ରାମ ମନ୍ଦିର ଭୂମି ପୂଜନ ପାଇଁ ଉତ୍ସବମୁଖର ଦେଶ, ରାମତୀର୍ଥରେ ମନେପଡ଼ିଲେ ରଘୁନନ୍ଦନ

ବାଲେଶ୍ୱର(ରୁଦ୍ରରଂଜନ ଶେଜପଡ଼ା): ଦୀର୍ଘ ୪୯୨ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଛି। ଜନ୍ମଭୂମି ଅଯୋଧ୍ୟାରେ ନିର୍ମାଣ ହେବାକୁ ଯାଉଛି ମର୍ଯାଦା ପୁରୁଷ ପ୍ରଭୁ ରାମଚନ୍ଦ୍ରଙ୍କ ଭବ୍ୟ ମନ୍ଦିର। ତେବେ ଗତକାଲି ସେହି ମନ୍ଦିରର ଭୂମିପୂଜା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ସଂପନ୍ନ କରାଯାଇଛି। ଏପରି ଏକ ପବିତ୍ର ଦିନରେ ସାରାଦେଶ ରାମମୟ ହୋଇଛି। ‘ଶ୍ରୀରାମ’ ଧ୍ୱନିରେ ଗଗନ ପବନ କମ୍ପିଛି। ସମସ୍ତେ ଭାବରେ ବୁଡ଼ିଛନ୍ତି। ଏପରି ସମୟରେ ରାମଲାଲାଙ୍କୁ ନେଇ ରହିଥିବା ବିଭିନ୍ନ ପୌରାଣିକ କଥାବସ୍ତୁ ସ୍ମୃତିକୁ ରୋମନ୍ଥନ କରିଛି। ଖାଲି ସେତିକି ନୁହେଁ, ଶ୍ରୀରାମଙ୍କ ନାମରେ ପ୍ରତିଷ୍ଠିତ ପୌରାଣିକ ସ୍ଥାନ ସମୁହ ଉତ୍ସବମୁଖର ହୋଇ ଉଠିଛି। ସେମିତି ସ୍ଥାନଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ମୟୂରଭଂଜ ଜିଲ୍ଲାର ‘ରାମତୀର୍ଥ’।

ମୟୂରଭଂଜ ଜିଲ୍ଲା ଯଶିପୁର ସହରଠାରୁ ଅଳ୍ପ ଦୂରରେ ରହିଛି ପବିତ୍ର କ୍ଷେତ୍ର ‘ରାମତୀର୍ଥ’। ଶିମିଳିପାଳ ପାଦଦେଶରେ ଥିବା ଏହି ସ୍ଥାନ ପ୍ରାକୃତିକ ଶୋଭାରାଜିରେ ଭରପୂର। ସେହିପରି ପ୍ରଭୁ ରାମଚନ୍ଦ୍ର ଓ ମାତା ସୀତାଙ୍କ ବିଶ୍ରାମ ସ୍ଥଳ ଭାବେ ମଧ୍ୟ ପୁରାଣ ବିଦିତ। ଭାରତୀୟ ପୌରାଣିକ ଶାସ୍ତ୍ର କହେ ତ୍ରେତୟା ଯୁଗରେ ଶ୍ରୀରାମଚନ୍ଦ୍ର, ପତ୍ନୀ ମାତା ସୀତା ଓ ଭାଇ ଲକ୍ଷ୍ମଣଙ୍କ ସହ ବନବାସରେ ଥିଲେ। ଏହି ସମୟରେ ସେମାନେ ରାମତୀର୍ଥ ଅତିକ୍ରମ କରିଥିଲେ। ମାତା ସୀତା କ୍ଳାନ୍ତ ହୋଇ ଏଠାରେ କିଛି ସମୟ ବିଶ୍ରାମ କରିବା ସହ ବୋହିଯାଇଥିବା ଖଇରୀଭଣ୍ଡନ ନଦୀରେ ନିଜ ମୁହଁ ଧୋଇଥିଲେ। ସେବେଠାରୁ ଉକ୍ତ ସ୍ଥାନର ନାମ ‘ରାମତୀର୍ଥ’ ହେବା ସହ ପୌରାଣିକ କଥାର ଅଂଶ ପାଲଟିଯାଇଛି।

ବିଶ୍ୱାସ ରହିଛି, ଏଠିକାର ପଥର ଚଟାଣ ଉପରେ ଏବେ ବି ପ୍ରଭୁ ରାମଚନ୍ଦ୍ର ଓ ମାତା ସୀତାଙ୍କ ପାଦ ଏବଂ ବସିବା ସ୍ଥାନର ଆକୃତି ଦୃଶ୍ୟମାନ ହୁଏ। ଯାହାକୁ ଦେଖିବା ପାଇଁ ବର୍ଷର ବିଭିନ୍ନ ସମୟରେ ଏଠାକୁ ପର୍ଯ୍ୟଟକ ତଥା ଶ୍ରଦ୍ଧାଳୁମାନେ ଆସିଥାଆନ୍ତି। ବିଶେଷ କରି ମକର ପର୍ବ ସମୟରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥାଏ।

ରାମତୀର୍ଥରେ ପ୍ରଭୁ ରାମଚନ୍ଦ୍ର, ମାତା ସୀତା, ଲକ୍ଷ୍ମଣଙ୍କ ସହ ମହାଦେବ ତଥା ମହାବୀର ହନୁମାନଙ୍କ ଆସ୍ଥାନ ରହିଛି। ମହାଦେବଙ୍କ ମନ୍ଦିର ପ୍ରତିଷ୍ଠା ହୋଇଛି। ସେହିପରି ମହାବୀର ହନୁମାନ ମନ୍ଦିର ନିର୍ମାଣ କାମ ଆରମ୍ଭ କରାଯାଇଥିବା ବେଳେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ ସରିଛି। ସ୍ଥାନୀୟ ଖୋଲାଡ଼ି ଗାଁର ୩ ଜଣ ଆଧ୍ୟାତ୍ମ୍ୟବାଦୀ ବୈଷ୍ଣବଚରଣ ପାତ୍ର, ସ୍ୱର୍ଗତ ପୁରୁଷୋତ୍ତମ ପାତ୍ର ଓ ଦେବଶରଣ ପାତ୍ରଙ୍କ ଉଦ୍ୟମରେ ମନ୍ଦିର ସମୁହ ନିର୍ମାଣ ସମ୍ଭବ ହେଉଛି, ଯେଉଁମାନେ ସଂପର୍କୀୟ। ବୈଷ୍ଣବଚରଣ ମହାଦେବ ମନ୍ଦିର ନିର୍ମାଣ କରାଇଥିବା ବେଳେ ଦେବଶରଣ ହନୁମାନ ମନ୍ଦିର ନିର୍ମାଣ କରାଉଛନ୍ତି। ସେହିପରି ପୁରୁଷୋତ୍ତମ ମନ୍ଦିରର ଭୂମି ପୂଜନ ସାରିଥିଲେ, କିନ୍ତୁ ତାଙ୍କ ମୃତ୍ୟୁ ଯୋଗୁ ନିର୍ମାଣ କାମ ଆରମ୍ଭ ହୋଇପାରିନି।

ତେବେ ଜନ୍ମଭୂମି ଅଯୋଧ୍ୟାରେ ନିର୍ମାଣ ହେବାକୁ ଯାଉଥିବା ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପାଇଁ ଗତକାଲି ଭୂମିପୂଜା ହୋଇଥିବା ବେଳେ ସାରା ଦେଶରେ ଭାବମୟ ପରିବେଶ ସୃଷ୍ଟି ହୋଇଛି। ଏପରି ସମୟରେ ରାମଲାଲାଙ୍କୁ ନେଇ ପୁରାଣ ବର୍ଣ୍ଣିତ ରାମତୀର୍ଥ ମଧ୍ୟ ଚଳଚଂଚଳ ହୋଇଉଠିଛି। ପ୍ରଭୁ ରାମଚନ୍ଦ୍ର, ମାତା ସୀତା ଓ ଲକ୍ଷ୍ମଣଙ୍କ ଉଦ୍ଦେଶ୍ୟରେ ପୂଜାର୍ଚନା କରାଯାଇଛି। ଆଗାମୀ ଦିନରେ ଏଠାରେ ଅଯୋଧ୍ୟା ପରି ପ୍ରଭୁ ରାମଚନ୍ଦ୍ରଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଉଦ୍ୟମ କରାଯାଉଛି ବୋଲି ଲଳିତ କୁମାର ପାତ୍ର କହିଛନ୍ତି।

ସୂଚନା ଥାଉ କି ରାମ ମନ୍ଦିର ଭୂମି ପୂଜନ ପାଇଁ ଗତ ଜୁଲାଇ ୩୦ ତାରିଖ ଦିନ ରାମତୀର୍ଥରେ ସ୍ୱତନ୍ତ୍ର ପୂଜାର ଆୟୋଜନ କରାଯାଇଥିଲା। ଏଠାରୁ ମାଟି ଓ ଜଳ ସଂଗ୍ରହ କରି ଅଯୋଧ୍ୟା ପଠାଯାଇଥିଲା। ଯାହା ଗତକାଲି ସେଠାରେ ଆୟୋଜିତ ପୂଜାରେ ଲାଗି ହୋଇଛି।

ସମ୍ବନ୍ଧିତ ଖବର