ରାୟଗଡ଼ା: ରାୟଗଡ଼ାରେ ନୂଆ ରେଳ ଡିଭିଜନ୍ କାର୍ଯ୍ୟକ୍ଷମ କରିବା ସହ ରେଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ସାକ୍ଷାତ କରି ଦାବି ରଖିଛନ୍ତି ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓ। ଶିଳ୍ପ ସମୃଦ୍ଧ ରାୟଗଡ଼ା ଜିଲ୍ଲା ସମେତ ଅବିଭକ୍ତ କୋରାପୁଟର ବିକାଶ କ୍ଷେତ୍ରରେ ରେଳ ସେବା ପ୍ରମୁଖ ଭୂମିକା ଗ୍ରହଣ କରୁଥିବାରୁ ସ୍ମାରକପତ୍ରରେ ଉଲ୍ଲେଖ ଥିବା ପ୍ରସ୍ତାବ ଓ ଦାବିକୁ ଅଣଦେଖା ନ କରିବା ପାଇଁ ସାଂସଦ ଶ୍ରୀ ରାଓ କେନ୍ଦ୍ର ମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ୨୦୧୯ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ରାୟଗଡ଼ାକୁ ନୂଆ ରେଳ ଡିଭିଜନ୍ ଭାବେ ଘୋଷଣା କରିଥିଲେ।
କିନ୍ତୁ ଆବଶ୍ୟକ ଅନୁଦାନ ପ୍ରଦାନ କରୁନଥିବାରୁ ବିକାଶ ଅଟକିବା ସହ ଡିଭିଜନ୍ ଆଜି ସୁଦ୍ଧା କାର୍ଯ୍ୟକାରୀ ହୋଇପାରିନି। ଏଥି ସହ ଡିଭିଜନ୍ ଅଧୀନରେ ଥିବା ଜୟପୁର-ନବରଙ୍ଗପୁର, ଜୟପୁର-ମାଲକାନଗିରି ନୂଆ ରେଳପଥ, ଗୁଣପୁର-ଥେରୁବାଲି ରେଳ ଲାଇନ୍ ସଂପ୍ରସାରଣ କାମକୁ ତୁରନ୍ତ ଶେଷ କରିବାକୁ ସାଂସଦ ଦାବି କରିଛନ୍ତି। ରାୟଗଡ଼ା ସହର ଦେଇ ଯାଇଥିବା ୩୨୬ ନଂ ଜାତୀୟ ରାଜପଥ ଛତିଶଗଡ଼ର ଜଗଦଲପୁର, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ମାଲକାନଗିରି ଓ ଗଞ୍ଜାମ, ଗଜପତି ଜିଲ୍ଲାକୁ ସଂଯୋଗ ହୋଇଥିବାରୁ ନୂଆ ରେଳ ଡିଭିଜନ୍ କାର୍ଯ୍ୟକ୍ଷମ ହେଲେ ଅର୍ଥନୈତିକ ବିକାଶ ହୋଇପାରିବ।
୧୯୬୭ ମସିହାରେ ରାୟଗଡ଼ା ଷ୍ଟେସନରେ ପ୍ରତିଷ୍ଠା ହୋଇଥିବା ରେଲୱେ ମେଲ୍ ସର୍ଭିସକୁ ବନ୍ଦ କରିବାକୁ ପୋଷ୍ଟାଲ୍ କର୍ତ୍ତୃପକ୍ଷ ଚକ୍ରାନ୍ତ କରୁଥିବାରୁ ସାଂସଦ ଏହି ସେବାକୁ ଜାରି ରଖିବାକୁ ପ୍ରସ୍ତାବ ଦେଇଛନ୍ତି। ରାୟଗଡ଼ା ଷ୍ଟେସନ ଦେଇ ଆଲେପି, ବେଙ୍ଗାଲୁରୁ, ଚେନ୍ନାଇ, ମୁମ୍ବାଇ, ଦିଲ୍ଲୀ, ଅହମ୍ମଦାବାଦକୁ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ କରୁଥିବା ବେଳେ ଏହି ରେଳ ଲାଇନ୍ ବିଜୟନଗରମ ଜଙ୍କସନ୍, ହାୱଡା-ଚେନ୍ନାଇ ମୁଖ୍ୟ ଲାଇନ୍, ସମ୍ବଲପୁର-ରାଉରକେଲା ସହିତ ଛତିଶଗଡ଼କୁ ସଂଯୋଗ ହୋଇଛି। ଏହି ଦୃଷ୍ଟିରୁ ରାୟଗଡ଼ା ଷ୍ଟେସନରେ ଥିବା ରେଲୱେ ମେଲ୍ ସର୍ଭିସ୍ ସହ ସ୍ପିଡ୍ ପୋଷ୍ଟ୍, ପାର୍ସଲ୍ ହବ୍ ପ୍ରତିଷ୍ଠା ପାଇଁ ଦାବି କରିଛନ୍ତି। ସ୍ପିଡ୍ ପୋଷ୍ଟ ବ୍ୟବସ୍ଥା ରାୟଗଡ଼ାରେ ନଥିବାରୁ ବହୁ ଜରୁରିକାଳୀନ ଚିଠି ପତ୍ର ଜୟପୁର ଯାଇ ସେଠାରୁ ବିଭିନ୍ନ ସ୍ଥାନକୁ ପଠାଯାଉଛି। ଯେଉଁଥିରେ ୨ରୁ ୩ ଦିନ ବିଳମ୍ବ ହେଉଛି। ଅନ୍ୟପକ୍ଷରେ ହାୱଡା-ସିକନ୍ଦରାବାଦ ମଧ୍ୟରେ ଚଳାଚଳ କରୁଥିବା ଫଲକନାମା ଏକ୍ସପ୍ରେସ୍ ରାୟଗଡ଼ା ଦେଇ ଚଳାଚଳ କଲେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାବାସୀ ଉପକୃତ ହୋଇପାରନ୍ତେ।
ରାୟଗଡ଼ା-କୋରାପୁଟ ଜିଲ୍ଲାରେ ହାଲ୍, ନାଲକୋ, ଉତ୍କଳ ଆଲୁମିନା, ଜେକେ କାଗଜକଳ, ବେଦାନ୍ତ ଭଳି ଜାତୀୟ ସ୍ତରର କଂପାନି ଥିବା ବେଳେ ଖୁବ୍ ଶୀଘ୍ର ଆଦିତ୍ୟ ବିର୍ଲା ଓ ଏଲ ଆଣ୍ଡ ଟି ଗ୍ରୁପ୍ ପକ୍ଷରୁ ନୂଆ କମ୍ପାନି ପ୍ରତିଷ୍ଠା ହେବାକୁ ଯାଉଛି। ଏହି ଦୃଷ୍ଟିରୁ ରେଳପଥର ବିକାଶ ସହ ନୂଆ ଟ୍ରେନ୍ ଚଳାଚଳ କରିବା ଦିଗରେ ଦୃଷ୍ଟି ଦେବାକୁ ସାଂସଦ ଦାବି କରିଛନ୍ତି। ସେହିପରି ଜଗଦଲପୁରରୁ-ଭୁବନେଶ୍ବର ମଧ୍ୟରେ ଚଳାଚଳ କରୁଥିବା ହୀରାଖଣ୍ଡ ଏକ୍ସପ୍ରେସ ଟ୍ରେନରେ ଫାଷ୍ଟ୍ କ୍ଲାସ ଏସି କୋଚ୍ ସଂଯୋଗ କରିବା ପାଇଁ ମଧ୍ୟ ସାଂସଦ ଦାବି କରିଛନ୍ତି।
ଟ୍ରେନରେ ଦ୍ବିତୀୟ ଶ୍ରେଣୀ, ତୃତୀୟ ଶ୍ରେଣୀ ଏସି କୋଚ୍ ରହିଛି। ପ୍ରଥମ ଶ୍ରେଣୀ ଏସି କୋଚ୍ ପାଇଁ ଦୀର୍ଘ ଦିନ ହେଲା ଦାବି ହୋଇ ଆସୁଥିଲେ ମଧ୍ୟ ରେଳ ବିଭାଗକୁ ଏହାକୁ ପୂରଣ କରିବାରେ ସଫଳ ହୋଇନି। କେନ୍ଦ୍ର ରେଳମନ୍ତ୍ରୀଙ୍କ ସହ ଆଲୋଚନା ସମୟରେ ରାଜ୍ୟସଭା ସାଂସଦ ଶ୍ରୀ ରାଓ ଉକ୍ତ ସମସ୍ତ ଦାବିକୁ ଉପସ୍ଥାପନ କରିବା ସହ ପୂରଣ ଦିଗରେ ପଦକ୍ଷେପ ନେବାକୁ ଦାବି ରଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/RGD_MP-Meet-Rail-Minister.jpg)