କନ୍ୟା ସନ୍ତାନର ମା’ ହେଲେ ସେବାଶ୍ରମ ଛାତ୍ରୀ; ଅଭିଯୁକ୍ତ ଗିରଫ, ପୀଡ଼ିତାଙ୍କ ପରିବାରକୁ ଭେଟିଲା ସିଡବ୍ଲ୍ୟୁସି

ଗୁଣପୁର: ସେବାଶ୍ରମରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ନାବାଳିକା ଛାତ୍ରୀ କନ୍ୟା ସନ୍ତାନର ମା’ ହୋଇଛନ୍ତି। ଶନିବାର ରାତିରେ ଏହି ଅଭାବନୀୟ ଘଟଣା ଘଟିଥିବା ବେଳେ ରାମନାଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉଭୟ ମା’ ଓ ଛୁଆ ସୁସ୍ଥ ଥିବା ଜଣାପଡିଛି। ଗୁଣପୁର ପୁଲିସ୍ ଘଟଣା ସଂପର୍କରେ ଅବଗତ ହେବା ପରେ ଅଭିଯୁକ୍ତ ବୃନ୍ଦାବନ କାଡ୍ରକାଙ୍କୁ ଗିରଫ କରିଛି। ସ୍କୁଲ୍ ଖୋଲିବା ପୂର୍ବରୁ ଏହି ଘଟଣା ଜିଲ୍ଲା ପ୍ରଶାସନ ଓ ମଙ୍ଗଳ ବିଭାଗକୁ ଚିନ୍ତାରେ ପକାଇଛି।

ଛାତ୍ରୀଙ୍କ ବାପାଙ୍କ ଅଭିଯୋଗନୁଯାୟୀ, ୧୩ ବର୍ଷ ବୟସର ପୀଡ଼ିତା ରାମନାଗୁ୍ଡ଼ା ବ୍ଲକର ଏକ ସେବାଶ୍ରମରେ ଅଷ୍ଟମ ଶ୍ରେଣୀରେ ପଢ଼ୁଛନ୍ତି। କରୋନା ଯୋଗୁ ସ୍କୁଲ୍ ବନ୍ଦ ରହିଥିବାରୁ ଛାତ୍ରୀ ଜଣଙ୍କ ନିଜ ଘରେ ରହି ପଢ଼ାପଢ଼ି କରୁଥିଲେ। ପୀଡ଼ିତାଙ୍କ ପରିବାର ଅତି ଗରିବ ଶ୍ରେଣୀର ହୋଇଥିବାରୁ ରାତିରେ ପୀଡ଼ିତା ଛାତ୍ରୀ ନିଜ ବଡ଼ମା ଘରକୁ ଶୋଇବାକୁ ଯାଉଥିଲେ। ଏହାର ସୁଯୋଗ ନେଇ ପୀଡ଼ିତାଙ୍କ ପଡୋଶୀ ଘରେ ରହୁଥିବା ବୃନ୍ଦାବନ ବିଭିନ୍ନ ପ୍ରଲୋଭନ ଦେଖାଇ ଗତ ୧୦ ମାସ ହେଲା ଶାରୀରିକ ସଂପର୍କ ରଖି ଆସୁଥିଲା। ପୀଡ଼ିତା ଗର୍ଭବତୀ ଥିବା ସଂପର୍କରେ ପରିବାର ଲୋକ ଜାଣିପାରିନଥିଲେ। ଶନିବାର ସଂଧ୍ୟାରେ ପୀଡ଼ିତା ପେଟରେ ଯନ୍ତ୍ରଣା ଅନୁଭବ କରିବା ପରେ ପରିବାର ଲୋକଙ୍କୁ ଜଣାଇଥିଲେ।

ପରିବାର ଲୋକ ଏକ ବ‌ୋଲେରୋ ଭଡ଼ା କରି ପୀଡ଼ିତାଙ୍କୁ ରାମନାଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣୁଥିବା ବେଳେ ନାବାଳିକା ଛାତ୍ରୀ ଗାଡ଼ି ଭିତରେ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଗୁରୁତର ଅବସ୍ଥାରେ ଉଭୟ ପୀଡ଼ିତା ଛାତ୍ରୀ ଓ କନ୍ୟା ସନ୍ତାନକୁ ରାମନାଗୁଡ଼ା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ଉଭୟେ ସୁସ୍ଥ ଅଛନ୍ତି। ଆଜି ସକାଳେ ଜିଲ୍ଲା ଆଇନସେବା ପ୍ରାଧିକରଣ ସଂପାଦକ ମନୋରଞ୍ଜନ ମିଶ୍ରଙ୍କ ପରାମର୍ଶକ୍ରମେ ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ରାଜକିଶୋର ସାହୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରମେଶ ଚନ୍ଦ୍ର ନାୟକ, ରାମନାଗୁଡ଼ା ଚାଇଲଡ୍ ଲାଇନର ଦୁର୍ଗା ପ୍ରସାଦ ସେନାପତି ପ୍ରମୁଖ ପୀଡ଼ିତାଙ୍କ ଗାଁକୁ ଯାଇ ପରିବାର ଲୋକଙ୍କୁ ସାକ୍ଷାତ କରିଥିଲେ। ଆଲୋଚନା ପରେ ପୀଡ଼ିତାଙ୍କ ବାପା ଗୁଣପୁର ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଥିଲେ। ଗୁଣପୁର ଏସଡିପିଓ ରାଜ କିଶୋର ଦାଶଙ୍କ ନିର୍ଦେଶକ୍ରମେ ପୁଲିସ୍ ଅଭିଯୁକ୍ତ ବୃନ୍ଦାବନକୁ ଗିରଫ କରିଛି। ଆସନ୍ତାକାଲି ପୁଲିସ୍ ରାମନାଗୁଡ଼ା ମେଡ଼ିକାଲରେ ପହଞ୍ଚି ପୀଡ଼ିତାଙ୍କ ବୟାନ୍ ରେକର୍ଡ କରିବ।

ସୂଚନାଯୋଗ୍ୟ, କରୋନା ଲାଗି ୨୦୨୦ ମାର୍ଚ୍ଚ ୨୫ ତାରିଖରୁ ଜିଲ୍ଲାର ସମସ୍ତ ସ୍କୁଲ୍ ଓ ସେବାଶ୍ରମ ବନ୍ଦ ରହିଥିଲା। ସ୍ଥିତିରେ ସୁଧାର ଆସିବା ପରେ ସରକାରଙ୍କ ନିଷ୍ପତ୍ତିକ୍ରମେ ଗତ ୮ ତାରିଖରୁ ସ୍କୁଲ୍ ଖୋଲିଛି। ତେବେ ସ୍କୁଲ୍ ଖୋଲିବାର ୨ ଦିନ ପରେ ଜଣେ ସେବାଶ୍ରମ ଛାତ୍ରୀ ମାଆ ହେବା ଘଟଣାକୁ ନେଇ ପୁଣି ବିଭାଗ ଚର୍ଚ୍ଚାକୁ ଆସିଛି।

ସମ୍ବନ୍ଧିତ ଖବର