ବାଲେଶ୍ବର: କନ୍‌ହେଇଲାଲ ଦାସ ଗଳ୍ପ ସାହିତ୍ୟର ଏକ ମର୍ମସ୍ପର୍ଶୀ ଓ ମର୍ମଭେଦୀ ବଂଶୀସ୍ବର। ସେ ନଦୀ ଥିଲେ, ନକ୍‌ସା ନଥିଲେ। ତାଙ୍କ ଭିତରେ ସ୍ୱାଧୀନତାକୁ ଉପଭୋଗ କରିବାର ସାହସ ଥିଲା। ଦାରିଦ୍ର୍ୟ ନିଆଁରେ ଜଳି ଜଳି ସେ ସୃଷ୍ଟି ଆମ ସମସ୍ତଙ୍କ ପାଇଁ କରିଯାଇଛନ୍ତି କାଳଜୟୀ। ଆମ ସମସ୍ତଙ୍କ ଭିତରେ ଜଣେ ଜଣେ କନ୍‌ହେଇ ଥାଏ। କିନ୍ତୁ ଆମେ କେତେଜଣ ତାଙ୍କୁ ଭୋଗୁ? ଗୋଟିଏ ଲେଖକକୁ ଭୋଗ କରିବା ଆମ ପାଇଁ ବଡ଼କଥା। କନ୍‌ହେଇକୁ ନେଇ ବଞ୍ଚବା ହିଁ କନ୍‌ହେଇଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ଆଜି ସନ୍ଧ୍ୟାରେ ସ୍ଥାନୀୟ ଷ୍ଟେସନ୍‌ କ୍ଲବ୍‌ରେ କନ୍‌ହେଇଲାଲ ଦାସଙ୍କ ୭୬ତମ ସ୍ମୃତି ସମାରୋହରେ ଅତିଥିମାନେ ଯୋଗଦେଇ ବକ୍ତବ୍ୟ ରଖିଥିଲେ। କନ୍‌ହେଇଲାଲ୍‌ ଦାସ ସ୍ମୃତି ସଂସଦ ଓ ଓଡ଼ିଶା ସାହିତ୍ୟ ଏକାଡେମି ମିଳିତ ସହଯୋଗରେ ଅନୁଷ୍ଠିତ ସ୍ମୃତି ସମାରୋହରେ ମୁଖ୍ୟଅତିଥି ଭାବେ କଥାଶିଳ୍ପୀ ପ୍ରକାଶ ମହାପାତ୍ର ଯୋଗଦେଇଥିଲେ। ବଂଶୀବାଦନ ପରେ ସଭା ଆରମ୍ଭ ହୋଇଥିଲା। ସଂସଦର ସଭାପତି ସୁବାସ ଚନ୍ଦ୍ର ପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସମାରୋହକୁ ଅତିଥିମାନେ ଉଦ୍‌ଘାଟନ କରିଥିଲେ। ଶ୍ରୀ ମହାପାତ୍ର କନ୍‌ହେଇଲାଲଙ୍କୁ ଏକ ନଥିବା ପୃଥିବୀର ମଣିଷ ବୋଲି କହିଥିଲେ।

Advertisment

ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ତଥା ଗଙ୍ଗାଧର ମେହେରଙ୍କ ପଣନାତି ଡ. ମଣୀନ୍ଦ୍ର କୁମାର ମେହେର ଯୋଗଦେଇ ଯେଉଁ ଶିଳ୍ପୀ ଗର୍ଭଧାରଣର ଯନ୍ତ୍ରଣା, ଆନନ୍ଦ, ବେଦନା ଭୋଗିନାହିଁ, ସେ କେବେ ଲେଖକ ହୋଇପାରିବ ନାହିଁ। ଲେଖକକୁ ଗର୍ଭଧାରଣ କରିବାକୁ ପଡ଼ିବ ବୋଲି କହିଥିଲେ। ପ୍ରକାଶ ମହାପାତ୍ରଙ୍କ ବଂଶୀ ବାଦନ କ‌ନ୍‌ହେଇ ଦାସଙ୍କ ପ୍ରତି ଯଥେଷ୍ଟ ଶ୍ରଦ୍ଧାଞ୍ଜଳି। ସାହିତ୍ୟ ସଭା ସବୁ ବଂଶୀ ବାଦନରେ ଆରମ୍ଭ ହେଉ ଏବଂ ଶେଷ ହେଉ ବୋଲି ଡ. ମେହେର ଅନୁରୋଧ କରିଥିଲେ। ସମ୍ମାନିତ ବକ୍ତା ଭାବରେ କବି ଓ ଗାଳ୍ପିକ ସରୋଜ ବଳ ଯୋଗଦେଇ କହିଥିଲେ, ସ୍ୱାଧୀନତା ଭିତରେ କିପରି ବଞ୍ଚିବାକୁ ହୁଏ କନ୍‌ହେଇଙ୍କ ଭିତରୁ ସାହସ ମିଳେ। ସ୍ମୃତି ସଂସଦର ଆବାହକ କବି ଶ୍ରୀଦେବ ଅତିଥିଙ୍କୁ ମଞ୍ଚ ଆହ୍ୱାନ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ସମ୍ପାଦକ ଉତ୍ପଳ ମହାନ୍ତି ସମ୍ପାଦକୀୟ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଯୁବ ଗାଳ୍ପିକ ରାଜେନ୍ଦ୍ର ରାଉଳଙ୍କୁ କନ୍‌ହେଇ କଥା ପୁରସ୍କାର-୨୦୨୩ ସମ୍ମାନରେ ସମ୍ମାନିତ କରାଯାଇଥିଲା।

publive-image

ପୁରସ୍କାର ସ୍ୱରୂପ ୧୦ ହଜାର ଟଙ୍କା, ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ଶ୍ରୀ ରାଉଳ କନ୍‌ହେଇଙ୍କୁ କାଫକାଙ୍କ ସହ ତୁଳନା କରିବା ସହିତ ଯିଏ ଦାରିଦ୍ର୍ୟକୁ ଜିଣି ନାହିଁ ସେ ଜୀବନକୁ ବୁଝି ନାହିଁ ବୋଲି କହିଥିଲେ। ସଂସଦର କାର୍ଯ୍ୟକାରୀ ସଭାପତି କୃଷ୍ଣ କୁମାର ମହାନ୍ତି ମାନପତ୍ର ପାଠ କରିଥିଲେ। ଅନ୍ୟତମ ଆବାହକ ଗୌତମବୁଦ୍ଧ ଦାସ ତାଙ୍କ ଭାଷଣରେ କହିଥିଲେ, ଆମ ପରପିଢ଼ି କନ୍‌ହେଇଲାଲଙ୍କୁ ଜାଣନ୍ତୁ। କନ୍‌ହେଇଙ୍କ ସ୍ମୃତିକୁ ଅଧିକ ବ୍ୟାପକ କରାଯିବା ଉପରେ ଗୁରୁତ୍ୱ ଦେଇଥିବା ବେଳେ କମର୍ଦ୍ଦାରୁ ଆସିଥିବା ସ୍ମୃତି ସଂସଦର କର୍ମକର୍ତ୍ତା ଆସନ୍ତା ବର୍ଷ କନ୍‌ହେଇଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯିବ ବୋଲି ସେ ସୂଚନା ଦେଇଥିଲେ। ଶେଷରେ ଯାଦବେଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ରାଜେଶ ଗିରି, ଶୁଭେନ୍ଦୁ ଦାସ, ବ୍ୟୋମନାଥ ରଥ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ।