ପ୍ରାକୃତିକ ସୌନ୍ଦର୍ଯ୍ୟରେ ଖୁନ୍ଦି ହୋଇଛି ରାଜାଗାଡ଼ା ଜଳପ୍ରପାତ

ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ପଂଚାୟତର କୁରୁମିଙ୍ଗିଆ ଗ୍ରାମ ନିକଟରେ ରହିଛି ଜଳପ୍ରପାତ

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲାରେ ସମସ୍ତ ପ୍ରାକୃତିକ ସୌନ୍ଦର୍ଯ୍ୟ ଖୁନ୍ଦି ହୋଇଛି। ସେଥି ମଧ୍ୟରୁ ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ପଂଚାୟତର କୁରୁମିଙ୍ଗିଆ ଗ୍ରାମ ନିକଟରେ ଥିବା ଏକ ବିଶାଳ ଜଳପ୍ରପାତକୁ ଗ୍ରାମର ଯୁବକମାନେ ଖୋଜି ବାହାର କରିଛନ୍ତି। ଘଞ୍ଚ ଜଙ୍ଗଲ ପାହାଡ଼ ପର୍ବତ ଘେରା ଏଭଳି ଏକ ସ୍ଥାନ ଯେଉଠିକୁ ଜଣେ ଥରେ ଗଲେ ବାରମ୍ବାର ଯିବାକୁ ମନ ହେବ। ଲୁକ୍କାୟିତ ଅବସ୍ଥାରେ ଥିବା ଏଭଳି ଏକ ଜଳପ୍ରପାତ ବିଷୟରେ ସ୍ଥାନୀୟ ଯୁବକମାନେ ପ୍ରକାଶ କରିବା ପରେ ବର୍ତ୍ତମାନ ସେଇ ଥାନାରେ ପର୍ଯ୍ୟଟକଙ୍କର ଭିଡ଼ ଜମିବାରେ ଲାଗିଛି।

ଦୀର୍ଘ ସମୟ ସେଇ ସ୍ଥାନରେ ରହି ଜଳପ୍ରପାତରେ ଗାଧୋଇବାର ମଜ୍ଜା ଉଠେଇବା ସହ ଭୋଜି ଭାତ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ସହ ଫୋଟ ଉଠାଇ ସେଲଫି ନେଇ ବେଶ ଉପଭୋଗ କରୁଛନ୍ତି। ପ୍ରକୃତରେ ରାଜାଗାଡ଼ା ଜଳପ୍ରପାତରେ ପ୍ରକୃତି ରାଣୀ ନିଜ ପ୍ରାକୃତିକ ସୌନ୍ଦର୍ଯ୍ୟରେ ସାଧାରଣ ପର୍ଯ୍ୟଟକଙ୍କୁ ବିମୋହିତ କରିଛି। ବିରାଟ ଜଳପ୍ରପାତ ସାଙ୍ଗକୁ ସୁଉଚ୍ଚ ପାହାଡ଼ ପର୍ବତ ଘଞ୍ଚଜଙ୍ଗଲ ସୂର୍ଯ୍ୟ ଉଦୟ ସାଙ୍ଗକୁ ସୂର୍ଯ୍ୟ ଅସ୍ତର ଦୃଶ୍ୟ ବେଶ ମନୋରମ।

ଏଭଳି ଏକ ଲୁକ୍କାୟିତ ପର୍ଯ୍ୟଟନ ସ୍ଥଳୀର ଉନ୍ନତି ପାଇଁ ସ୍ଥାନୀୟ ପ୍ରଶାସନ ଆଗ୍ରହ ପ୍ରକାଶ କରିବାର ଆବଶ୍ୟକତା ରହିଛି। ଏହି ସ୍ଥାନଟିର ଉନ୍ନତିକରଣ ସହ ଜଳପ୍ରପାତ ନିକଟ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଗଲେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ। ସ୍ଥାନୀୟ ଅଞ୍ଚଳର ଉନ୍ନତି ନିମନ୍ତେ ରାଜ୍ୟ ପର୍ଯ୍ୟଟନ ବିଭାଗକୁ ଚୂଡାନ୍ତ ପ୍ରକଳ୍ପ ପ୍ରସ୍ତୁତ କରି ପଠେଇବା ସହ ସମ୍ପୂର୍ଣ୍ଣ ଜଳପ୍ରପାତ ଅଂଚଳର ଉନ୍ନତି ପାଇଁ ଜିଲ୍ଲା ପ୍ରଶାସନ ଉଦ୍ୟମ କରିବାକୁ ସାଧାରଣରେ ଦାବି ହୋଇଛି।

କେମିତି ଯିବେ ରାଜାଗାଡ଼ା ଜଳପ୍ରପାତ

ସ୍ଥାନୀୟ ରାଜାଗାଡ଼ା ଜଳପ୍ରପାତକୁ ଯିବାକୁ ହେଲେ କଳିଙ୍ଗା ଘୁ.ଉଦୟଗିରି ମୁଖ୍ୟ ରାସ୍ତା କଡରେ ରାଇପଦା ଛକ ପଡେ। ସେ ଛକରୁ କୁରୁମିଙ୍ଗିଆ ଗାଁକୁ ରାସ୍ତା ମାତ୍ର ଏକ କିମି ପରେ ସେଠାରୁ ତିନି କିମି ଜଙ୍ଗଲ ରାସ୍ତାରେ ଗଲେ ଏହି ଜଳପ୍ରପାତରେ ପହଂଚି ହେବ। ଘୁ.ଉଦୟଗିରି ସହରରୁ ୮କିମି ଦୂରତା ହେଉଥିବା ବେଳେ କଳିଙ୍ଗାରୁ ୫କିମି ଦୂର। ବର୍ତମାନ ସମୟରେ ଜଳପ୍ରପାତ ନିକଟକୁ ଯିବା ନିମନ୍ତେ ପକ୍କା ରାସ୍ତା ନାହିଁ। ଏଣୁ ଗ୍ରାମ୍ୟଉନୟନ ବିଭାଗ ରାସ୍ତା ଠାରୁ ଭିତରକୁ ଚାଲି ଯିବାକୁ ପଡେ। ବର୍ତ୍ତମାନ ଏହି ଜଳପ୍ରପାତ ବିଷୟରେ ସୋସିଆଲ ମିଡିଆରେ ବହୁଳ ଭାବେ ପ୍ରଚାର ହେଉଛି। ପ୍ରତ୍ୟକ ଦିନ ପର୍ଯ୍ୟଟକମାନେ ଆକୃଷ୍ଟ ହୋଇ ଜଳପ୍ରପାତ ନିଜଟାକୁ ଯାଉଛନ୍ତି। ଏହି ଜଳପ୍ରପାତର ଉନ୍ନତି କରାଗଲେ ପର୍ଯ୍ୟଟକଙ୍କ ସୁଅ ଛୁଟିବା ସହ ସ୍ଥାନୀୟ ଯୁବକମାନେ ରୋଜଗାର ମଧ୍ୟ କରିପାରିବେ।

ସମ୍ବନ୍ଧିତ ଖବର