ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀକୁ ଆଜୀବନ ଜେଲ୍‌

ବାଲେଶ୍ବର: ବାଲେଶ୍ବର ପକ୍‌ସୋ ଅଦାଲତର ସ୍ବତନ୍ତ୍ର ବିଚାରପତି ଗିରିଜା ପ୍ରସାଦ ମହାପାତ୍ର ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଆଜି ଅଭିଯୁକ୍ତ ଅଭିମନ୍ୟୁ ଘୋଷ(୬୦)କୁ ଆଜୀବନ କାରାଦଣ୍ଡାଦେଶ ସହ ୨୫ ହଜାର ଟଙ୍କା ଜରିମାନା କରିଛନ୍ତି।

୨୦୧୮ ମସିହା ଅଗଷ୍ଟ ୧୨ ତାରିଖର ଘଟଣା। ବାଲେଶ୍ବର ଜିଲ୍ଲା ରାଇବଣିଆ ଥାନା ଅଲାଲବିନ୍ଧା ଗ୍ରାମର ଅଭିଯୁକ୍ତ ଅଭିମନ୍ୟୁ ଘୋଷ ଘରେ ପୀଡ଼ିତା ନାବାଳିକାଙ୍କ ପରିବାର ଭଡ଼ାରେ ରହୁଥିଲେ। ତେବେ ବାପାମାଆ ଘରେ ନ ଥିବା ବେଳେ ନାବାଳିକା ଘରେ ଏକୁଟିଆ ବସି ଟିଭି ଦେଖୁଥିବା ସମୟରେ ଅଭିମନ୍ୟୁ ଘରେ ପଶି ତାଙ୍କ ସହ ଅଶ୍ଳୀଳ ବ୍ୟବହାର ଏବଂ ଦୁଷ୍କର୍ମ କରିଥିଲା।

ଘଟଣା ସମ୍ପର୍କରେ ପୀଡ଼ିତା ନାବାଳିକାଙ୍କ ବାପା ମାଙ୍କୁ ଜଣାଇବା ପରେ ସେମାନେ ଥାନାରେ ଲିଖିତ ଅଭିଯୋଗ କରି ନ୍ୟାୟ ଦାବି କରିଥିଲେ। ପୁଲିସ  ୫୭/୧୮ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଥିଲା। ଆଜି ଏହି ମାମଲାରେ ୧୨ ଜଣଙ୍କ ସାକ୍ଷ୍ୟପ୍ରମାଣ ଓ ଦସ୍ତାବିଜକୁ ଆଧାର କରି ସ୍ବତନ୍ତ୍ର ପକ୍‌ସୋ ଅଦ‌ାଲତ ଏହି ରାୟ ଶୁଣାଇଛନ୍ତି। ଅଭିଯୁକ୍ତ ବିରୋଧରେ ୩୭୬(ଏବି) ଏବଂ ପକ୍‌ସୋ ଧାରା ୬ ଲାଗୁ କରାଯାଇ ଆଜୀବନ କାରାଦଣ୍ଡାଦେଶ ସହ ୨୫ ହଜାର ଟଙ୍କା ଜରିମାନା ଆଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର