କରୋନା ଆହ୍ବାନର ମୁକାବିଲା କଲେ ଯୁବ ଉଦ୍ୟୋଗୀ ରଂଜନ; ଶିଳ୍ପବିହୀନ ଜିଲ୍ଲାରେ ଗଢିଲେ କପଡ଼ା ଉଦ୍ୟୋଗ

ରାଜନଗର: ଟେକ୍ସଟାଇଲ କମ୍ପାନିରେ ପ୍ରଡକ୍ସନ ମ୍ୟାନେଜର ଚାକିରି କରିଥିଲେ। କରୋନା କାଳରେ ଚାକିରି ଛାଡ଼ି ଗାଁକୁ ଫେରିଥିଲେ। ଏବେ ସେ ଗାଁରେ କପଡ଼ା ଉଦ୍ୟୋଗ ଆରମ୍ଭ କରିଛନ୍ତି। ଲକ୍‌ଡାଉନ ବେଳେ କେରଳ ଫେରନ୍ତା ଯୁବତୀଙ୍କ ସହ ୫୨ଜଣଙ୍କୁ କର୍ମ ନିଯୁକ୍ତି ଯୋଗାଇ ଦେଇଛନ୍ତି। ସରକାରୀ ସହାୟତାକୁ ଆଶା ନ କରି ଶିଳ୍ପବିହୀନ କେନ୍ଦ୍ରାପଡା ଜିଲ୍ଲାରେ କପଡ଼ା ଉଦ୍ୟୋଗ ପ୍ରତିଷ୍ଠା କରି ଶିଳ୍ପର ଆଶା ସଂଚାର କରିଥିବା ଏହି ଯୁବକ ଜଣଙ୍କ ହେଉଛନ୍ତି ପଟ୍ଟାମୁଣ୍ତାଇ ବ୍ଲକ ଗୁଣ୍ଠି ଗାଁର ରଂଜନ କୁମାର ସାହୁ। ରଂଜନ ଦୀର୍ଘ ୨୧ ବର୍ଷ ହେଲା ବିଭିନ୍ନ କପଡ଼ା ଉଦ୍ୟୋଗ‌ରେ କାମ କରି ଆସୁଥିଲେ। ଦିଲ୍ଲୀ, ନେପାଳ, ବାଙ୍ଗାଲୋର ପରେ କଲିକତାର ଏକ କମ୍ପାନିରେ ପ୍ରଡକ୍ସନ ମ୍ୟାନେଜର ଭାବେ କାମ କରୁଥିଲେ। ଏହି ସମୟରେ ବହୁ ଅଭିଜ୍ଞତା ହାସଲ କରିଥିଲେ।

Sambad

ଲକ୍‌ଡାଉନରେ କମ୍ପାନି ବନ୍ଦ ହେବା ପରେ ଗାଁକୁ ଫେରିଥିଲେ। ଏହି ସମୟରେ କେରଳରେ ଏକ କପଡ଼ା ଉଦ୍ୟୋଗରେ କାମ କରୁଥିବା ୧୫୦ ଜଣ ଯୁବତୀ ଗାଁକୁ ଫେରିବା ପାଇଁ ହିନସ୍ତା ଭୋଗିଥିଲେ। ଖାଇବାପିଇବାକୁ ନ ପାଇ ଶେଷରେ ବଲିଉଡ ଅଭିନେତା ସୋନୁ ସୁଦ୍‌ଙ୍କ ଖର୍ଚ୍ଚରେ ବିମାନ ଯୋଗେ ଗାଁକୁ ଫେରିଥିଲେ। ଏହି ଯୁବତୀମାନଙ୍କ ହିନସ୍ତା ରଂଜନଙ୍କୁ ବ୍ୟଥିତ କରିଥିଲା। ଶେଷରେ ଗାଁରେ ଏକ କପଡ଼ା ଉଦ୍ୟା‌ଗ ଖୋଲି ଅଞ୍ଚଳର ଯୁବତୀମାନଙ୍କୁ କର୍ମସଂସ୍ଥାନ ଯୋଗାଇ ଦେବାକୁ ମନସ୍ଥ କରିଥିଲେ ରଂଜନ। ମାଟ୍ରିକ ଫେଲ ହୋଇଥିଲେ ବି ଦୀର୍ଘ ୨୧ ବର୍ଷ ଧରି ସାଉଁଟିଥିବା ଅଭିଜ୍ଞତା ତାଙ୍କୁ ଏ ଦିଗରେ ଆଗକୁ ବଢିବାରେ ସହାୟକ ହୋଇଥିଲା। ଗାଁରେ ୩ ହଜାର ବର୍ଗଫୁଟର ଏକ କୋଠା ନିର୍ମାଣ କରିବା ସହ ୧ କୋଟି ୨୫ ଲକ୍ଷ ଟଙ୍କା ବ୍ୟୟ କରି ପ୍ରତିଷ୍ଠା କରିଛନ୍ତି ‘ରୟାଲ ଗ୍ରିନ ଗାର୍ମେଣ୍ଟ୍‌ସ’। ଗତ ଜାନୁଆରି ୨୬ରେ ବିଧାୟକ ଧ୍ରୁବ ସାହୁ ଏହାକୁ ଉଦ୍‌ଘାଟନ କରିଥିଲେ। ସେ କଲିକତା, ସୁରଟ ଓ ମୁମ୍ବାଇରୁ କପଡା ଓ କଞ୍ଚା ମାଲ ଆଣି କପଡ଼ା ପ୍ରସ୍ତୁତ କରୁଛନ୍ତି।

ମାର୍ଚ୍ଚ ମାସରେ ବାଲେଶ୍ବର, ବ୍ରହ୍ମପୁର ସହିତ ଅନ୍ୟ ଅଞ୍ଚଳର ବ୍ୟବସାୟୀଙ୍କୁ କପଡ଼ା ଯୋଗାଇବା ପାଇଁ ନିଷ୍ପତ୍ତି ହୋଇଛି। ନିଜ ଉଦ୍ୟୋଗରେ ସେ ୪୭ଜଣ ମହିଳାଙ୍କ ସମେତ ୫୨ଜଣଙ୍କୁ ନିଯୁକ୍ତି ଦେଇଛନ୍ତି। ଏଥିରେ ଅଛନ୍ତି କେରଳରୁ ଫେରିଥିବା ୧୪ ଯୁବତୀ। କଲିକତାର ୩ ଜଣ ପ୍ରଶିକ୍ଷକଙ୍କ ମାଧ୍ୟମରେ ଯୁବତୀମାନଙ୍କୁ ପ୍ରଶିକ୍ଷଣ ବି ଦେଇଛନ୍ତି। ଆଗାମୀ ଦିନରେ ତାଙ୍କ ଉତ୍ପାଦନ ବୃଦ୍ଧି ସହ ଅଧିକ ଯୁବତୀଙ୍କୁ ନିଯୁକ୍ତି ଦେବାର ଲକ୍ଷ୍ୟ ରଖିଛନ୍ତି ସେ। କେନ୍ଦ୍ରାପଡା ଏକ ଶିଳ୍ପବିହୀନ ଜିଲ୍ଲା ହୋଇଥିବା ବେଳେ ରଂଜନ ଗାଁରେ କପଡ଼ା ଉଦ୍ୟୋଗ ଖୋଲିବା ନୂଆ ଆଶା ସଂଚାର କରିଛି। ବେକାର ଯୁବକମାନେ ଏଭଳି ଉଦ୍ୟୋଗ ସ୍ଥାପନ କରିବାକୁ ସେ ଆହ୍ବାନ ଦେଇଛନ୍ତି।

ସମ୍ବନ୍ଧିତ ଖବର