ଜୟପୁର: ଆରମ୍ଭ ହୋଇଛି କୃଷି ଭିତ୍ତିକ ଓଡିଶାର ପାରମ୍ପରିକ ଗଣପର୍ବ ରଜ। ସହର ଠାରୁ ଆରମ୍ଭ କରି ଗାଁ ଗହଳିରେ ଏହି ଉତ୍ସବ ପାଳନ କରାଯାଉଛି। ସହରର କିଛି ଅନୁଷ୍ଠାନ, ସଂଗଠନ, ମନ୍ଦିର କମିଟି ଗୁଡିକ ପକ୍ଷରୁ ସ୍ବତନ୍ତ୍ର ଭାବେ ରଜ ଉତ୍ସବ ପାଳନ କରାଯାଉଛି। ଯଦିଓ ଗ୍ରାମାଂଚଳରେ ଉତ୍ସବର ମାହୋଲ କମ୍ ରହିଥିଲେ ହେଁ ବାରିଣୀପୁଟ, ଆମ୍ବାଗୁଡା, ପାମ୍ପୁଣୀ, ପୁଜାରୀପୁଟରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ତେବେ ପାରମ୍ପରିକ ଗୀତ ବନସ୍ତେ ଡାକିଲେ ଗଜ ସହରରେ କିମ୍ବା ଗ୍ରାମାଂଚଳରେ ଆଉ ଶୁଭିନଥିଲା। ସ୍ବସ୍ତିତପା ନାରୀ ସେବା ସଦନ ପକ୍ଷରୁ ପାରାବେଢ଼ାର ନିଳ ନିଲାବା ଆମ୍ବବଗିଚା ପରିସରରେ ‘ରଜମିଳନ-୨୦୨୩’ ପାଳନ କରାଯାଇଥିଲା। ଅନୁଷ୍ଠାନ ପକ୍ଷରୁ ଆମ୍ବ ବଗିଚା ମଧ୍ୟରେ ୨ଟି ରଜ ଦୋଳି ଲଗାଯାଇଥିଲା। ଏଥିରେ ଛୋଟଝିଅ ଠାରୁ ଆରମ୍ଭ କରି ବୃଦ୍ଧାଙ୍କ ପର୍ଯ୍ୟନ୍ତ ବିଭିନ୍ନ ବୟସ ବର୍ଗର ମହିଳା ମାନେ ଝୁଲୁଥିବା ଦେଖିବାକୁ ମିଳିଥିଲା। ଏହି ଅବସରରେ ଝିଅ ମାନଙ୍କ ମଧ୍ୟରେ ରଜସଜ(ରଜକୁଇନ୍), ପୁଚି, ମ୍ୟୁଜିକାଲ ଚେୟାର, ଝୋଟି, ଏବଂ ମହିଳାଙ୍କ ମଧ୍ୟରେ ରଜ ପିଠା ଓ ପଣା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏଥିରେ ଅତିଥି ଭାବେ ଇଂ. ସାଗରିକା ମିଶ୍ର ଯୋଗ ଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ଏହାକୁ ନଳିନୀ ପ୍ରଭା ନାୟକ, କରବିଲତା ବାରିକ, ଶୁଭସ୍ମିତା ସାହୁ, ଲକ୍ଷ୍ମୀପ୍ରିୟା ସେନାପତି, ମାମିନା ପରିଜା, ଶର୍ମିଷ୍ଟା ଦଳାଇ, ଉର୍ମିଳା ସାବତ, ଜ୍ୟୋତ୍ସ୍ନାରାଣୀ ଦତ୍ତ, ପୁଷ୍ପଲତା ପଣ୍ଡା, ସଂଧ୍ୟାରାଣୀ ମହାରାଣା, ରାଧାରାଣୀ ମହାରାଣା, ଲଲିତା ନାୟକ, ଅହଲ୍ୟା ହାତୀ, ଗୀତା ସାମନ୍ତରାୟ, ଗୀତା ସାହୁ, ପ୍ରଭାତି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ସେଭଳି ବସୁମତି ସାହିତ୍ୟ ସଂସଦ ପକ୍ଷରୁ ଦୁଇ ଦିନିଆ କାର୍ଯ୍ୟକ୍ରମ ମଧ୍ୟରୁ ଆଜି ପ୍ରଥମ ଦିନରେ ରଜମଉଜ ଉତ୍ସବ ଜ୍ୟୋତି କଲ୍ୟାଣମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଅଧିବେସନରେ ଅବିଭକ୍ତ କୋରାପୁଟଜିଲାର କବି, ଲେଖକ, ଗାଳ୍ପିକ ମାନଙ୍କ ଦ୍ବାରା କବିତାପାଠୋତ୍ସବ ଓସାହିତ୍ୟ ଆସର ଅନୁଷ୍ଠିତ ହୋଇଥିଲା। ପରିବେଶ ସୁରକ୍ଷା ପାଇଁ ସାହିତ୍ୟିକ ମାନଙ୍କ ଭୂମିକାକୁ ନେଇ ଆୟୋଜିତ ସାହିତ୍ୟ ଆସରକୁ ଆଇନଜୀବୀ ମଦନମୋହନ ନାୟକ ସଭାପତିତ୍ବ କରିଥିଲେ। ଏଥିରେ ମୁଖ୍ୟଅତିଥି ଭାବେ ଶିକ୍ଷାବିତ୍ ମହାଦେବ ଶତପଥୀ, ମୁଖ୍ୟବକ୍ତା ଭାବେ ଆଇନଜୀବୀ ହରିହର କରସୁଧା ପଟ୍ଟନାୟକ, ସମ୍ମାନୀତ ଅତିଥି ଭାବେ ଜଗନ୍ନାଥ ସଂସ୍କୃତି ପ୍ରଚାରକ ଭବାନୀ ଆଚାର୍ଯ୍ୟ ଯୋଗ ଦେଇଥିଲେ। କବି ଯଞେଶ୍ବର ପଣ୍ଡା ଅତିଥିପରିଚୟ , ଘାସିରାମ ମହାପାତ୍ର ପ୍ରାରମ୍ଭିକ ସଂଗୀତ ଓ କବି ମୁଦିରଥ ହୋତା ଧନ୍ୟବାଦ ଦେଇଥିଲେ। କବିତା କବିତାପାଠୋତ୍ସବକୁ ନିହାରରଂଜନ ରାଉତରାୟ ସଭାପତିତ୍ବ କରିଥିଲେ।
ସମ୍ମାନୀତ ଅତିଥି ଭାବେ କୃଷ୍ଣ ଚନ୍ଦ୍ର ହୋତା, ଏବଂ ସଂଯୋଜିକା ଭାବେ ପ୍ରଭାସିନୀ ମହାନ୍ତି ଓ ଶୋଭାଗିନୀ ନନ୍ଦ ସଂଯୋଜନା ଓ ଶେଷରେ କବିୟତ୍ରୀ ଭାବଚନ୍ଦ୍ରିକା ଦେବୀ ଧନ୍ୟବାଦ ଦେଇଥିଲେ। ଝୋଟି, ଚିତା ସହ ବିଭିନ୍ନ ଖେଳକୁଦ ଓ ପୀଠା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ସଂଧ୍ୟାରେ ଓଡିଆ ଘରେରଜ ଉତ୍ସବର ଗୁରୁତ୍ବକୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା। ଏହା ପରେ ଜୟପୁର କଳାକେନ୍ଦ୍ର, ମୀରାଡ୍ୟାନ୍ସ ଗୃପ ଓ ପ୍ରେରଣା ଡ୍ୟାନ୍ସ ଗୃପ ପକ୍ଷରୁ ନୃତ୍ୟ ପରିବେଷଣ କରାଯାଇଥିଲା। ସାହିତ୍ୟିକ ଡଃ. ସୁରେଶ ଦାଶ ସଭାପତିତ୍ବ କରିଥିବା ବେଳେ ମୁଖ୍ୟଅତିଥି ଭାବେ ମାଲକାନଗିରୀ ଅତିରିକ୍ତ ଜିଲ୍ଲାପାଳ ମହେଶ ଚନ୍ଦ୍ର ନାୟକ, ମୁଖ୍ୟବକ୍ତା ଭାବେ ପଟ୍ଟାମୁଣ୍ଡାଇ ଦାଣ୍ଡିସାହି ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ନିର୍ମଳ ବିଶ୍ବାଳ, ସମ୍ମାନୀତ ଅତିଥି ଭାବେ ଉପଜିଲ୍ଲାପାଳ ବେଦବର ପ୍ରଧାନ ଯୋଗ ଦେଇଥିଲେ। ସଂପାଦକ ଚନ୍ଦ୍ରମଣି ବାରିକ, ସହସଂପାକ ଲୋକ ନାଥ ମହାନ୍ତି, ଯଜ୍ଞେଶ୍ବର ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ। ସେଭଳି ଲେକ୍ ପ୍ଲେସିଡରେ ରଂଗମାଟି ଅନୁଷ୍ଠାନ ପକ୍ଷରୁ ରଜ ମଉଜ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେଭଳି ଲିଙ୍ଗରାଜନଗର ରୁଦ୍ରବୀର ହନୁମାନ ମନ୍ଦିରରେ ରଜ ଅବସରରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁସିତାଂଶୁ ଶେଖର ରାଉତ ଏବଂ ସାଥୀଙ୍କ ଦ୍ବାରା ଭଜନସମାରୋହ ଅନୁଷ୍ଠିତ ହୋଇଥିଲା।
ମିଠା ପାନ ଗୋଟା ୨୦ରୁ ୩୦ଟଙ୍କା- ରଜମଉଜକୁ ଦୃଷ୍ଟିରେ ରଖି ଆଜି ମିଠା ପାନ ବିକ୍ରି ପାଇଁ ବିଭିନ୍ନ ପାନ ଦୋକାନ ପକ୍ଷରୁ ସ୍ବତନ୍ତ୍ର କାଉଣ୍ଟର କରାଯାଇଥିବା ଦେଖିବାକୁ ମିଳିଥିଲା। ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଓ ପସନ୍ଦକୁ ଦୃଷ୍ଟିରେ ରଖି ମିଠା ପାନ କପ ଓ ରଙ୍ଗୀନ ଜରିରେ ପ୍ୟାକିଂ କରି ବିକ୍ର କରୁଥିବା ଦେଖିବାକୁ ମିଳିଥିଲା। ଅଧିକାଂଶ ଦୋକାନରେ ଆଜି ପାନ ଗୋଟାକୁ ୨୦ଟଙ୍କା ରହିଥିଲେ ହେଁ ସ୍ବତନ୍ତ୍ର ପାନ ୩୦ଟଙ୍କା ପର୍ଯ୍ୟନ୍ତ ବିକ୍ରି ହୋଇଛି।