ବ୍ଲକ ପ୍ରତିଷ୍ଠାକୁ ପୁରିଲା ୬୦ ବର୍ଷ, ବିକାଶଠୁ ବହୁ ଦୂରରେ ରାମନାଗୁଡ଼ା

ରାୟଗଡ଼ା: ବ୍ଲକ ପ୍ରତିଷ୍ଠାକୁ ପୁରିଲାଣି ୬୦ ବର୍ଷ। ଅଥଚ ଆଜି ପର୍ଯ୍ୟନ୍ତ ବ୍ଲକ ସଦର ମହକୁମାରେ ପ୍ରତିଷ୍ଠା ହୋଇପାରିନି ଥାନା ଓ ଦମକଳ କେନ୍ଦ୍ର। ଉଚ୍ଚଶିକ୍ଷା ପାଇଁ ସରକାରୀ କଲେଜ ନଥିବା ବେଳେ ରାଜରାସ୍ତା ଉପରେ ଚାଲିଛି ବସଷ୍ଟାଣ୍ଡ। ଗୁଣପୁର ସବଡିଭିଜନରୁ ମାତ୍ର ୩୦ କିମି ଦୂରରେ ରହି ସରକାରଙ୍କ ସମସ୍ତ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ବିକାଶଠୁ ବହୁ ଦୂରରେ ରହିଯାଇଛି ରାମନାଗୁଡ଼ା ବ୍ଲକ। ୧୯୬୧ ମସିହା ଅକ୍ଟୋବର ୧ ତାରିଖରେ ପ୍ରତିଷ୍ଠା ହୋଇଥିବା ରାମନାଗୁଡ଼ା ବ୍ଲକ ରାୟଗଡ଼ା ଜିଲ୍ଲା ଗଠନ ପୂର୍ବରୁ ଅବିଭକ୍ତ କୋରାପୁଟ ଜିଲ୍ଲା ଅଧୀନରେ ଥିଲା। ୩୧୨.୨୨ ବର୍ଗ କିଲୋମିଟର ବିଶିଷ୍ଟ ଏହି ବ୍ଲକ ଅଧୀନରେ ୧୨ଟି ପଞ୍ଚାୟତ, ୧୨୦ଟି ରାଜସ୍ବ ଗ୍ରାମ, ୧୩୦ଟି ହାମଲେଟ୍ (ଛୋଟ ଗାଁ) ରହିଛି। ୪୫୬୯୯ ଜନସଂଖ୍ୟା ମଧ୍ୟରୁ ସର୍ବାଧିକ ୨୯୦୨୪ ଆଦିବାସୀ, ୪୫୩୮ ଅନୁସୂଚିତ ଜାତି ଓ ୧୨୧୩୭ ଅନ୍ୟ ସଂପ୍ରଦାୟର ଲୋକ ବାସ କରୁଛନ୍ତି। ଗୁଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ରାଜନୀତିର ଗୋଟି ଚାଳନା ଏହି ବ୍ଲକରୁ ହେଉଥିବା ବେଳେ ଅଞ୍ଚଳର ବହୁ ରାଜନେତା ବିଗତ ଦିନରେ ବିଧାୟକ ସହ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। କିନ୍ତୁ ରାମନାଗୁଡ଼ାର ଭାଗ୍ୟ ବଦଳାଇବାରେ ସକ୍ଷମ ହୋଇ ନାହାଁନ୍ତି। ବ୍ଲକ ସଦର ମହକୁମାରେ ଥାନାଟିଏ ନଥିବାରୁ ବିଭିନ୍ନ ମାମଲାରେ ନ୍ୟାୟ ପାଇଁ ୩୦ କିମି ଦୂରରେ ଥିବା ଗୁଣପୁର, ଗୁଡ଼ାରି ଥାନାକୁ ବ୍ଲକବାସୀ ‌ଦୌଡ଼ୁଛନ୍ତି। କାମଚଳା ଭାବେ ରାମନାଗୁଡ଼ା ଓ ଗୁମୁଡ଼ାରେ ପୁଲିସ ଫାଣ୍ଡି କରାଯାଇଛି। କିନ୍ତୁ ଆବଶ୍ୟକ କର୍ମଚାରୀ ନଥିବାରୁ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିଲେ ଗୁଣପୁରରୁ ଥାନା କର୍ତ୍ତୃପକ୍ଷଙ୍କୁ ଦୌଡ଼ି ଆସିବାକୁ ପଡୁଛି। ଜରୁରିକାଳୀନ ସହାୟତା, ଅଗ୍ନି ନିରାପତ୍ତା ବ୍ୟବସ୍ଥା କ୍ଷେତ୍ରରେ ମଧ୍ୟ ସମାନ୍ ଅବସ୍ଥା।

୧୨ କିମି ଦୂରରେ ଥିବା ଏକ ମାତ୍ର ଗୁମୁଡ଼ା ଦମକଳ କେନ୍ଦ୍ର ଉପରେ ପୂରା ବ୍ଲକବାସୀ ନିର୍ଭରଶୀଳ। ସେହିପରି ହାଇସ୍କୁଲ୍ ପରେ ଉଚ୍ଚଶିକ୍ଷା ଲାଗି ସରକାରୀ କଲେଜଟିଏ ନଥିବାରୁ ଗୁମୁଡ଼ା, ଗୁଣପୁର, ପଦ୍ମପୁର, ରାୟଗଡ଼ା କଲେଜକୁ ପଢ଼ିବାକୁ ଆସୁଛନ୍ତି ଛାତ୍ରଛାତ୍ରୀ। କେବଳ ଏତିକି ନୁହେଁ ବସଷ୍ଟାଣ୍ଡ ନଥିବାରୁ ରାଜରାସ୍ତା ଉପରେ ଯାତ୍ରୀବାହୀ ବସ୍ ଅଟକି ରହି ଚଳାଚଳ କରୁଛି। ଜାଗା ଚିହ୍ନଟ ସମସ୍ୟା ଯୋଗୁ ଦୀର୍ଘବର୍ଷ ହେଲା ମିନି ଷ୍ଟାଡ଼ିୟମ୍ ନିର୍ମାଣ ମଧ୍ୟ ଅଟକି ରହିଛି। ବ୍ଲକର ସଂରକ୍ଷିତ ଜଙ୍ଗଲ, ଭାମିନି ବଂଶଧାରା କୂଳକୁ ଆସିଥିବା ବିଦେଶାଗତ ପକ୍ଷୀଙ୍କ ସୁରକ୍ଷା ମଧ୍ୟ ଅତିରିକ୍ତ ଦାୟିତ୍ବରେ ଚାଲିଛି। ଗୁଣପୁର ଫରେଷ୍ଟ୍ ରେଞ୍ଜରଙ୍କ ଅଧୀନରେ ଥିବା ଫରେଷ୍ଟର୍ ଓ ଗାର୍ଡ ସମସ୍ତ କାମକୁ ତଦାରଖ କରୁଛନ୍ତି। ଆନ୍ଧ୍ର-ଓଡ଼ିଶା ସୀମା ବିବାଦକୁ ନେଇ ଚର୍ଚ୍ଚା ଥମୁନଥିବା ବେଳେ ଏହି ବ୍ଲକର ଗୋଗୁପାଡ଼ୁ ରାଜସ୍ବ ସର୍କଲର ୫ଟି, ଗାରଣ୍ଡା ରାଜସ୍ବ ସର୍କଲର ୩ଟି ମୋଟ ୮ଟି ଗାଁ ଆନ୍ଧ୍ର ସୀମାନ୍ତକୁ ଲାଗିଛି। ଉଭୟ ରାଜ୍ୟର ସୀମା ଦୂରତା ମାତ୍ର ୫ରୁ ୧୦ ମିଟର। ଫେବ୍ରୁଆରୀରେ ଶେଷ ହୋଇଥିବା ଆନ୍ଧ୍ର ପଞ୍ଚାୟତ ନିର୍ବାଚନ ସମୟରେ ଓଡ଼ିଶାର ସମସ୍ତ ଗାଁ ଉପରେ ଆନ୍ଧ୍ର ନଜର ରଖିଥିବା ବେଳେ ଲାଉଗୁଡ଼ାକୁ ନେଇ ଚିନ୍ତିତ ଥିଲା ଓଡ଼ିଶା। ବ୍ଲକର ବିକାଶ ପାଇଁ ସରକାର ବାର୍ଷିକ ଶହଶହ କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଲୋକଙ୍କୁ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବାରେ କାହିଁକି ବିଳମ୍ବ କରୁଛନ୍ତି ବୋଲି ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି?

ସମ୍ବନ୍ଧିତ ଖବର