ରାୟଗଡା: ଗତ ବର୍ଷ ତିନୋଟି କାଠ ପୋଲ କରି ଚର୍ଚ୍ଚାରେ ରହିଥିବା ବେଳେ ଚଳିତ ବର୍ଷାରେ ଏହି ତିନୋଟି ପୋଲ ଭାସି ଯିବା ଫଳରେ ପୁଣି ସେହି ତିନୋଟି ସ୍ଥାନରେ ନୂତନ ଭାବେ କାଠ ପୋଲ ନିର୍ମାଣ କରି ତିନୋଟି ଜିଲ୍ଲା ତଥା ରାୟଗଡା, କଳାହାଣ୍ଡି ଓ ନବରଙ୍ଗପୁରର ସଂଯୋଗ ପଥକୁ ଯୋଗାଯୋଗ କରାଇବାରେ ରଞ୍ଜିତ ନାୟକଙ୍କ ଏହି ସମାଜସେବା ସଂପର୍କରେ ବେଶ ଚର୍ଚ୍ଚା ହେଉଛି । ନିଜର ପରିଶ୍ରମ ଓ ସମ୍ବଳ ଖର୍ଚ୍ଚ କରି ଲୋକଙ୍କ ପାଇଁ ଗମନାଗମନର ସୁଗମ୍ୟ ସୁବିଧା କରିଥିବା ଡଙ୍ଗାସିଲ ପଞ୍ଚାୟତ ଅନ୍ତର୍ଗତ ଜିପଞ୍ଜରା ଗ୍ରାମର ରଞ୍ଜିତ ନାଏକଙ୍କ ଚିନ୍ତାଧାରା ଓ ଉତ୍ସର୍ଗୀକୃତ ସମାଜସେବା ପ୍ରତି ଥିବା ମନୋଭାବ ତାଙ୍କୁ ଏହି କାଠ ପୋଲ ତିଆରି ପାଇଁ ପ୍ରେରଣା ଯୋଗାଉଛି। ରଞ୍ଜିତ ପେଶାରେ ଜଣେ ଡ୍ରାଇଭର ହୋଇଥିବା ବେଳେ ତାଙ୍କର ଏହି କାର୍ଯ୍ୟ ରାୟଗଡ଼ା ଜିଲ୍ଲାରେ ଏକ ସମାଜସେବୀ ଭାବେ ପ୍ରତିଷ୍ଠା କରି ପାରିଛି। ପ୍ରକାଶ ଥାଉକି ଗତ ବର୍ଷ ନିଜ ସ୍ତ୍ରୀର ସୁନା ଗହଣା ବନ୍ଧା ପକେଇ ନିଜେ ନିଜ ବାପାଙ୍କ ସହ ଦିନ ରାତି ପରିଶ୍ରମ କରି ୭୦ହଜାର ଟଙ୍କା ଖର୍ଚ୍ଚରେ ସେହି କାଠ ପୋଲ ତିନୋଟି ନିର୍ମାଣ କରିଥିଲେ। କିନ୍ତୁ ଭାଗ୍ୟର ବିଡମ୍ବନା ଓ ପ୍ରକୃତିର ତାଣ୍ଡବରେ ଏହି କାଠ ପୋଲଗୁଡିକ ଗତ ୬ ମାସ ତଳେ ପାଣିରେ ଭାସି ଯାଇଥିଲେ ମଧ୍ୟ ଏହି ଘଟଣା ପରେ ରଞ୍ଜିତଙ୍କ ମନୋବଳ ଭାଙ୍ଗିନଥିଲା ଏବଂ ପୁଣି ଲାଗି ପଡ଼ିଲେ |

Advertisment

ରଞ୍ଜିତଙ୍କ କହିବାନୁଯାୟୀ ଏହି କାଠ ପୋଲ ତିଆରି କରିବା ପାଇଁ ତାଙ୍କୁ ପ୍ରାୟ ୬ ମାସ ସମୟ ଅବଧି ଲାଗିଥିବା ବେଳେ ଏହି କାର୍ଯ୍ୟରେ ତାଙ୍କର ୬୫ ବର୍ଷର ବୃଦ୍ଧ ବାପା ଶିବ ନାଏକ ତାଙ୍କୁ ସର୍ବଦା ସହାୟତା କରିବା ସହ ତାଙ୍କ ସହ ପରିଶ୍ରମ କରିଛନ୍ତି। ଏହି ତିନୋଟି ନୂତନ କାଠ ପୋଲ ନିର୍ମାଣ ପାଇଁ ପ୍ରାୟ ଲକ୍ଷାଧିକ ଟଙ୍କା ନିଜେ ଧାର ଉଧାର କରି ଏହି କାର୍ଯ୍ୟ ସମ୍ପୂର୍ଣ୍ଣ କରିଥିବା ବେଳେ ସରକାର କିମ୍ୱା ପ୍ରଶାସନ ପକ୍ଷରୁ କୌଣସି ସହାୟତା ମିଳିନଥିବା ରଞ୍ଜିତ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଏହି ନଦୀ ପାର କରି ପ୍ରାୟ କାଶୀପୁର ବ୍ଳକର ଶତାଧିକ ଗାଁର ଲୋକ ନିଜ ନିଜର କାର୍ଯ୍ୟସାଧନ ଓ ବ୍ୟବସାୟ ପାଇଁ ଇନ୍ଦ୍ରାବତୀ, ମୁଖିଗୁଡ଼ା, ନବରଙ୍ଗପୁର ଆଦି ସହରକୁ ଯାଇଥାନ୍ତି। ପୁର୍ବରୁ ଏହି ପାହାଡିଆ ନଦୀ ସବୁବେଳେ ଅଞ୍ଚଳବାସୀଙ୍କ ପାଇଁ ବାଡ ସଦୃଶ୍ୟ ଥିବା ଓ ଏହି ନଦୀ ପାର କଲାବେଳେ ଅନେକ ଦୁର୍ଘଟଣା ଘଟି ମୃତାହତ ହେବା ଭଳି ଦୃଶ୍ୟ ଦେଖିବାକୁ ମିଳୁଥିଲା। ସବୁବେଳେ ଘଟୁଥିବା ଦୁର୍ଘଟଣାକୁ ରଞ୍ଜିତ ସହ୍ୟ କରିନପାରି ଏଭଳି ସମାଜସେବା କାର୍ଯ୍ୟ ପାଇଁ ଏକାକୀ ମନ ବଳେଇ ସମ୍ପୂର୍ଣ୍ଣ କରିଥିବା ଏକ ମହତ୍ କାର୍ଯ୍ୟ ସହ ସମସ୍ତ ଅଞ୍ଚଳବାସୀ ପାଇଁ ଏକ ଉଦାହରଣ ସାଜିଛନ୍ତି।

ଯାହାଫଳରେ ତାଙ୍କୁ ବିଭିନ୍ନ ବୁଦ୍ଧିଜୀବି ମହଲରୁ ଏଭଳି ମହତ୍ ସେବା କାର୍ଯ୍ୟପାଇଁ ଶୁଭେଚ୍ଛା ମିଳିବା ସହ ସମ୍ମାନିତ ମଧ୍ୟ ହୋଇଛନ୍ତି। ସେ ଏ ନେଇ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି ଯେ ତାଙ୍କର ପରିଶ୍ରମର କାଠପୋଲ ପ୍ରତି ବର୍ଷ ବର୍ଷା ଦିନରେ ବଢ଼ି ପାଣି ଯୋଗୁଁ ଭାସିଯାଇଥିବା ବେଳେ ଏହି ତିନୋଟି ନଦୀ ଉପରେ ଯଦି ସ୍ଥାୟୀ ପୋଲ କାର୍ଯ୍ୟ କରାଯାଇଥାନ୍ତା ତାହେଲେ ପ୍ରାୟ ଏହା ଉପରେ ଭରଷା କରୁଥିବା ଶହେରୁ ଉର୍ଦ୍ଧ୍ବ ଗ୍ରାମବାସୀ ଉପକୃତ ହେବା ସହ ବହୁ ସମସ୍ୟାରୁ ମୁକୁଳି ପାରିଥାନ୍ତେ ବୋଲି ନେହୁରା ହୋଇଥିଲେ।