ସମ୍ବଲପୁର: ନାଗରିକତା ସଂଶୋଧନ ଆଇନ୍ ଓ ଜାତୀୟ ନାଗରିକ ପଞ୍ଜିକାକୁ ବିରୋଧ କରି ସମ୍ବଲପୁରର ୭ଟି ସଂଗଠନ ପକ୍ଷରୁ ଶୁକ୍ରବାର ସ୍ଥାନୀୟ ଜିଲ୍ଲା ସ୍କୁଲ ଛକରୁ ଏକ ବିରାଟ ରାଲି ବାହାରିଥିଲା। ‘ୱି ଦ ପିପୁଲ ମଞ୍ଚ’ ଆବାହକତ୍ୱରେ ପ୍ରାୟ ୨ ହଜାରରୁ ଊର୍ଦ୍ଧ୍ଵ ଲୋକ ରାଲିରେ ସାମିଲ ହୋଇଥିଲେ। ରାଲିକୁ ପୂର୍ବରୁ ଜିଲ୍ଲା ପ୍ରଶାସନ ପାଇଁ ଅନୁମତି ପ୍ରଦାନ କରାଯାଇ ନ ଥିଲେ ହେଁ ଆଇନ୍ ଶୃଙ୍ଖଳା ପରିସ୍ଥିତି ଯେଭଳି ଭାବେ ବିପର୍ଯ୍ୟସ୍ଥ ନହୁଏ ସେଥିପାଇଁ ପୁଲିସ୍ ସେମାନଙ୍କୁ ଲକ୍ଷ୍ମୀ ଟକିଜ ଯାଏଁ ଛାଡ଼ିଥିଲା। ଲକ୍ଷ୍ମୀ ଟକିଜରେ ମଞ୍ଚର କର୍ମକର୍ତ୍ତାମାନେ ୪ ଦଫା ସମ୍ବଳିତ ଦାବିପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଉପ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା।
ଏହାପରେ ସେଠାରୁ ରାଲି ୟୁ-ଟର୍ଣ୍ଣ ନେଇ ଜିଲ୍ଲା ସ୍କୁଲରେ ଶେଷ ହୋଇଥିଲା। ସମ୍ବଲପୁରରେ ଯେଭଳି ସୁନ୍ଦରଗଡ଼ ଘଟଣାର ପୁନରାବୃତ୍ତି ନଘଟେ ସେଥିପାଇଁ ଗୁରୁବାର ରାତିରୁ ହିଁ ପୁଲିସ୍ ସଜାଗ ହୋଇ ରହିଥିଲା। ସିଆରପିଏଫର ଗୋଟିଏ ବାଟାଲିୟନକୁ ମିଶାଇ ଜିଲ୍ଲା ପୁଲିସ୍ ପକ୍ଷରୁ ୧୨ ପ୍ଲାଟୁନ୍ ଫୋର୍ସଙ୍କୁ ସହରର ସମ୍ବେଦନଶୀଳ ସ୍ଥାନରେ ମୁତୟନ କରାଯାଇଥିଲା। ଅତିରିକ୍ତ ଏସ୍ପି ପି.କେ.ମହାପାତ୍ର, ଅମରେଶ ପଣ୍ଡା, ଶାନ୍ତନୁ ଦାଶଙ୍କ ନେତୃତ୍ୱରେ ପୁଲିସ୍ ରାଲିକୁ କଡନ୍ କରି ଜିଲ୍ଲା ସ୍କୁଲରୁ ନେଇ ଲକ୍ଷ୍ମୀ ଟକିଜ ଯାଏଁ ନେଇଥିଲା।
କଂଗ୍ରେସ, ସିଟୁ, ଭୀମ୍ ଆର୍ମି, ସିପିଏମ୍, ଆଲ୍ଲା ହଜରତ କମିଟି, ହଜରତ ଖ୍ଵାଜା ଗରିବ ନୱାଜ କମିଟିର କର୍ମକର୍ତ୍ତମାନେ ମିଳିତ ଭାବେ ଏହି ରାଲିରେ ସାମିଲ ହୋଇଥିଲେ। ଦେଶରେ ସିଏଏକୁ ନେଇ ବିତର୍କର ସ୍ଥିତି ଉତ୍ପନ୍ନ ହୋଇଥିବାରୁ ଏହି ଆଇନ୍ରେ ସଂଶୋଧନ, କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରୀ ଏହି ଆଇନ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେବା ସହ ଲୋକଙ୍କୁ ଭ୍ରମିତ କରୁଥିବାରୁ ଏନ୍ଆରସି ଓ ଏନ୍ପିଆର୍ ମଧ୍ୟରେ ଥିବା ସମ୍ପର୍କ ବିଷୟରେ ଲୋକଙ୍କୁ ଅବଗତ କରାଯାଉ, ସମଗ୍ର ଦେଶରେ ଏନ୍ଆରସି ଲାଗୁ କରାଯିବ କି ସେନେଇ ସରକାର ସ୍ପଷ୍ଟୀକରଣ ଦିଅନ୍ତୁ ଓ ଦେଶ ପାଇଁ ଏକ ସୀମା ଶରଣାର୍ଥୀ ଯୋଜନା ଲାଗୁ ହେଉ ବୋଲି ସେମାନେ ଦାବି କରିଥିଲେ। ତେବେ ରାଲି ଚାଲିଥିବା ସମୟରେ ହାତରେ ସମ୍ବିଧାନ ଧରି ଦେଶର ସମ୍ବିଧାନ କ୍ଷୁର୍ଣ୍ଣ କରାନଯାଉ, ବସୁଧେବ କୁଟୁମ୍ବକୁ ଭାଗ ଭାଗ କରା ନଯାଉ ବୋଲି ସ୍ଳୋଗାନ୍ ଦେଇଥିଲେ।