ନାବାଳିକାକୁ ଦୁଷ୍କର୍ମ, ୬୨ ବର୍ଷୀୟ ଅଭିଯୁକ୍ତ ଗିରଫ

ପୀଡ଼ିତା ୪ ମାସର ଗର୍ଭବତୀ, ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ

ରାୟଗଡ଼ା: ୧୩ ବର୍ଷୀୟା ନାବାଳିକାକୁ ୬୨ ବର୍ଷୀୟ ବୃଦ୍ଧ ଦୁଷ୍କର୍ମ କରିବା ଘଟଣା ଜେକେପୁରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୀଡ଼ିତା ୪ ମାସର ଗର୍ଭବତୀ ହେବା ପରେ ଘଟଣା ପଦାକୁ ଆସିଛି। ପରିବାର ଲୋକ ଏ ନେଇ ଚାନ୍ଦିଲି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍ ମାମଲା ରୁଜୁ କରି ଅଭିଯୁକ୍ତ ଭଗବାନ ପଣ୍ଡାକୁ ଗିରଫ କରିଛି। ଆଜି ପୀଡ଼ିତା ଓ ଅଭିଯୁକ୍ତର ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରୀ ମାଇନା କରିଛି ପୁଲିସ୍। ଡାକ୍ତରୀ ମାଇନା ପରେ ଅଭିଯୁକ୍ତ ଭଗବାନକୁ ପୁଲିସ୍ କୋ୍ର୍ଟ ଚାଲାଣ କରିଛି।

ସୂଚନାନୁଯାୟୀ, ଜେକେପୁର ପଞ୍ଚାୟତ ଅଫିସ୍ ନିକଟରେ ଭଗବାନ ରାସନ ଦୋକାନ କରିଛନ୍ତି। ଜାନୁଆରୀ ମାସରେ ପୀଡ଼ିତା ନାବାଳିକା ଭଗବାନ ଦୋକାନକୁ ରାସନ କିଣିବା ପାଇଁ ଯାଇଥିଲେ। ଏହି ସମୟରେ ବିଭିନ୍ନ ପ୍ରଲୋଭନ ଦେଖାଇ ଭଗବାନ ନାବାଳିକାକୁ ଦୋକାନ ଭିତରକୁ ଡାକି ନେଇଥିଲା। ଏହା ପରେ ଦୋକାନ ପଛପାର୍ଶ୍ବ ରୁମରେ ଜୋର ଜବରଦସ୍ତ ଦୁଷ୍କର୍ମ ଉଦ୍ୟମ କରିଥିଲା। ଦୁଷ୍କର୍ମରୁ ବର୍ତ୍ତିବା ପାଇଁ ନାବାଳିକା ଚିତ୍କାର କରିଥିଲେ ମଧ୍ୟ କେହି ନ ଶୁଣିବାରୁ ଭଗବାନ କବଳରୁ ବର୍ତ୍ତି ପାରି ନଥିଲେ।

ଘଟଣା ସଂପର୍କରେ କାହାକୁ କହିଲେ ଜୀବନରେ ମାରିଦେବାକୁ ଭଗବାନ ଧମକ ଦେଇଥିବାରୁ ପୀଡ଼ିତା ନାବାଳିକା ଦୁଷ୍କର୍ମ ସଂପର୍କରେ କାହାକୁ କହି ନଥିଲେ। ଗତ ୪ ମାସ ଧରି ପୀଡ଼ିତା ନାବାଳିକାର ମାସିକ ଋତୁସ୍ରାବ ନ ହେବା ପରେ ପରିବାର ଲୋକ ମେଡ଼ିକାଲକୁ ଚିକିତ୍ସା ପାଇଁ ନେଇଥିଲେ। ପରୀକ୍ଷା ନୀରିକ୍ଷା ପରେ ନାବାଳିକା ଗର୍ଭବତୀ ଥିବା ଡାକ୍ତର ପରିବାର ଲୋକଙ୍କୁ କହିଥିଲେ।

ଡାକ୍ତରଙ୍କ ରିପୋର୍ଟ ପରେ ପରିବାର ଲୋକ ନାବାଳିକାଙ୍କୁ ପଚରା ଉଚରା କରିବା ପରେ ଘଟଣା ସଂପର୍କରେ ନାବାଳିକା ଅଭିଭାବକଙ୍କୁ କହିଥିଲେ। ଏ ନେଇ ପୀଡ଼ିତାଙ୍କ ପରିବାର ଲୋକ ଚାନ୍ଦିଲି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍ ମାମଲା ରୁଜୁ କରି ଅଭିଯୁକ୍ତ ଭଗବାନକୁ ଗିରଫ କରି ପଚରା ଉଚରା କରିଛି। ଆଜି ପୂର୍ବାହ୍ନ ଡାକ୍ତରୀ ମାଇନା ପରେ ଭଗବାନକୁ କୋର୍ଟ ଚାଲାଣ କରାଯାଇଛି। ଚାନ୍ଦିଲି ଥାନା ଅଧିକାରୀ ବିଜୟଲକ୍ଷ୍ମୀ ହିକକା ମାମଲାର ତଦନ୍ତ କରୁଛନ୍ତି।

 

ସମ୍ବନ୍ଧିତ ଖବର