ଖଲ୍ଲିକୋଟ: ପରିବାର ପ୍ରତିପୋଷଣ ପାଇଁ ଗଞ୍ଜାମ ଜିଲ୍ଲାରୁ ବିଭିନ୍ନ ରାଜ୍ୟ ଓ ବିଦେଶକୁ ଯାଉଥିବା ଦାଦନ ଶ୍ରମିକଙ୍କ ଦୁଃଖ ଓ ଯନ୍ତ୍ରଣାର ଅନ୍ତ ଘଟୁନି। କିଏ ଅକାଳରେ ପ୍ରାଣ ହରାଉଛନ୍ତି ତ ଆଉ କିଏ ନିର୍ଯାତିତ ହେଉଛି। ୪ ମାସରେ ୨୪ରୁ ଅଧିକ ଶ୍ରମିକଙ୍କ ମୃତ୍ୟୁ ଏହାର ଜ୍ବଳନ୍ତ ଉଦାହରଣ। ଏଭଳି ପରିସ୍ଥିତିରେ ଦୁବାଇରେ ଜଣେ ଦାଦନ ଶ୍ରମିକ ଦୁର୍ଘଟଣାରେ ଗୁରୁତର ହୋଇ ମୃତ୍ୟୁ ସହ ଲଢ଼ୁଥିବା ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ସେ ହେଉଛନ୍ତି, ଖଲ୍ଲିକୋଟ ଥାନା ମାଣିକ୍ୟପୁର ଗ୍ରାମ ସତବନ୍ଧ ସାହିର ଗନ୍ଧର୍ବ ମଲ୍ଲିକଙ୍କ ପୁଅ ରାନୁ ମଲ୍ଲିକ (୪୪)।
୨୦୨୧ ମସିହା ଜାନୁଆରି ୨୭ ତାରିଖରେ ରାନୁ ଜଣେ ଏଜେଣ୍ଟ୍ଙ୍କ ଜରିଆରେ ଦୁବାଇର ଏକ କମ୍ପାନିକୁ ଶ୍ରମିକ ଭାବେ କାମ କରିବାକୁ ଯାଇଥିଲେ। କମ୍ପାନି ପକ୍ଷରୁ ଭଲ ଦରମା ସାଙ୍ଗକୁ ଖାଇବାପିଇବା ଓ ଅସୁସ୍ଥ ବେଳେ ଔଷଧ ଖର୍ଚ୍ଚ ବହନ କରାଯିବ ବୋଲି ଚୁକ୍ତି କରାଯାଇଥିଲା। ଅଢ଼େଇ ବର୍ଷ ଧରି ରାନୁ ସେଠାରେ କାମ କରୁଥିଲେ।
ଚଳିତମାସ ୨୧ ତାରିଖରେ ରାନୁ କମ୍ପାନିର ଏକ ବସ୍ରେ କର୍ମସ୍ଥଳକୁ ଯାଉଥିବା ବେଳେ ହଠାତ୍ ଦୁର୍ଘଟଣାରେ ଗୁରୁତର ହୋଇଥିଲେ। ତାଙ୍କୁ ସେଠାକାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଆଶ୍ଚର୍ଯ୍ୟଜନକ ଭାବେ କମ୍ପାନି କର୍ତ୍ତୃପକ୍ଷ ଦୁର୍ଘଟଣା ବିଷୟରେ ରାନୁଙ୍କ ପରିବାରଲୋକଙ୍କୁ ଜଣାଇ ନଥିଲେ। ଗତକାଲି ରାନୁଙ୍କ ଜଣେ ସହଯୋଗୀ ସେମାନଙ୍କୁ ଫୋନ୍ କରି ଜଣାଇଥିଲେ।
ଏହା ଜାଣିବା ପରେ ରାନୁଙ୍କ ପରିବାର ଉପରେ ଦୁଃଖର ପାହାଡ଼ ଛିଣ୍ଡିପଡ଼ିଛି। ଏଭଳି ପରିସ୍ଥିତିରେ କମ୍ପାନି କର୍ତ୍ତୃପକ୍ଷ ପକ୍ଷରୁ ରାନୁଙ୍କୁ ଘରକୁ ନେଇଯିବା ଲାଗି ତାଗିଦ୍ କରାଯାଇଛି। ମସ୍ତିଷ୍କରେ ଆଘାତ ଲାଗିଥିବାରୁ ରାନୁ କୋମାରେ ପଡ଼ି ରହି ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। ତୁରନ୍ତ ତାଙ୍କୁ ଭାରତ ଆଣି ଉତ୍ତମ ଚିକିତ୍ସା ସେବା ଯୋଗାଇବା ଦିଗରେ ରାଜ୍ୟ ଓ କେନ୍ଦ୍ର ସରକାର ପଦକ୍ଷେପ ନିଅନ୍ତୁ ବୋଲି ପତ୍ନୀ ଗୀତା ମଲ୍ଲିକ ଏବଂ ପୁଅ ଆକୁଳ ନିବେଦନ କରିଛନ୍ତି। ରାନୁଙ୍କ ସ୍ଥିତିକୁ ନେଇ ସେମାନେ ଚିନ୍ତାରେ ପଡ଼ିଛନ୍ତି।