ବାରିପଦା: ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ମାମଲାର ବିଚାର କରି ଏଡିଜେ-ପୋକ୍ସୋ ସ୍ୱତନ୍ତ୍ର କୋର୍ଟ ବିଚାରପତି ମହେନ୍ଦ୍ର କୁମାର ସୂତ୍ରଧର ୮ ପୋକ୍ସୋ ଆକ୍ଟରେ ୪ ବର୍ଷ ସହିତ ୫ହଜାର ଟଙ୍କା ଜରିମାନା ଏବଂ ୫୦୬ ଆଇପିସିରେ ୨ ବର୍ଷ ସହିତ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି। ଅଭିଯୁକ୍ତ ଯୁବକ ସୁନାରାମ ଟୁଡୁ(୨୨)କୁ ମୋଟ ୬ ବର୍ଷ ଜେଲଦଣ୍ଡ ସହିତ ୬ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରାଯାଇଛି। ଜରିମାନା ଅନାଦେୟ ଅତିରିକ୍ତ ୬ ମାସ ଜେଲ୍ଦଣ୍ଡ ଶୁଣାଇଛନ୍ତି ବିଚାରପତି।
ମାମଲାର ବିବରଣୀରୁ ଜଣାଯାଏ ଯେ, ମୟୂରଭଂଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅଧିନରେ ଏହି ଦୁଷ୍କର୍ମ ଘଟଣା ଜୁନ୍ ୨୦୧୮ରେ ଘଟିଥିଲା। ଅଭିଯୁକ୍ତ ସୁନାରାମ ୨୫ ଜୁନ୍, ୨୦୧୮ରେ ପିଡ଼ୀତାଙ୍କୁ ନିକଟସ୍ଥ ଏକ ଜଙ୍ଗଲରେ ଥିବା ଏକ ଚଟାଣକୁ ନେଇ ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲା। ପିଡ଼ୀତା ଜଣଙ୍କ ଛେଳି ଚରାଇବାକୁ ଯାଇଥିବା ବେଳେ ଏପରି କୁକର୍ମ କରିଥିଲା ଅଭିଯୁକ୍ତ।
ଏହି ଘଟଣା ସମ୍ପର୍କରେ କାହାକୁ ନଜଣାଇବାକୁ ଧମକ ମଧ୍ୟ ଦେଇଥିଲା ଅଭିଯୁକ୍ତ ଯୁବକ। ତେବେ ପିଡ଼ୀତା ଜଣଙ୍କ ଏସମ୍ପର୍କରେ ଘର ଲୋକଙ୍କୁ କହିବା ପରେ ଥାନାରେ ମାମଲା ରୁଜୁ ହୋଇଥିଲା। ଅଭିଯୁକ୍ତକୁ ପୁଲିସ୍ ଗିରଫ କରିବା ପରେ ସେବେଠାରୁ ବିଚାରଧୀନ ବନ୍ଦୀ ଭାବେ ଜେଲ୍ରେ ଥିଲା। ୨୦ ଜଣ ସାକ୍ଷୀ ଏବଂ ଅନ୍ୟାନ୍ୟ ପ୍ରମାଣକୁ ଭିତ୍ତି କରି ବିଚାରପତି ଦୋଷୀକୁ ଜେଲ୍ଦଣ୍ଡ ଶୁଣାଇଛନ୍ତି। ସ୍ୱତନ୍ତ୍ର ସରକାରୀ ଓକିଲ ଅଭିନ୍ନ କୁମାର ପଟ୍ଟନାୟକ ଏହି ମାମଲାକୁ ପରିଚାଳନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/court-generic_625x300_1527245477936.jpg)