ମାହାଙ୍ଗା: ଗ୍ରାମାଞ୍ଚଳରେ ଲୋକଙ୍କ ଗମନାଗମନର ସୁବିଧା ପାଇଁ ସରକାର ବିଭିନ୍ନ ଯୋଜନାରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେ‌ଲେ, ରାସ୍ତା ନିର୍ମାଣର କିଛିଦିନ ନ ବିତୁଣୁ ଅନେକ ସ୍ଥାନରେ ପୂର୍ବାବସ୍ଥା ଫେରି ଆସୁଛି। ଫଳରେ ଜନସାଧାରଣ ପୂର୍ବଭଳି ଯାତାୟାତରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଥିସହ ସରକାରଙ୍କ କୋଟି କୋଟି ଟଙ୍କା ପାଣିରେ ପଡ଼ୁଥିବା ଅଭିଯୋଗ ହେଉଛି। ଏହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ମାହାଙ୍ଗା ବ୍ଲକ୍‌ ଅନ୍ତର୍ଗତ ‌ଖନ୍ଦୋଳ-ଝାଡ଼େଶ୍ବରପୁର ଭାୟା ଉମର ରାସ୍ତାରେ। ଏହି ରାସ୍ତାକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ନିଶ୍ଚିନ୍ତକୋଇଲି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଖନ୍ଦୋଳରୁ ଝାଡ଼େଶ୍ବରପୁର ପର୍ଯ୍ୟନ୍ତ ରାସ୍ତା ସମ୍ପ୍ରସାରଣ ଓ ଉନ୍ନତୀ ପାଇଁ ୬ କୋଟି ୨୨ ଲକ୍ଷରୁ ଅଧିକ ଟଙ୍କା ମଞ୍ଜୁର କରାଯାଇ କାର୍ଯ୍ୟ ଜାରି ରହିଛି।

Advertisment

ହେଲେ, ପଲ୍ଲୀସାହିରୁ ଭଉଁରିଆ ପନ୍ଦରବାଟିଆ ପର୍ଯ୍ୟନ୍ତ ମେଟାଲିଂ ଓ ରୋଲରିଂ ଠିକ୍‌ ଭାବେ କରା ନ ଯାଇ ତରବରିଆ ଭାବେ ନାମକୁମାତ୍ର ପିଚୁଗୋଡ଼ି ପକାଇ ଠିକାଦାର ରାସ୍ତା କାମ କରିଥିବା ଅଭିଯୋଗ ହୋଇଛି। ଫଳରେ କାର୍ଯ୍ୟର ଏକ ସପ୍ତାହ ପରେ ପଲ୍ଲୀସାହିରୁ ପନ୍ଦରବାଟିଆ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ରାସ୍ତାର ଦକ୍ଷିଣପାର୍ଶ୍ବ ଦବିଯିବା ସହ ଫାଟି ମେଲା ହୋଇଯାଇଥିବା ଦେଖିବାକୁ ମିଳିଛି। ପୂର୍ବରୁ ଏହି ରାସ୍ତାର ଫାଟ ସ୍ଥାନରେ ଡଷ୍ଟ ଓ ପିଚୁ ପକାଯାଇଥିଲା। ଏବେ ସାମାନ୍ୟ ବର୍ଷାରେ ୧ କିମି ପର୍ଯ୍ୟନ୍ତ ଦବି ଯାଇଥିବାରୁ ରାସ୍ତାର ସ୍ଥାୟିତ୍ବ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନିମ୍ନମାନର କାର୍ଯ୍ୟ ଯୋଗୁଁ ଏଭଳି ସ୍ଥିତି ହୋଇଥିବା ଅଭିଯୋଗ ହୋଇଛି। ଭିଜିଲାନ୍ସ ପକ୍ଷରୁ ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି କରାଯାଇଛି।