ଜୟପୁର(ଜ୍ଞାନଚାନ୍ଦ ଜଗନ୍ନାଥ): ‘‘ମୁଁ କାହା ଉପରେ ବୋଝ ହେବାକୁ ପସନ୍ଦ କରେ ନାହିଁ। ଯଦି ପିମ୍ପୁଡିଟିଏ ନିଜ ଖାଦ୍ୟ ନିଜେ ଯୋଗାଡ କରୁଛି ତେବେ ମଣିଷ ଜନ୍ମ ହୋଇ ମୁଁ କାହିଁକି ପାରିବିନାହିଁ। ବଞ୍ଚିଥିବା ପର୍ଯ୍ୟନ୍ତ କାହରି ଉପରେ ନିର୍ଭର ନକରି ନିଜେ ରୋଜଗାର କରି ଚଳିବି।’’ ଏଭଳି ଚିନ୍ତାଧାରା ନେଇ ଜୟପୁର ସହରରେ ସାହି ସାହି ବୁଲି ସାମଗ୍ରୀ ବିକ୍ରି କରି ସ୍ବାଭଲମ୍ବୀ ହୋଇଥିବା ଜଣେ ନିଆରା ମଣିଷ ସନ୍ତୋଷ। ଚାଲିବାକୁ ଅକ୍ଷମ ହୋଇଥିଲେ ମଧ୍ୟ ସକ୍ଷମ ଭଳି ରୋଜଗାର କରି ଚଳିବାକୁ ସେ ଅହରହ ସଂଘର୍ଷ ଜାରି ରଖିଛନ୍ତି। ଯାହା ଫଳରେ ସେ ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି।
ସନ୍ତୋଷ ଜେନା, ବୟସ ୩୬ ବର୍ଷ। ଘର ରାଉରକେଲାରେ କିନ୍ତୁ ସେ ଏକୁଟିଆ ଜୟପୁରରେ ଭଡା ଘରେ ରହୁଛନ୍ତି। ପରିବାର କହିଲେ ବାପା, ମା, ଦୁଇ ଭାଇ ଓ ଦୁଇ ଭଉଣୀ। ଦୁଇ ଭଉଣୀ ବିବାହ କରିସାରିଥିବା ବେଳ ସାନ ଭାଇ ବାପା ଓ ମା ରାଉରକେଲାରେ ରହୁଛନ୍ତି। ପିଲାଟି ଦିନରୁ ନିଜ କାମ ନିଜେ କରିବାକୁ ପସନ୍ଦ କରନ୍ତି। ଆର୍ଥିକ ସ୍ଥିତି ଦୁର୍ବଳ ଯୋଗୁଁ ମାଟ୍ରିକରୁ ପାଠ ପଢ଼ାରେ ଡୋରି ପଡ଼ିଯାଇଥିଲା। ସନ୍ତୋଷ ରାଉରକେଲାରେ ଏକ ଗ୍ୟାରେଜରେ କାମ କରୁଥିଲେ। ଏହାପରେ ମିକଶ୍ଚର ବ୍ୟବସାୟ କରିଲେ। ଦିନେ ଜୟପୁର ସହରକୁ ଆସି ସେଠିକାର ବେପାର ଦେଖି ସେଠାରେ ବ୍ୟବସାୟ କରିବା ପାଇଁ ମନସ୍ଥ କରିଥିଲେ। ଏହାପରେ ସେ ସ୍ଥାନୀୟ ମାଦଳା ସାହିରେ ଘର ଭଡାରେ ନେଇ ମିଶ୍ଚର ଫ୍ୟାକ୍ଟ୍ରି ଆରମ୍ଭ କରିଥିଲେ। ସାହିକୁ ସାହି ବୁଲି ମିକଶ୍ଚର ବିକ୍ରି କରିବା ସହ ବିଭିନ୍ନ ଗ୍ରାମାଞ୍ଚଳକୁ ମଧ୍ୟ ମିଶ୍ଚର ପଠାଉଥିଲେ। ବ୍ୟବସାୟ ଭଲ ଚାଲିଥିଲା ଓ ସେଥିରୁ ରୋଜଗାର ମଧ୍ୟ କରୁଥିଲେ। ଏଭଳି ଭାବେ ଜୟପୁରରେ ୫ ବର୍ଷ ବ୍ୟବସାୟ କରିଥିଲେ।
୨୦୧୮ ମସିହାରେ ଜଣେ ସମ୍ପର୍କୀୟ ଭଉଣୀ ବାହାଘର ପାରଳାଖେମୁଣ୍ଡିରେ ଥିଲା। ସେମିଳିଗୁଡାରେୁ ଅପରାହ୍ନରେ ବାଇକ ଯୋଗେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଯାଉଥିଲେ। କେରାପୁଟ ଜିଲ୍ଲା ସେମିଳିଗୁଡା ନିକଟସ୍ଥ ନାଲକୋ ଛକ ଠାରେ ଗୋଟିଏ କାର ଟ୍ରକକୁ ଅତିକ୍ରମ କରି ଆସି ସନ୍ତୋଷଙ୍କ ବାଇକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ସନ୍ତୋଷଙ୍କ ଗୋଟିଏ ଗୋଡ କଟି ଶରୀରରୁ ଅଲଗା ହୋଇଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଚିକିତ୍ସା କରାଯାଇଥିଲା କିନ୍ତୁ ଗୋଟିଏ ଗୋଡର ଚିକିତ୍ସା ହୋଇପାରିଲା ନାହିଁ। ଯାହାଫଳରେ ସେହି ଦିନଠାରୁ ସନ୍ତୋଷ ନିଜର ଗୋଟିଏ ଗୋଡକୁ ହରାଇଥିଲେ। ତାଙ୍କୁ ଆଶାବାଡିର ସାହାରା ନେବାକୁ ପଡିଲା। ସନ୍ତୋଷଙ୍କ ଉପରେ ଚଡକ ପଡିଥିଲା। କ’ଣ କରିବେ ପରିବାର କେମିତି ଚଳାଇବେ ବ୍ୟବସାୟକୁ ଆଗକୁ କେମିତି ନେବେ ସେ ନେଇ ଚିନ୍ତାରେ ପଡିଥିଲେ। ଏମିତି ଅବସ୍ଥାରେ କେମିତି କାମ କରିବେ ସେ ନେଇ ଭାବୁଥିଲେ। କିଛି ଦିନ କଷ୍ଟ ହେଲା କିନ୍ତୁ ସେ ହାର ମାନି ନଥିଲେ।
ମିଶ୍ଚର ବ୍ୟବସାୟକୁ ସେ ପୂର୍ବ ଭଳି ଚଳାଇ ପାରିଲେ ନାହିଁ। କରୋନା କଟକଣା ଯୋଗୁଁ ବହୁତ କ୍ଷତି ହୋଇଥିଲା। ଏହାପରେ ସେ ମିଶ୍ଚର ତିଆରି ହେଉଥିବା ମେସିନ୍ ଗୁଡିକୁ ଆଣି ଗେଟ୍ଗୁଡା ଠାରେ ଗୋଟିଏ ଘର ଭଡା ଘରେ ରଖିଛନ୍ତି ଏବଂ ନିଜେ ରହୁଛନ୍ତି। ବଞ୍ଚିବା ପାଇଁ ଅର୍ଥ ଆବଶ୍ୟକତା ପଡିବାରୁ ନିଜର କାରକୁ ନିଜେ ସଜାଡିଥିଲେ। ଯେଭଳି ଗୋଟିଏ ଗୋଡ ଓ ଗୋଟିଏ ହାତ ସାହାଯ୍ୟରେ କାରକୁ ଚଲାଇ ପାରିବେ। ସେଭଳି ଭାବେ କାରକୁ ପ୍ରସ୍ତୁତ କଲେ ଓ ସାହି ସାହି ବୁଲି ମିଶ୍ଚର, ବିସ୍କେଟ ଆଦି ବିଭିନ୍ନ ସାମଗ୍ରୀ ବିକ୍ରି କରିବା ଆରମ୍ଭ କଲେ। ସକାଳୁ ସକାଳୁ ଘରୁ ବାହାରି ଗଲେ ଦିନ ସାରା ବିକ୍ରି କରି ସନ୍ଧ୍ୟାରେ ଘରକୁ ଫେରି ଆସନ୍ତି। କଷ୍ଟମଷ୍ଟେ ରୋଷେଇ କରିବା ସହ ନିଜର ସମସ୍ତ କାମ ନିଜେ କରନ୍ତି। ଏଭଳି ସ୍ଥିତିରେ ନିଜର ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ବ୍ୟାଙ୍କକୁ ଋଣ ପାଇଁ ଯାଇଥିଲେ କିନ୍ତୁ ସେଠାରୁ ଋଣ ନମିଳିବାରୁ ନିରାଶ ହୋଇ ଫେରିଲେ। ଯେତିକି ରୋଜଗାର କରୁଛନ୍ତି ଘରଭଡା ଓ ଅନ୍ୟାନ ବାବଦକୁ ଖର୍ଚ୍ଚ ହୋଇଯଉଛି ଓ ଚଳିବା କଷ୍ଟକର ହୋଇପଡ଼ୁଛି। ପ୍ରଶାସନ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ସନ୍ତୋଷ ନିବେଦନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/jpr2.jpg)