ଜଳେଶ୍ୱର: ରାକେଶ ଚୌଧୁରୀ ହତ୍ୟା ଘଟଣାର ମାଷ୍ଟରମାଇଣ୍ଡ ଉତ୍ତରପ୍ରଦେଶରୁ ଗିରଫ, ସଂପତ୍ତି ବିବାଦରୁ ବାପାକୁ ହତ୍ୟା କରିଛି ପୁଅ

ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅଧୀନସ୍ଥ ଡାଙ୍ଗପିଟା ଗାଁରେ ଗତ ଜୁନ୍‌ ୨୫ ତାରିଖ ରାତି ୮ଟା ସମୟରେ ରାକେଶ ଚୌଧୁରୀ ଦୁର୍ବୃତ୍ତଙ୍କ ଗୁଳିକାଣ୍ଡର ଶିକାର ହୋଇଥିଲେ। ରାକେଶ ଚୌଧୁରୀ ହତ୍ୟା ଘଟଣାର ମାଷ୍ଟରମାଇଣ୍ଡକୁ ବାଲିଆପାଳ ପୁଲିସ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତ ଜଣକ ରାକେଶଙ୍କ ପ୍ରଥମ ପତ୍ନୀଙ୍କ ବଡ଼ ପୁଅ ଗୁଡୁ ଓରଫ ମନୋଜ କୁମାର ବୋଲି ପୁଲିସ ସୂତ୍ରରୁ ପ୍ରକାଶ। ତେବେ ସମ୍ପତ୍ତି ବିବାଦରୁ ଏହି ହତ୍ୟାକାଣ୍ଡ ଘଟାଇଥିବା ମନୋଜ କୁମାର ନିଜେ ପୁଲିସ ନିକଟରେ ସ୍ୱୀକାର କରିଛି।

ସୂଚନାଯୋଗ୍ୟ, ଉତ୍ତରପ୍ରଦେଶର ବୁଲନ୍ଦସହର ଜିଲ୍ଲା ଜାହାଙ୍ଗୀରପୁର ଥାନା ନେକପୁର ଗାଁରେ ରାକେଶ ଚୌଧୁରଙ୍କ ଘର। ତେବେ  ପ୍ରାୟ ୧୦ବର୍ଷ ତଳେ ସେ ବାଲିଆପାଳକୁ ଆସି ଏହି ଡାଙ୍ଗପିଟା ଗାଁରେ ରହୁଥିଲେ।  ୨୦୦୬ ମସିହାରେ ସେ ଶ୍ୟାମସୁନ୍ଦର ମହାନ୍ତିଙ୍କ ଝିଅ ଆରତୀ ଦେବୀଙ୍କୁ ବିବାହ କରିଥିଲେ। ମାତ୍ର ଗତ କିଛିଦିନ ତଳେ ରାକେଶ ଉତ୍ତରପ୍ରଦେଶକୁ ଯାଇ ସେଠାରେ ନିଜର ଏକ ସମ୍ପତ୍ତିକୁ ୨୦ଲକ୍ଷ ଟଙ୍କାରେ ବିକିବା ସହ ଏହି ଅର୍ଥରୁ କାହାକୁ ଭାଗ ନ ଦେଇ ଡାଙ୍ଗପିଟା ଗାଁକୁ ଚାଲି ଆସିବା ପରେ ଏହି ଘଟଣାକୁ ନେଇ ମନୋଜ ପ୍ରତିଶୋଧ ପରାୟଣ ହୋଇ ହତ୍ୟାକାଣ୍ଡର ଯୋଜନା କରିଥିଲା।

ହତ୍ୟାକାଣ୍ଡ ପୂର୍ବରୁ କେଉଁଠି ଓ କିପରି ହତ୍ୟା କରିବ ସେ ନେଇ ଯୋଜନା ପ୍ରସ୍ତୁତ ପାଇଁ ମନୋଜ ନିଜ ବାପାଙ୍କ ସହ ଫୋନ୍‌ରେ ଯୋଗାଯୋଗ କରି ତାଙ୍କ ସହ ଭଲରେ କଥା ହୋଇଥିଲା। ଏପରିକି ବାଲେଶ୍ୱର,ବାଲିଆପାଳ, ଡଗରା ଓ ଚୌମୁଖକୁ ଆସି ମନୋଜ ଏଠାରେ ସମୟ ବିତାଇବା ସହ କିପରି ହତ୍ୟାକାଣ୍ଡକୁ ସଫଳ କରିବାର ଯୋଜନା କରିଥିବା  ପୁଲିସ ପ୍ରକାଶ କରିଛି। ୨୫ ତାରିଖରେ ଏହି ହତ୍ୟାକାଣ୍ଡ ପରେ ରାକେଶଙ୍କ ୨ୟ ପତ୍ନୀ ଆରତୀ ଦେବୀ ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ୧୧୭ ନମ୍ବରର ମାମଲା ରୁଜୁ କରିଥିଲା।

ଆଇଆଇସି ପ୍ରଭୁକଲ୍ୟାଣ ଆଚାର୍ଯ୍ୟଙ୍କୁ ଏହି ମାମଲାର ତଦନ୍ତ ଭାର ଦିଆଯାଇଥିବା ବେଳେ ପ୍ରାରମ୍ଭିକ ତଦନ୍ତରୁ ଏହି ହତ୍ୟାକାଣ୍ଡର ଲିଙ୍କ ଉତ୍ତରପ୍ରଦେଶ ସହ ରହିଛି ବୋଲି ପୁଲିସ ଜାଣିପାରିଥିଲା। ସେହି ଅନୁସାରେ ଏକ ସ୍ୱତନ୍ତ୍ର ଟିମ୍‌ ମଧ୍ୟ ଗଠନ କରାଯାଇ ଉତ୍ତରପ୍ରଦେଶକୁ ପଠାଯାଇଥିଲା। ଉତ୍ତରପ୍ରଦେଶ ପୁଲିସ ସହାୟତାରେ ମନୋଜକୁ ଗିରଫ କରାଯାଇଥିବା ବେଳେ ଏହି ହତ୍ୟାକାଣ୍ଡ ସହ ଅନ୍ୟ ଦୁଇଜଣ ସମ୍ପୃକ୍ତ ଥିବା କୁହାଯାଇଛି। ଏମାନେ ହେଲେ ପ୍ରବୀଣ ଅଗ୍ରଓ୍ଵାଲ ଓ ଭାଟି ଚୌଧୁରୀ। ଅଭିଯୁକ୍ତଙ୍କ ଠାରୁ ଏକ ବନ୍ଧୁକ ସହ ଘଟଣା ଦିନ ବ୍ୟବହାର ହୋଇଥିବା କାର ବି ପୁଲିସ ଦ୍ୱାରା ଅଟକି ରହିଛି। କାରଟି ବାଲେଶ୍ୱର ଆରଟିଓଙ୍କ ଅଧିନରେ ପଞ୍ଜିକୃତ ରହିଛି ବୋଲି ତଦନ୍ତ ସମୟରେ ଜଣାପଡ଼ିଛି।

ସମ୍ବନ୍ଧିତ ଖବର