ଢେଙ୍କାନାଳ : ହାତୀ ଓ ମାଙ୍କଡ ସ୍କ୍ୱାଡ୍ କର୍ମଚାରୀଙ୍କ ରେଞ୍ଜ ଅଫିସ ଘେରାଉ

ଢେଙ୍କାନାଳ: ସଦର ରେଞ୍ଜରେ କାର୍ଯ୍ୟକରୁଥିବା ହାତୀ ଓ ମାଙ୍କଡ ସ୍କ୍ୱାଡ୍ କର୍ମଚାରୀମାନଙ୍କୁ ନିଆଁ ଲିଭାଇବା, ହାତୀ ଘଉଡାଇବା ଆଦି କାର୍ଯ୍ୟ ସହ ଅଧିକାରୀଙ୍କ ଘରେ କାମ କରିବାକୁ ବାଧ୍ୟ କରାଯାଉଛି । ଘରେ କାମ କରିବାକୁ ମନା କଲେ କର୍ମଚାରୀଙ୍କୁ ଚାକିରୀରୁ ବାହାର କରିଦିଆଯାଉଥିବା ଭଳି ଅଭିଯୋଗ ଆଣିଛନ୍ତି ସ୍କ୍ୱାଡ୍ କର୍ମଚାରୀମାନେ । ଏହାର ପ୍ରତିବାଦରେ କର୍ମଚାରୀମାନେ ଆଜି ସଂଧ୍ୟାରେ ସଦର ରେଞ୍ଜ କାର୍ଯ୍ୟାଳୟକୁ ତାଲାପକାଇବା ସହ ଧାରଣାରେ ବସିଥିଲେ ।

ସ୍କ୍ୱାର୍ଡ କର୍ମଚାରୀଙ୍କ ଅଭିଯୋଗ ଅନୁଯାୟୀ, ଢେଙ୍କାନାଳ ସଦର ବନାଂଚଳର ୬ଟି ସେକ୍ସନରେ ହାତୀ ଏବଂ ମାଙ୍କଡ ସ୍କ୍ୱାଡରେ ୭୯ ଜଣ କର୍ମଚାରୀ କାର୍ଯ୍ୟ କରୁଛନ୍ତି । ସେମାନଙ୍କୁ ନିଆଁ ଲିଭାଇବା, ଶିକାରୀଙ୍କୁ ଧରିବା, କାଠଚୋର ଧରିବା ଆଦି କାର୍ଯ୍ୟରେ ନିୟୋଜିତ କରାଯାଉଥିବା ବେଳେ ବିଭିନ୍ନ ସମୟରେ ଅଧିକାରୀମାନଙ୍କ ବ୍ୟକ୍ତିଗତ କାମରେ ମଧ୍ୟ ଲଗାଉଛନ୍ତି । ୮ଘଂଟା କାର୍ଯ୍ୟକରିବାକୁ ନିୟମ ରହିଥିଲେ ମଧ୍ୟ ୨୪ ଘଂଟା ଖଟାଯାଉଛି, କର୍ମଚାରୀମାନଙ୍କ ଇଏସ୍‌ଆଇ କଟୁଥିଲେ ମଧ୍ୟ ସେ ସଂପର୍କରେ କୌଣସି କାଗଜପତ୍ର ଦିଆଯାଉନାହିଁ, ଘରୋଇ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଛି, ନହେଲେ ଚାକିରୀରୁ ବାହାରକରି ଦେବାକୁ ଧମକ ଦିଆଯାଉଛି ବୋଲି ସ୍କ୍ୱାଡ୍ କର୍ମଚାରୀମାନେ ଅଭିଯୋଗ ଆଣିଛନ୍ତି । ସେହିପରି ଗତ ୬ ବର୍ଷ କାର୍ଯ୍ୟକରୁଥିବା ହାତୀ ଜଗୁଆଳି ସଞ୍ଜୟ ସେନାପତିଙ୍କୁ ଗତ ୧୮ ତାରିଖରେ ସଦର ରେଞ୍ଜର କାର୍ଯ୍ୟରୁ ନିବୃତ କରିଦେଇଛନ୍ତି । ଏହାର ପ୍ରତିବାଦରେ ଆଜି ସଂଧ୍ୟାରେ ସ୍କ୍ୱାଡ୍ କର୍ମଚାରୀମାନେ ସଦର ରେଞ୍ଜ କାର୍ଯ୍ୟାଳୟରେ ପହଚି ବିକ୍ଷୋଭ କରିବା ସହ କାର୍ଯ୍ୟାଳୟକୁ ବାହାରୁ ତାଲା ପାକାଇ ଧାରଣାରେ ବସିରହିଥିଲେ । ସେମାନଙ୍କ ଦାବି ପୂରଣ ନହେବା ପର୍ଯ୍ୟନ୍ତ ସେମାନେ ଧାରଣାରୁ ଉଠିବେ ନାହିଁ ଅଡି ବସିଥିଲେ । ଖବର ପାଇ ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଏସିଏଫ୍ ସୁବତ୍ର କୁମାର ପାତ୍ର ଘଟଣା ସ୍ଥଳରେ ପହଂଚି କର୍ମଚାରୀମାନଙ୍କୁ ବୁଝାସୁଝା କରିଥିଲେ । ସେମାନଙ୍କ ଦାବି ପୁରଣ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶୃତି ଦେବା ପରେ କର୍ମଚାରୀମାନେ କାର୍ଯ୍ୟାଳୟର ତାଲାଖୋଲିବା ଓ ଧାରଣାକୁ ପ୍ରତ୍ୟାହୃତ କରିଥିଲେ । ଅଧିକାରୀମାନେ କର୍ମଚାରୀଙ୍କୁ ନିଜ ଘରେ କାର୍ଯ୍ୟକରାଉଥିବା ସଂପର୍କରେ ଅଭିଯୋଗ ଆସିଲେ ସଂପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସିଏଫ୍ ଶ୍ରୀ ପାତ୍ର ପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର