ଆଜିଠୁ ଘୂରିବ ରାଜସ୍ୱ ରଥ 

ଖୋର୍ଦ୍ଧା: କରୋନା ମହାମାରୀ କଟକଣା ଯୋଗୁଁ ଲୋକମାନେ ସରକାରୀ କାର୍ଯ୍ୟାଳୟ ଆସି ପାରୁନାହାଁନ୍ତି। ଏଭଳି ସ୍ଥିତିରେ ଖୋର୍ଦ୍ଧା ତହସିଲ କାର୍ଯ୍ୟାଳୟ ପକ୍ଷରୁ ଏକ ଅଭିନବ ଲୋକହିତକର ଅଭିଯାନ ଆରମ୍ଭ କରାଯାଇଛି। ଏଣିକି ଲୋକମାନଙ୍କୁ ଘରେ ପହଂଚି ପଟ୍ଟା, ଜାତିଗତ ପ୍ରମାଣପତ୍ର, ବାସସ୍ଥାନ ପ୍ରମାଣପତ୍ର, ଆୟ ପ୍ରମାଣପତ୍ର ଆଦି ପ୍ରଦାନ କରାଯିବ। ଆଜି ତହସିଲଦାର ପଦ୍ମଚରଣ ସାହୁଙ୍କ ଉପସ୍ଥିତିରେ ଖୋର୍ଦ୍ଧା ତହସିଲ କାର୍ଯ୍ୟାଳୟରୁ ଏହି ରାଜସ୍ୱ ରଥର ଶୁଭାରମ୍ଭ କରାଯାଇଥିଲା।

ପ୍ରଥମ ଦଫାରେ ସର୍ଦ୍ଧାପୁର-ତରତୁଆରେ ୨୦ଜଣଙ୍କୁ ଜମି ପଟ୍ଟା ପ୍ରଦାନ କରାଯାଇଥିବା ବେଳେ ୮ଜଣ ଛାତ୍ରଛାତ୍ରୀଙ୍କୁ ଜାତିଗତ ପ୍ରମାଣପତ୍ର ଓ ବାସସ୍ଥାନ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଏନେଇ ତହସିଲଦାର ଶ୍ରୀ ସାହୁ କହିଛନ୍ତି ଯେ କରୋନା କଟକଣାରେ ଏଭଳି ପଦକ୍ଷେପ ଦ୍ୱାରା ଉଭୟ ଲୋକ ଓ ସରକାରୀ କର୍ମଚାରୀଙ୍କ ଉପରେ ଚାପ ହ୍ରାସ ପାଇବ। ପ୍ରତିସପ୍ତାହର କୌଣସି ଦିନ ଚୟନ କରାଯାଇ ଯେଉଁ ଯେଉଁ ଗାଁରେ ୨୦-୩୦ ପଟ୍ଟା, ପ୍ରମାଣପତ୍ର ଆଦି ପ୍ରସ୍ତୁତ ହୋଇଛି ସେଠାକୁ ତହସିଲ କର୍ମଚାରୀମାନେ ଯାଇ ଆବେଦନକାରୀଙ୍କ ଘର ପାଖରେ ଏହି ପ୍ରମାଣପତ୍ର ଦେଇ ଆସିବେ।

ସମ୍ବନ୍ଧିତ ଖବର