ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଘୋଷଣା ଦାବିରେ ରାଲି

ଖୋର୍ଦ୍ଧା: ଖୋର୍ଦ୍ଧା ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଘୋଷଣା କରିବାକୁ ଆଜି ଖୋର୍ଦ୍ଧାର ଏକାଧିକ ପାଇକ ସଂଗଠନ ପକ୍ଷରୁ ରାଲି କରାଯାଇଛି। ଏଥିରେ ସ୍ଥାନୀୟ ରାଜନେତା ଓ ପାଇକ ଗୁରୁମାନେ ଯୋଗ ଦେଇଥିଲେ। ଐତିହାସିକ ବରୁଣେଇ ଠାରେ ୧୮୧୭ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଅବସରରେ ୨୦୧୯ ଡିସେମ୍ବର ୮ ତାରିଖରେ ରାଷ୍ଟ୍ରପତିଙ୍କ ଦ୍ୱାରା ପାଇକ ସ୍ମାରକୀର ଭିତ୍ତିଭୂମି ସ୍ଥାପନ ହୋଇଥିଲା। ଏହାର ଦୁଇବର୍ଷ ପୂର୍ତ୍ତି ଅବସରରେ ଆଜି ନ୍ୟୁ ଥିଂକିଂ ଫୋରମ୍, ରାଜ୍ୟ ପାଇକ ଏକାଡ଼େମୀ, ରାଜ୍ୟ ପାଇକ ଆଖଡ଼ା ସଂଘ ପକ୍ଷରୁ ବରୁଣେଇ ଠାରେ ଏକ ସଭାର ଆୟୋଜନ ହୋଇଥିଲା। ଏଥିରେ ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ, ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ପୂର୍ବତନ ବିଧାୟକ ଦିଲ୍ଲୀପ ଶ୍ରୀଚନ୍ଦନ, କଳିଙ୍ଗ ପାଇକ ସଂଗଠନର ସଭାପତି ବଂଶୀଧର ଜଗଦେ୍ଦବ, ରବୀନ୍ଦ୍ର ପରିଡ଼ା, ଆଇନଜୀବୀ ଶିଶିର ପରିଡ଼ା, ଅଧ୍ୟାପକ ଗୋପାଳକୃଷ୍ଣ ଦାସ ପ୍ରମୁଖ ଯୋଗ ଦେଇଥିଲେ। ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ପୂର୍ବ କୁଳପତି ମେଜର କ୍ଷୀରୋଦ ପ୍ରସାଦ ମହାନ୍ତିଙ୍କୁ ଖୋର୍ଦ୍ଧା ଗୌରବ, ଓଡ଼ିଶା ବୀର ମହାସଂଘ ସଭାପତି ପ୍ରକାଶ ଶ୍ରୀଚନ୍ଦନଙ୍କୁ ଗଜପତି ପ୍ରଥମ ରାମଚନ୍ଦ୍ର ଦେବ ସମ୍ମାନ, ଓଡ଼ିଶା ପାଇକ ସଂଗଠନର ସଭାପତି ଅଶୋକ ପାଲଟାସିଂହଙ୍କୁ କଳିଙ୍ଗଶ୍ରୀ ସମ୍ମାନ ଦିଆଯାଇଥିଲା।

Sambad

ଏହାପରେ ପାଇକ ସଂଗ୍ରାମକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବା ଦାବିରେ ପାଇକ ବେଶରେ ହାତରେ ଖଣ୍ଡା, ଢାଲ ଧରି ଏକ ରାଲି ବରୁଣେଇ ଠାରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା। ଏଥିରେ ସେଠାରେ ଅତିରିକ୍ତ ଜିଲ୍ଲାପାଳ ମନୋଜ ପାଢ଼ୀ ସେମାନଙ୍କ ଠାରୁ ଦାବିପତ୍ର ଗ୍ରହଣ କରିଥିଲେ। ଏନେଇ ନ୍ୟୁ ଥିଂକିଂ ଫୋରମ୍ର ସଭାପତି ନରେନ୍ଦ୍ର ପୃଷ୍ଟି କହିଛନ୍ତି ଯେ କେନ୍ଦ୍ରମନ୍ତ୍ରୀ ତାଙ୍କ ବିବୃତ୍ତି ପ୍ରତ୍ୟାହାର କରିବା ସହ ପାଇକ ସଂଗ୍ରାମକୁ ପ୍ରଥମ ସ୍ୱାଧୀନତା ଆନ୍ଦୋଳନ ମାନ୍ୟତା ମିଳିବା ଯାଏଁ ଏହି ଆନେଦାଳନ ଜାରି ରହିବ।

ସମ୍ବନ୍ଧିତ ଖବର