ଦୁଷ୍କର୍ମ ମାମଲାରେ ସଜା କାଟୁଥିବା ବନ୍ଦୀଙ୍କ ମୃତ୍ୟୁ

ବ୍ରହ୍ମପୁର: ଦୁଷ୍କର୍ମ ମାମଲାରେ ସଜା କାଟୁଥିବା ଜଣେ ବନ୍ଦୀଙ୍କ ଏମ୍‌କେସିଜି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତକ ଜଣକ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି କାମ୍ପସାହିର ବାରିକ ପ୍ରଧାନ (୭୨)। ବଡ଼ ମେଡିକାଲ ଫାଣ୍ଡି ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ୨୦୧୯ ମାର୍ଚ୍ଚ ୧୨ ତାରିଖରେ ଏକ ନାବାଳିକା ଦୁଷ୍କର୍ମ ମାମଲାରେ ପାରଳାଖେମୁଣ୍ଡି ପୁଲିସ ବାରିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମାମଲାର ବିଚାରଣା ପରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ୨୦୨୦ ଜାନୁଆରି ୧୩ ତାରିଖରେ କୋର୍ଟ ତାଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିଦିନ ଠାରୁ ବାରିକ ଆର.ଉଦୟଗିରି ସବ୍‌ଜେଲରେ ବନ୍ଦୀ ଭାବେ ଥିଲେ। ଗତ ୬ ତାରିଖରେ ବାରିକ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ମଣ୍ଡଳ କାରାଗାରକୁ ସ୍ଥାନାନ୍ତର କରାଯାଇଥିଲା। ଏହାପରେ  ବାରିକଙ୍କୁ ଏମ୍‌କେସିଜି ମେଡିକାଲର ଭେଷଜ ବିଭାଗରେ ଭର୍ତ୍ତି କରା ଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରା ଯାଇଥିବା ସୂଚନା ମିଳିଛି।
ସମ୍ବନ୍ଧିତ ଖବର