ଖୋର୍ଦ୍ଧା: ମାନବବାଦୀ ସଂଗଠନର ମୁଖିଆ ମାନସ ଦାସ ଓ ତାଙ୍କ ପୁଅ ମନୋରଂଜନଙ୍କ ଗିରଫର ଆଜି ତୃତୀୟ ଦିନରେ ମାନସ ଦାସଙ୍କ ସମର୍ଥକ ମାନେ ପୁଣି ଥରେ ନିରବ ଶୋଭାଯାତ୍ରା କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ୨୦୨୦ ଦଧିମାଛଗାଡ଼ିଆ ଲାଲା ନାୟକ ହତ୍ୟାକାଣ୍ଡ ଘଟଣାରେ ମାନସ ଦାସଙ୍କ କୌଣସି ସମ୍ପୃକ୍ତି ନାହିଁ ବୋଲି ଶୋଭାଯାତ୍ରାରେ ଯୋଗ ଦେଇଥିବା ଲାଲାଙ୍କ ପତ୍ନୀ କହିଛନ୍ତି। ଆଜି ଦିନ ପ୍ରାୟ ୧୨ଟା ବେଳେ ରାଷ୍ଟ୍ରୀୟ ସାମାଜିକ ନ୍ୟାୟ ମଂଚ ବିଶେଷତଃ ଦଧିମାଛଗାଡ଼ିଆ, ତରାବୋଇ ଓ ହିରାପୁରର ସଅର ଓ ଆଦିବାସୀମାନେ ଗ୍ରାମାଂଚଳ ଜିଲ୍ଳା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ନିକଟରେ ପହଂଚିଥିଲେ। ଲୋକଙ୍କ ଗହଳି ଦେଖି ଏସ୍ଡ଼ିପିଓ ସୁଶୀଲ ମିଶ୍ର ଓ ଅନ୍ୟ ପୁଲିସ ଅଧିକାରୀ ମାନେ ମଧ୍ୟ ସେଠାରେ ପହଂଚି ସେମାନଙ୍କ ସହ ଆଲୋଚନା କରିଥିଲେ।
ସେମାନଙ୍କୁ ପୁଣିଥରେ ଆସିବାର କାରଣ ସମ୍ପର୍କରେ ପଚାରିଥିଲେ। ଏହି ସମୟରେ ଲାଲାଙ୍କ ପତ୍ନୀ କହିଥିଲେ ଯେ ତାଙ୍କ ସ୍ୱାମୀଙ୍କ ହତ୍ୟାରେ ମାନସ ଦାସଙ୍କ କୌଣସି ସମ୍ପୃକ୍ତି ନାହିଁ, ବରଂ ବେଲେଶ୍ୱର ପରିଡ଼ା ହିଁ ତାଙ୍କୁ ହତ୍ୟା କରିଛି। ତେବେ ଏନେଇ କୌଣସି ସ୍ମାରକପତ୍ର କିମ୍ବା ଲିଖିତ ଭାବେ ସମର୍ଥକଙ୍କ ପକ୍ଷରୁ ଦିଆ ଯାଇନଥିଲା। ଏହାପରେ ବର୍ଷା ପଡ଼ିବାରୁ ସେମାନେ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ନିକଟରେ ଅପେକ୍ଷା ନକରି ନିରବରେ ଚାଲିଚାଲି ପଲ୍ଲାଛକ ଯାଏଁ ଯାଇ ସେଠାରୁ ଯେଝା ଘରକୁ ଚାଲିଯାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/Manav-vadi-sapakhya-Dadhimachhgadia-peopele-1.jpeg)