ ଅଧିକ ପିଠା ବ୍ୟବସାୟ ହୋଇଛି ବୋଲି ସେ କହିଥିଲେ।

ସମ୍ବଲପୁର ପାନ୍ଥନିବାସରେ ଖୋଲାଯାଇଥିବା ଆଉଟ୍‌ଲେଟ୍‌ରେ ବୁଧବାର ପୋଡ଼ପିଠା, ମିଲେଟ ମଣ୍ଡାପିଠା, କାକରା ପିଠା, ଆରିସା, ଚକୁଳି ଗୁଗୁନି, ଦହିବରା, ଲବଙ୍ଗଲତା, ଗଜା, ଗୁଲାବଜାମୁନ ଆଜି ବିକ୍ରି କରାଯାଇଥିଲା। ଏହା ସହିତ ଏଠାରେ ଏକ ସ୍ବତନ୍ତ୍ର ପିଠା ବକ୍ସ ବିକ୍ରି କରାଯାଉଛି, ଯାହାର ମୂଲ୍ୟ ୧୫୦ ଟଙ୍କା ରହିଛି। ଶୁକ୍ରବାର ଯାଏ ଏହି ପିଠା ଅନ୍‌ ହ୍ବିଲ୍‌ ଓ ଆଉଟ୍‌ଲେଟ୍‌ ଜାରି ରହିବ।