ସ୍କୁଲ ବନ୍ଦ ପ୍ରତିବାଦରେ ପିଲାଙ୍କୁ ନେଇ ରାଲି, ମାମଲା ରୁଜୁ ପାଇଁ ଏଡିଏମଙ୍କ ନିର୍ଦ୍ଦେଶ

ଖୋର୍ଦ୍ଧା: ରାଜ୍ୟ ଗଣଶିକ୍ଷା ବିଭାଗର ନିୟମାନୁସାରେ ୨୦ରୁ କମ୍ ଉପସ୍ଥାନ ଥିବା ସ୍କୁଲଗୁଡ଼ିକର ନିକଟସ୍ଥ ସ୍କୁଲ ସହ ମିଶ୍ରଣ କରାଯାଇଛି । ଫଳରେ ଖୋର୍ଦ୍ଧା ଓ ଖୋର୍ଦ୍ଧା ଉପକଣ୍ଠରେ ଥିବା କେତେକ ସ୍କୁଲ ବନ୍ଦ ହୋଇଯାଇଛି । ଏହାର ପ୍ରତିବାଦରେ ଛୋଟ ସ୍କୁଲ ପିଲାଙ୍କୁ ନେଇ ପ୍ରତିବାଦ ରାଲି ବାହାର କରି ଏସୟୁସିଆଇ ଓ ଡିଏସ୍ଓ ଅକଳରେ ପଡ଼ିଛି । କରୋନା କଟକଣା ଉଲ୍ଲଂଘନ କରି ଛୋଟ ପିଲାଙ୍କୁ ନେଇ ରାଲି କରିଥିବାରୁ ମାମଲା ରୁଜୁ କରିବାକୁ ଅତିରିକ୍ତ ଜିଲ୍ଲାପାଳ ପୁଲିସକୁ ନିର୍ଦେଶ ଦେଇଛନ୍ତି ।

ଆଜି ସକାଳ ୧୧ଟାରେ ଏସୟୁସିଆଇ(ସି) ଓ ଏଆଇଡିଏସ୍ଓର ଖୋର୍ଦ୍ଧା ଜିଲ୍ଲା ଶାଖା ପକ୍ଷରୁ କଙ୍କଡ଼ାହାଡ଼ ପ୍ରାଥମିକ ବିଦ୍ୟାଳୟ, ଗଡ଼ଦ୍ୱାର ମଧ୍ୟ ଇଂରାଜୀ ବିଦ୍ୟାଳୟ, ଟିଏଲସି ଏମଇ ସ୍କୁଲ ବନ୍ଦ ହେବା ପ୍ରତିବାଦରେ ସେହି ସ୍କୁଲର ୩୦ରୁ ଉର୍ଧ୍ବ ଛାତ୍ରଛାତ୍ରୀଙ୍କୁ ନେଇ ନୂଆ ବସଷ୍ଟାଣ୍ଡ ଠାରୁ ଏକ ରାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା । ଏହି ରାଲିରେ ଛୋଟ ପିଲାଙ୍କ ସହ ଏସୟୁସିଆଇ ସମ୍ପାଦକ ଅଶୋକ ସାହୁ, ଡିଏସ୍ଓ ଆଂଚଳିକ କମିଟି ସମ୍ପାଦକ ଜୟନ୍ତ ମହାନ୍ତି, ଅବିନାଶ ପ୍ରଧାନ, ଉମାକାନ୍ତି ପ୍ରଧାନ, ଦୁଃଖିଶ୍ୟାମ ନାଏକ, ଶ୍ରୀକାନ୍ତ ନାଏକ, ସଂଘମିତ୍ରା ମହାପାତ୍ର, ଅନ୍ତର୍ଯ୍ୟାମୀ ଗୁଣ୍ଠ ପ୍ରମୁଖ ଉପସ୍ଥିତ ଥିଲେ ।

ରାଲିରେ ଛୋଟ ପିଲାଙ୍କୁ ବିନା ମାସ୍କ ଓ ସାମାଜିକ ଦୂରତ୍ୱରେ କରୋନା କଟକଣା ଉଲ୍ଲଂଘନ କରି ନିୟୋଜିତ କରିବା ନେଇ ସ୍ଥାନୀୟ କିଛି ବୁଦ୍ଧିଜୀବୀ ଓ ସାମ୍ବାଦିକଙ୍କ ପକ୍ଷରୁ ପୁଲିସ, ଜିଲ୍ଲା ଶିଶୁ ସୁରକ୍ଷା କମିଟି ଓ ଅତିରିକ୍ତ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ।

ଏଭଳି ଛୋଟ ପିଲାଙ୍କୁ ନିୟୋଜିତ କରିବା ବେଆଇନ ଥିଲେ ମଧ୍ୟ ପୁଲିସ କିଭଳି ସେମାନଙ୍କୁ ଅନୁମତି ଦେଲା ଓ ରାଲି ଖୋଦ୍ ଡିସିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖ ଦେଇ ଗଲାବେଳେ କିଭଳି ଅଧିକାରୀଙ୍କ ନଜର ପଡ଼ିଲା ନାହିଁ କି ଏନେଇ ପଦକ୍ଷେପ ନେଲେ ନାହିଁ ସେନେଇ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା ।

ଏନେଇ ଅତିରିକ୍ତ ଜିଲ୍ଲାପାଳ ମନୋଜ ପାଢ଼ୀଙ୍କ ସହ ଯୋଗାଯୋଗ କରିବାରେ ସେ କହିଛନ୍ତି ଯେ ଏନେଇ ସେ ଖୋଦ୍ ଆୟୋଜକଙ୍କୁ ତାଗିଦ୍ କରିଛନ୍ତି । ଆୟୋଜକଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ପୁଲିସକୁ ନିର୍ଦେଶ ଦେଇଛନ୍ତି ବୋଲି କହିଛନ୍ତି ।

ସମ୍ବନ୍ଧିତ ଖବର