ଆସିକା: ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ମାମଲାରେ ଦୁଷ୍କର୍ମକାରୀକୁ ୧୨ ବର୍ଷ ଜେଲଦଣ୍ଡ ମିଳିଛି। ଗଂଜାମ ଅତିରିକ୍ତ ଜିଲ୍ଳାଜଜ ପ୍ରବୀର କୁମାର ଚୌଧୁରୀ ଦୁଷ୍କର୍ମକାରୀ ସୁଶାନ୍ତ ନାହାକକୁ ଆଜି ଦଣ୍ଡାଦେଶ ଶୁଣାଇଛନ୍ତି। ଅତିରିକ୍ତ ଜିଲ୍ଳାଜଜ ଦୁଷ୍କର୍ମକାରୀକୁ ୫ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ବିବରଣୀରୁ ଜଣାଯାଏ, ୨୦୨୨ ଅକ୍ଟୋବର ୯ ତାରିଖ କୁମାର ପୂର୍ଣ୍ଣିମା ଥିଲା। ସେଦିନ ରାତି ୭ଟାରେ ସ୍ଥାନୀୟ ଥାନା ଇଲାକାରେ ଜଣେ ଦିବ୍ୟାଙ୍ଗ ଯୁବତୀ ଗାଧୋଇବାକୁ ଗ୍ରାମ ନିକଟ ପୋଖରୀକୁ ଯାଇଥିଲେ। ଘଟଣା ଦିନ ସୁଶାନ୍ତ ନାହାକ ସେଠାରୁ ଦିବ୍ୟାଙ୍ଗ ଯୁବତୀଙ୍କୁ ଘୋଷାଡି ନେଇ ପୋଖରୀହିଡ଼ରେ ଦୁଷ୍କର୍ମ କରିଥିଲା। ଏଥି ନେଇ ପୀଡ଼ିତାଙ୍କ ପରିବାର ଲୋକଙ୍କ ଅଭିଯୋଗ ପରେ ଆସିକା ଥାନାରେ ପୁଲିସ ଏକ ଦୁଷ୍କର୍ମ ମାମଲା ୬୯୪/୨୨ ରୁଜୁ କରି ମାମଲାର ତଦନ୍ତ ଆରମ୍ବ କରିଥିଲା। ଦୁଷ୍କର୍ମ ନେଇ ଅଭିଯୋଗରେ ପୁଲିସ ଅଭିଯୁକ୍ତ ସେହି ଗ୍ରାମର ହରିଜନସାହିର ସୁଶାନ୍ତ ନାହାକକୁ ତାର ଘରୁ ଗିରଫ କରିବା ପରେ କୋର୍ଟରେ ପୀଡିତାଙ୍କ ବୟାନ ରେକର୍ଡ କରିବା ସହିତ ଉଭୟଙ୍କ ଆସିକା ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରୀମାଇନା କରି ଥିଲା ତତ୍କାଳୀନ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ। ଏହି ମାମଲାର ତଦନ୍ତକାରୀ ଅଧିକାରୀ ମାମଲାର ତଦନ୍ତ ଶେଷ କରି ଚାର୍ଜସିଟ ଦାଖଲ ପରେ ଏଡିଜେ କୋର୍ଟରେ ବିଚାରଣ ଏସ୍ଟି ୧୦୯/୨୨ ପ୍ରକାରେ ବିଚାରଣ ଆରମ୍ଭ ହୋଇଥିଲା। ୧୨ ଜଣଙ୍କ ସାକ୍ଷ ପ୍ରମାଣକୁ ଆଧାର କରି ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି।