୧୪ରୁ ତିନିଦିନ ବରୁଣେଇ ରଜ ମହୋତ୍ସବ

ଖୋର୍ଦ୍ଧା: କରୋନା ସଂକ୍ରମଣ ଜନିତ କଟକଣା ଯୋଗୁଁ ଗତ ଦୁଇବର୍ଷ ଧରି ବରୁଣେଇ ରଜ ମହୋତ୍ସବ ବନ୍ଦ ରହିଥିଲା। ଚଳିତବର୍ଷ ଏହା ଜାକଜମକରେ ଆୟୋଜନ କରାଯିବ। ଏନେଇ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରୁ ମିଳିଥିବା ସୂଚନାନୁସାରେ, ଦିଶାନ୍ତ ସ୍ୱେଚ୍ଛାସେବୀ ଅନୁଷ୍ଠାନ, ଜିଲ୍ଲା ସଂସ୍କୃତି ବିଭାଗ, ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଜୁନ ୧୪, ୧୫ ଓ ୧୬ ତାରିଖ ବରୁଣେଇ ପାଦଦେଶରେ ଏହି ମହୋତ୍ସବ ପାଳିତ ହେବ। ଏହି ଅବସରରେ ମହିଳାଙ୍କ ମଧ୍ୟରେ ଝୋଟି, ରଜପାନ ପ୍ରସ୍ତୁତ, ଦୋଳି ଆଦି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଓରମାସ ପକ୍ଷରୁ ବିଭିନ୍ନ ହସ୍ତତନ୍ତ, କୁଟୀରଶିଳ୍ପ ଆଦି ସାମଗ୍ରୀର ବିପଣନ ଷ୍ଟଲ୍ ଖୋଲାଯିବ।

ପ୍ରତିଦିନ ସନ୍ଧ୍ୟାରେ ପୁରସ୍କାର ବିତରଣ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଆଜିର ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ମନୋଜ ପାଢ଼ୀ ଅଧ୍ୟକ୍ଷତା କରିଥିବା ବେଳେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର, ଖୋର୍ଦ୍ଧା ପୌରାଧ୍ୟକ୍ଷ କନକଲକ୍ଷ୍ମୀ ମହାନ୍ତି, ଉପାଧ୍ୟକ୍ଷ ଶୌର୍ଯ୍ୟ ରଞ୍ଜନ ମହାନ୍ତି, ପୁଲିସ ବିଭାଗର ଅତିରିକ୍ତ ଏସ୍‌ପି, ଖୋର୍ଦ୍ଧା ଟାଉନ୍ ଥାନା ଅଧିକାରୀ, ଶିଳ୍ପାଞ୍ଚଳ ଫାଣ୍ଡି ଅଧିକାରୀଙ୍କ ସମେତ ଶିଳ୍ପାଞ୍ଚଳର ବିଭିନ୍ନ ଶିଳ୍ପାନୁଷ୍ଠାନ ପରିଚାଳନା କର୍ତ୍ତୃପକ୍ଷଙ୍କ ପ୍ରତିନିଧି ଓ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର