କୋଭିଡ୍‌ କଟକଣାର ସଦୁପଯୋଗ; ଫସଲରେ ହସୁଛି ରାଜେନ୍ଦ୍ରଙ୍କ ବଗିଚା

ଆଳି: କରୋନା ପ୍ରଥମ ଲହରଠୁ ଦ୍ବିତୀୟ ଲହର। ବର୍ଷେ ହେଲା ଜାରି ରହିଛି ଲକ୍‌ଡାଉନ, ସଟଡାଉନ। କଟକଣା ପରେ କଟକଣା। ଏଇ ସମୟ ଭିତରେ କିଏ ଜୀବିକା ହରାଇଛି ତ’ କିଏ କାମ ନ ପାଇ ହାତବାନ୍ଧି ବସି ରହିଛନ୍ତି। ହେଲେ, ଏମିତି ପରିସ୍ଥିତିର ସଦୁପଯୋଗ କରି ଅନ୍ୟଙ୍କ ପାଇଁ କିନ୍ତୁ ଉଦାହରଣ ସାଜିଛନ୍ତି ରାଜେନ୍ଦ୍ର ପ୍ରସାଦ ବେହେରା। ବାଳକାଟି ପଞ୍ଚାୟତ ହାଇସ୍କୁଲ କିରାଣି ଭାବେ କାର୍ଯ୍ୟରତ ରାଜେନ୍ଦ୍ର ସମାଜସେବା ଓ ଗଠନମୂଳକ କାମରେ ରୁଚି ରଖି ଆସିଛନ୍ତି। କରୋନା ପ୍ରଥମ ଲହର ଆରମ୍ଭରୁ ଗରିବ ଲୋକଙ୍କୁ ନିଜସ୍ୱ ଉଦ୍ୟମରେ ମାସ୍କ ବଣ୍ଟନ କରି ପ୍ରଶଂସିତ ହୋଇଥିଲେ ସେ। ପରବର୍ତ୍ତୀ ସମୟରେ କୋଭିଡ କଟକଣାର ସମୟକୁ ନୂଆ କିଛି କାମରେ ଲଗାଇବାକୁ ନିଷ୍ପତ୍ତି ନେଇଥିଲେ। ପୂର୍ବରୁ ଅଳ୍ପ କିଛି ପରିବା ଚାଷ କରୁଥିବା ନିଜ ବାଡି ପଛପଟ ଏକ ଏକର ଜମିକୁ ପରିବା ଓ ଫଳଚାଷ ପାଇଁ ପ୍ରସ୍ତୁତ କରିଥିଲେ। ଉନ୍ନତ କିସମର ପରିବା ମଞ୍ଜି, ଫଳ ଚାରା ସହିତ କମ୍ ଖର୍ଚ୍ଚରେ ପମ୍ପସେଟ, କଳ ଲଙ୍ଗଳ ଓ ଅନ୍ୟାନ୍ୟ କୃଷି ଯନ୍ତ୍ରପାତି ସଂଗ୍ରହ କରି ଚାଷରେ ଲାଗି ପଡିଥିଲେ। କୋଭିଡ କଟକଣା ମଧ୍ୟରେ ସ୍କୁଲ ସମୟ ବାଦ୍‌ ବଳକା ସମୟକୁ ଉପଯୋଗ କରି ରାଜେନ୍ଦ୍ର ନିଜସ୍ୱ ପରିଶ୍ରମରେ କରିଛନ୍ତି ପରିବା ଉଦ୍ୟାନ।

ଏଥିରେ ଏବେ ଭରିଯାଇଛି ଜହ୍ନି, କଲରା, ଭେଣ୍ଡି, ଝୁଡଙ୍ଗ, ଶିମ୍ବ, ବିନ୍ସ, କାକୁଡି, ଝୁଡଙ୍ଗ, କାକୁଡି, କଲରା ଭଳି ପନିପରିବା। କଲମୀ ଗଛରେ ପିଜୁଳି, ସପେତା, କାଗିଜି ଝୁଲୁଛି। ଏଥିସହ ବାଡ଼ି ସଂଲଗ୍ନ ପୋଖରୀରେ ମାଛ ଚାଷ ବି କରିଛନ୍ତି। ରାଜେନ୍ଦ୍ର ସେଠାରେ ଛୋଟିଆ ଘରଟେ ବି କରିଛନ୍ତି। ଘର ପାଖରେ ନିଜ ପରିକଳ୍ପନାରେ ଝରଣା, ଭଳିକି ଭଳି ଫୁଲ ଗଛ ଲଗାଇଛନ୍ତି। ପରିବା ଚାଷରୁ ନିଜ ପରିବାର ଗୁଜୁରାଣ ମେଣ୍ଟିବା ସହିତ ବେଶ୍ ଦୁଇପଇସା ରୋଜଗାର ବି ହୋଇପାରୁଛି। କୋଭିଡ କଟକଣାର ଆତଙ୍କ ସମୟରେ ଚାଷ ଜମିରେ ସମୟ କାଟି ଭରପୂର ଆନନ୍ଦ ପାଉଛି ବୋଲି କହିଛନ୍ତି ରାଜେନ୍ଦ୍ର।

ସମ୍ବନ୍ଧିତ ଖବର