ସ୍କୁଲ ଓ କଲେଜ କର୍ମଚାରୀଙ୍କ ସମସ୍ୟାର ସମାଧାନ ପାଇଁ ରାଲି

ଖୋର୍ଦ୍ଧା: ରାଜ୍ୟରେ ଥିବା ବିଭିନ୍ନ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ ଓ କଲେଜର କର୍ମଚାରୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଆଜି ଓଡ଼ିଶା ସ୍କୁଲ-କଲେଜ ଶିକ୍ଷକ ଓ କର୍ମଚାରୀ ମିଳିତ ସାମୁଖ୍ୟ (ଓଏସ୍‌ଟିଇୟୁଏଫ୍) ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ସାମୁଖ୍ୟର ଖୋର୍ଦ୍ଧା ଜିଲ୍ଲା ଶାଖାର ସଦସ୍ୟମାନେ ଏକ ବିରାଟ ରାଲିରେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ଏହି ରାଲିରେ ୬୬୨ କଲେଜ ସଂଘ ଖୋର୍ଦ୍ଧା ଜିଲ୍ଲା ସଭାପତି ତପନ ଜେନା, ୪୮୮ କଲେଜ ସଂଘର ଖୋର୍ଦ୍ଧା ଜିଲ୍ଲା ସଭାପତି ଦିଲ୍ଲୀପ ବେହେରା, ଓଷ୍ଟାର ଜିଲ୍ଲା ସମ୍ପାଦକ ସୁଧାକର ମହାପାତ୍ର ପ୍ରମୁଖଙ୍କ ନେତୃତ୍ୱରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସାମୁଖ୍ୟର କର୍ମକର୍ତ୍ତା ଏନେଇ କହିଛନ୍ତି ଯେ, ସମଗ୍ର ରାଜ୍ୟରେ ଆଜି ଅଗଷ୍ଟ ୯ କ୍ରାନ୍ତୀ ଦିବସ ଉପଲକ୍ଷେ ସାମୁଖ୍ୟ ପକ୍ଷରୁ ବିଭିନ୍ନ ଜିଲ୍ଲାରେ ଅନୁରୂପ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ସେମାନେ ନୂତନ ଅନୁଦାନ ପ୍ରାପ୍ତ ସ୍କୁଲ ଓ କଲେଜକୁ ସପ୍ତମ ବେତନ କମିସନ ଆଧାରରେ ବେତନ ପ୍ରଦାନ କରିବା, ଅନୁଦାନରୁ ବାଦ ପଡ଼ିଥିବା ସ୍କୁଲ କଲେଜକୁ ଅନୁଦାନ ପ୍ରଦାନ କରିବା, ଅନୁଦାନ ପ୍ରାପ୍ତ ସ୍କୁଲ ଓ କଲେଜର କର୍ମଚାରୀଙ୍କୁ ପେନ୍‌ସନ୍‌ଭୁକ୍ତ କରିବା, ଚାକିରୀ କାର୍ଯ୍ୟକାଳକୁ ୬୦ ରୁ ୬୨ ବର୍ଷ ବୃଦ୍ଧି କରିବା ଆଦି ୫ ଦଫା ଦାବି ନେଇ ପୂର୍ବରୁ ରାଜ୍ୟ ସରକାରଙ୍କ ଅନେକ ଥର ଦୃଷ୍ଟି ଆକର୍ଷଣ କରାଯାଇଛି।

୨୦୧୭ରେ ରାଜ୍ୟ ସରକାର ପ୍ରତିଶ୍ରୁତି ମୁତାବକ ବ୍ଲକ ଗ୍ରାଣ୍ଟ ଉଚ୍ଛେଦ କରି ଗ୍ରାଣ୍ଟ ଇନ୍‌ଏଡ୍‌ ପ୍ରଦାନ କରିଥିବା ବେଳେ ଏଥିରୁ ପେନ୍‌ସନ ବାଦ ଦିଆଯାଇଛି। ସେହିଭଳି ବିଧାନସଭା ଷ୍ଟାଣ୍ଡିଂ କମିଟି ଅନୁଦାନରୁ ବାଦ୍ ପଡ଼ିଥିବା ସ୍କୁଲ କଲେଜକୁ ଅନୁଦାନ ଦେବା ପାଇଁ ସୁପାରିଶ କରିଥିଲେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରାଯାଇନାହିଁ। ଏହି ସମସ୍ତ ଦାବି ନେଇ ଆଜି ପ୍ରତୀକାତ୍ମକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଆସନ୍ତା ୧୬ ତାରିଖ ପୂର୍ବରୁ ସେମାନଙ୍କ ଦାବି ପୂରଣ ନହେଲେ ଅଗଷ୍ଟ ୧୬ ତାରିଖରୁ ରାଜ୍ୟରେ ଶିକ୍ଷକ ସଂଘ, ମିଳିତ ମଞ୍ଚ ବ୍ୟାପକ ଆନ୍ଦୋଳନ କରିବ ବୋଲି ସାମୁଖ୍ୟ ପକ୍ଷରୁ ଚେତାବନୀ ଦିଆଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ପରେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଗଣଶିକ୍ଷାମନ୍ତ୍ରୀ ଓ ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର