ଦୁଷ୍କର୍ମ ପୀଡିତା ନ୍ୟାୟ ପାଇଁ ଏସପିଙ୍କ ଦ୍ୱାରସ୍ଥ

ନବରଙ୍ଗପୁର/ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରେ ଜଣେ ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା। ତେବେ ପରିବାର ପକ୍ଷରୁ ଏତଲା ଦେବାର ୧୫ ଦିନ ବିତିଯାଇଥିଲେ ମଧ୍ୟ ପୁଲିସ ଅଭିଯୁକ୍ତକୁ ଗିରଫ କରିନଥିବାରୁ ଆଜି ପୀଡିତା ନବରଙ୍ଗପୁର ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପୀଡିତା ଜଣକ ଝରିଗାଁର ମା’ ଘର ସଦସ୍ୟଙ୍କ ଜରିଆରେ ଏସପିଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଅଭିଯୋଗ ଅନୁସାରେ, ଝରିଗାଁ ବ୍ଲକର ଚର୍ଚ୍ଚା ପଞ୍ଚାୟତ ଅନ୍ତର୍ଗତ ସିନ୍ଧିପଡା ଗ୍ରାମର ଜଣେ ୧୪ ବର୍ଷର ନାବାଳିକା ଦଶହରା ଯାତ୍ରା ଦେଖିବା ପାଇଁ ସାଙ୍ଗ ମାନଙ୍କ ସହ ଆଈ ଘର ଚକଲାପଦର ପଞ୍ଚାୟତର ଡୋକରିକୋଟ ଗ୍ରାମକୁ ଯାଇଥିଲେ। ସେଠାରେ ସେ ସପ୍ତାହ ରହିବା ପରେ ସାଙ୍ଗ ମାନଙ୍କ ସହ ନିଜ ଗ୍ରାମକୁ ଫେରିବା ବେଳେ ଡୋକରିକୋଟ ଗ୍ରାମର ସୋମନାଥ ମାଝୀ ରାସ୍ତାରୁ ଉଠାଇନେଇ ବଡପଦର ଗାଁରେ ୨ ଦିନ ରଖିଥିଲା। ତାପରେ ଜଙ୍ଗଲ ମଧ୍ୟରେ ଥିବା ଏକ ମନ୍ଦିର ଘରେ ଏବଂ ମକା ବାଡରେ ଏଭଳି ବିଭିନ୍ନ ସ୍ଥାନରେ ୪ ରାତି ରଖି ଦୁଷ୍କର୍ମ କରିଥିଲେ। ମକାବାଡରେ ରହିବା ବେଳେ ତାଙ୍କୁ ନିସ୍ତୁକ ମାଡ ମାରିଥିବା ମଧ୍ୟ ଅଭିଯୋଗ ହୋଇଛି। ଦୁଷ୍କର୍ମର ପ୍ରତିବାଦ କଲେ ମାଡ ମାରିବା ପାଇଁ ଧମକ ଦେଉଥିଲେ ଅଭିଯୋଗ ହୋଇଛି। ପରେ ପୀଡିତା ଡୋକରିକୋଟ ଗାଁ ରେ ସୋମନାଥଙ୍କ ଘରେ ଥିବା ଖବରପାଇ ପରିବାର ଲୋକେ ଗତ ୧୨ ତାରିଖ ଦିନ ଉଦ୍ଧାର କରିଥିଲେ। ଏ ସଂକ୍ରାନ୍ତରେ ଗତ ୧୩ ତାରିଖ ଦିନ ପୀଡିତାଙ୍କ ମା ଝରିଗାଁ ଥାନାରେ ଏତଲା ଦେଇଥିଲେ। ଏତଲା ପରେ ଝରିଗାଁ ଥାନା ପୋଲିସ ମାମଲା ରୁଜୁ କରିବା ସହ ନାବାଳିକାର ଡାକ୍ତରୀ ମାଇନା କରି ତଦନ୍ତ କରିଥିଲା। ଦୀର୍ଘ ଦିନ ପରେ ମଧ୍ୟ ପୁଲିସ ଅଭିଯୁକ୍ତକୁ ଗିରଫ କରି ନଥିବା ଅଭିଯୋଗ କରି ପୀଡିତା ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଅପରପକ୍ଷରେ ସୋମନାଥକୁ ଗିରଫ ପାଇଁ ବିଭିନ୍ନ ସମୟରେ ତାଙ୍କ ଗ୍ରାମ ଏବଂ ସଂପର୍କୀୟଙ୍କ ଘରେ ଚଢାଉ କରାଯାଇଥିଲେ ମଧ୍ୟ ସେ ଫେରାର ଥିବାରୁ ବିଳମ୍ବ ହେଉଥିବା ପୋଲିସ କହିଛି।

ସମ୍ବନ୍ଧିତ ଖବର