ଖୋର୍ଦ୍ଧା: ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଖୋର୍ଦ୍ଧା ବ୍ଲକ ଶାଖା ପକ୍ଷରୁ ଶନିବାରଏକ ବିକ୍ଷୋଭ  ପ୍ରଦର୍ଶନ କରାଯାଇଛି। ବ୍ଲକରେ କାର୍ଯ୍ୟରତ ଶତାଧିକ ଶିକ୍ଷକଶିକ୍ଷୟିତ୍ରୀ ରାଲିରେ ବାହାରି ସମସ୍ୟା ସମାଧାନରେ ସରକାରଙ୍କ ଉଦାସୀନତାର ପ୍ରତିବାଦ କରିବା ସହ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି। ଆଜି ଶନିବାର ପୂର୍ବାହ୍ନରେ ପ୍ରାୟ ଦୁଇଶହ ଶିକ୍ଷକଶିକ୍ଷୟିତ୍ରୀ ସ୍ଥାନୀୟ ଗୀତା ଭବନରୁ ହାତରେ ପ୍ଲାକାର୍ଡ, ବ୍ୟାନର ଆଦି ଧରି ଏକ ରାଲିରେ ବାହାରିଥିଲେ। ‌ସ୍ଲୋଗାନ ଦେଇ ଷ୍ଟେଟ୍‌ ବ୍ୟାଙ୍କ ଛକ, ସମବାୟ ବ୍ୟାଙ୍କ ଛକ, ପୁରୁଣା ବସ୍‌ଷ୍ଟାଣ୍ଡ ଦେଇ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ପ୍ରାୟ ଏକ ଘଣ୍ଟା କାଳ ଧାରଣା ଦେବା ସହ ଏକ ପ୍ରତିବାଦ ସଭାର ଆୟୋଜନ ହୋଇଥିଲା। ଏହି ସଭାରେ ବ୍ଲକ ପ୍ରାଥମିକ ସଂଘର ସଭାପତି ଯୁଧିଷ୍ଠିର ସାହୁ, ପିଷ୍ଟାର ଜିଲ୍ଲା ସଭାପତି ଅଗାଧୁ ସେଠୀ ପ୍ରମୁଖ ଶିକ୍ଷକ ସମସ୍ୟା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।

Advertisment

କନିଷ୍ଠ ଶିକ୍ଷକଙ୍କୁ ନିୟମିତ କରିବା, ଏକ୍ସ କ୍ୟାଡର ଶିକ୍ଷକ, କଳା ଓ କ୍ରୀଡ଼ା ଶିକ୍ଷକଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ପ୍ରଦାନ କରିବା, କେନ୍ଦ୍ରୀୟ ହାରରେ ବେତନ ପ୍ରଦାନ କରିବା, ପୁରୁଣା ପେନ୍‌ସନ ବ୍ୟବସ୍ଥା ଲାଗୁ କରିବା ଆଦି ଦାବି ଉପସ୍ଥାପିତ କରିଥିଲେ। ଏନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ବିଇଓଙ୍କ ଅନୁପସ୍ଥିତିରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସ୍ବର୍ଣ୍ଣଲତା ସାମନ୍ତରାୟଙ୍କୁ ପ୍ରଦାନ କରାଯାଇଥିଲା। ଶିକ୍ଷକଙ୍କ ଦାବି ପୂରଣ ନହେଲେ ୧୧ ତାରିଖରେ ଜିଲ୍ଲାସ୍ତରୀୟ ବିକ୍ଷୋଭ ଓ ୧୬ରୁ ସମୂହ ଛୁଟିରେ ଶିକ୍ଷକ ମାନେ ଯିବେ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସମ୍ପାଦକ ଅମୀୟ କୁମାର ପରିଡ଼ା, ପିଷ୍ଟାର ବ୍ଲକ ସଭାପତି ସ୍ବପ୍ନେଶ୍ବର ପ୍ରଧାନ, ସମ୍ପାଦକ ମୃତ୍ୟୁଞ୍ଜୟ ମହାପାତ୍ର, ଏକ୍ସ-କ୍ୟାଡର ସଂଘର ସଭାପତି ପ୍ରସନ୍ନ କୁମାର ମହାପାତ୍ର, ପ୍ରକାଶ ଚନ୍ଦ୍ର ମୁଦୁଲି, ସତ୍ୟବ୍ରତ ଚମ୍ପତ୍ତିରାୟ, ଦିବ୍ୟସିଂହ ସୁବୁଦ୍ଧି, ରଶ୍ମୀ ଦାସ, ବିଜୟ ଲକ୍ଷ୍ମୀ ପାଣି, ଜ୍ୟୋତିର୍ମୟୀ ନାୟକ, ମାନସ କୁମାର ପଣ୍ଡା, ବିପିନ ବିହାରୀ ବେହେରା, ବାମଦେବ ପାଇକରାୟ, ଅଭିରାମ ବେହେରା, ମନୋଜ ଦାସ ପ୍ରମୁଖ ଉପସ୍ଥିତ ଥିଲେ।