ଦଲାଲ ପାଖେ ବନ୍ଧା ପଡିଛି ରାସନ କାର୍ଡ: କଳନ୍ଦର ଦେଇ ତଳିତଳାନ୍ତ ହେଲେଣି ହିତାଧିକାରୀ

ସରପଞ୍ଚ ସହ ସାମିଲ ଅଛନ୍ତି ଦାଲାଲ, ବର୍ଷାଧିକ କାଳ ହେଲା ନାକରେ କାନ୍ଧୁଛନ୍ତି ହିତାଧିକାରୀ

ଜୟପୁର: କେତେଟା ଟଙ୍କା ପାଇଁ ବନ୍ଦା ପଡିଛି ରାସନକାର୍ଡ। ଟିପ ଚିହ୍ନ ଓ ଦସ୍ତଖତ କରୁଛନ୍ତି ହିତାଧିକାରୀ କିନ୍ତୁ ଚାଉଳ ଉଠାଉଛି ଠିକାଦାର। ମାସେ ନୁହେଁ କି ଦୁଇ ମାସ ନ‌ୁହେଁ ପ୍ରାୟ ବର୍ଷାଧିକ କାଳ ହେବ ଏହି କାର୍ଡ ବନ୍ଦା ପଡିଛି। ରାସନ କାର୍ଡରୁ ମିଳୁଥିବା ସବୁ ଜିନିଷର ଅଧା ଦଲାଲର କବଜାରେ ରହିଥିବାବେଳେ ଭୋକ ଉପାସରେ ଦିନ କାଟୁଛନ୍ତି ଗରିବଶ୍ରେଣୀୟ ଲୋକ। ଏହସହ କଳନ୍ଦର ଦେଇ ଦେଇ ଥକି ଗଲେଣି ହିତାଧିକାରୀ କିନ୍ତୁ ମୂଳ ଟଙ୍କାରୁ ଟିକେ ବି ପରିଷୋଧ ହେଉନି। ଏପରିକି କୋଭିଡ-୧୯ ପାଇଁ ରାଜ୍ୟ ସରକାର ଯୋଗାଇଥିବା ଖାଦ୍ୟକୁ ମଧ୍ୟ ହରିଲୁଟ କରିଛନ୍ତି ଏହି ଦଲାଲ। ଏହି ଘଟଣା ଘଟିଛି କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଫାମ୍ଫୁଣୀ ପଞ୍ଚାୟତ ଅନ୍ତର୍ଗତ ବାର୍ଲାହାଣ୍ଡି ଗାଁରେ। ଗାଁରେ ପ୍ରାୟ ୧୦୦ରୁ ଅଧିକ ପରିବାର ରହୁଥିବାବେଳେ ହରିଜନ ସାହିରେ ରହୁନ୍ତି ୪୦ରୁ ଅଧିକ ପରିବାର। ଏହି ସାହିରୁ ୨୦ରୁ ପରିବାରଙ୍କର ରାସନକାର୍ଡ ଗ୍ରାମପଞ୍ଚାୟତ ଅଧୀନରେ ରହିଥିବା ଜଣେ ଦଲାଲଙ୍କର ନିକଟରେ ବନ୍ଧା ପଡିଛି। ଏବେ ବି ଚାଲିଛି ଚାଲିଛି ଏହି ଘୃଣ୍ୟ ପ୍ରଥା। ଏହାକୁ ସବୁ ଜାଣିଶୁଣି ଲୋକ ପ୍ରତିନିଧି ଓ ପ୍ରଶାସନ ଚୁପ ରହିଛି।

ମିଳିଥିବା ସୂଚନା ମୁତାବକ ଗାଁର ଲବ ହରିଜନ, ବହ୍ଲବ ହରିଜନ, ସାଇବ ହରିଜନ, ଧନମତି ହରିଜନ, ବାଲାଜି ହରିଜନ, ଅଭି ହରିଜନ, କେଶବ ହରିଜନ, ଗୋବିନ୍ଦ ହରିଜନ, ଲକ୍ଷ୍ମୀ ହରିଜନ ଓ ବଳି ହରିଜନ ପ୍ରମୁଖଙ୍କ ରାସନ କାର୍ଡ ଫାମ୍ଫୁଣି ଗାଁର ଜଣେ ଦାଲାଲଙ୍କ ନିକଟରେ ବନ୍ଧା ପକାଇଛନ୍ତି। ବନ୍ଧା ପକାଇ ଏହିମାନେ ପଇସା ଆଣିଥିବାବେଳେ ସେମାନଙ୍କ ରାସନ କାର୍ଡରେ ମିଳୁଥିବା ସରକାରୀ ଜିନିଷ ସବୁ ଖାଉଛି ଏହି ଦଲାଲ। କୋଭିଡ-୧୯ ଯୋଗୁଁ ମିଳିଥିବା ଚାଉଳ, କିରୋସିନ ତେଲ, ଗହମ ଓ ଡାଲିକୁ ମଧ୍ୟ ହଡପ କରିଥିବା ଜଣାପଡିଛି। ଏଥିରେ ଜିଲ୍ଲାପାଳର କ୍ଷମତା ପାଇଥିବା ଜସରପଞ୍ଚ ବି କାଳେ ସାମିଲ ଅଛି ବୋଲି ଅଭିଯୋଗ ହୋଇଛି। ଉକ୍ତ ଦାଲାଲ ଓ ସରପଞ୍ଚ ମିଶି ଏହି କାର୍ଯ୍ୟ କରିଥିବା ଜଣାପଡିଛି।

ଏବେ କିଛି ହିତାଧିକାରୀଙ୍କୁ ଅଧା ଚାଉଳ ମିଳିଥିବାବେଳେ କିଛି ହିତାଧିକାରୀଙ୍କ ଠାରୁ ଅଧାରୁ ଅଧିକ ଜିନିଷ ସହ କଳନ୍ଦରମଧ୍ୟ ସେ ନେଉଥିବା ଜଣାପଡିଛି। ଏହାସହ ପ୍ରତି ହଜାର ଟଙ୍କାରେ ମାସରେ ୫ଟଙ୍କା ଲେଖାଁଏ କଳନ୍ଦର ଲୋକେ ଦେଉଥିବାବେଳେ ଚାଉଳ ମଧ୍ୟ ନେଉଛି ଦାଲାଲ। କାହାର ବର୍ଷ‌େରୁ ଅଧିକ ଦିନ ହେବ ଏପରି ଚାଲିଥିବାବେଳେ ମୂଳରୁ କିଛି ଟଙ୍କା ମଧ୍ୟ ଋଣ ପରିଷୋଧ କରିପାରି ନ ଥିବା ଜଣାପଡିଛି।

ମହାମାରି କରୋନା ପରି ସମୟରେ ଏବେ କେଉଁଠି କାମଧନ୍ଧା ମିଳୁ ନ ଥିବାବେଳେ ଏହି କାର୍ଡ ବନ୍ଧା ପକ୍ରିୟା ଗରିବ ଲୋକଙ୍କ ଜୀବନକୁ ଦୁର୍ବିଶହ କରି ପକାଇଛି। କରୋନା ପାଇଁ ରାଜ୍ୟ ସରକାର ପ୍ରତି ହିତାଧିକାରୀଙ୍କୁ ମୁଣ୍ଡ ପିଛା ହିସାବ କରି ତିନିମାସର ଆଗୁଆ ରାସନ ମିଳିଛି। ତେବେ ଏଥିରେ ମଧ୍ୟ ସେ ଭାଗ ବସାଇଥିବା ଜଣାପଡିଛି। ତେବେ କିଏ ମେଡିକାଲ ପାଇଁ, ଆଉ କିଏ ଝିଅର କ୍ରିୟାକର୍ମ, ଆଉ କିଏ ଏକୋଇସିଆ ପାଇଁ ଟଙ୍କା ଧାର ଆାଣିଥିଲା। ଏବେ ଏହି ହାତଉଧାରୀ ଟଙ୍କାର ଋଣବୋଝ ବଢି ବଢି ଯାଉଥିବାବେଳେ ଏହାକୁ ପରିଷୋଧ କରିବାକୁ ଲୋକଙ୍କ ନିକଟରେ ଜୁ ନାହିଁ। ଏନେଇ ଜୟପୁର ପ୍ରଶାସନ ବାରମ୍ବାର ତାଗିଦ କରିଥିବାବେଳେ କିନ୍ତୁ ଏହାକୁ ଖାତିର କରୁ ନାହାନ୍ତି ଦାଲାଲ। ମନଇଛା ଲୋକଙ୍କ ଟଙ୍କା ଦେଇ ନେଇ ଯାଇଛି ରାସନକାର୍ଡ। ଆଉ ମାସ ଶେଷକୁ ଯେତେବେଳେ ପଞ୍ଚାୟତରେ ରାସନକାର୍ଡ ମିଳୁଛି ସେହି ସମୟରେ ଉପସ୍ଥିତ ହୋଇ ନିଜ ଭାଗ ନେଇ ଯାଉଛି। ହିତାଧିକାରୀଙ୍କ ଅଧା ଚାଉଳ ସହ କଳନ୍ଦର ନେଇ ବାଟ କାଟୁଛି ଏହି ଦାଲାଲ। ଏହି ଦାଲଲ ଜଣ ଏକ ରାଜନୈତିକ ଦଳ ସହ ସମ୍ପୃତି ରହିଥିବାରୁ ବେଳେବେଳେ ଲୋକଙ୍କୁ ଧମକାଇ ମଧ୍ୟ ଟଙ୍କା ଅସୁଲ କରୁଥିବା ଜଣାପଡିଛି।
ଗାଁର ସାଇବ ହରିଜନ ରୋଗିଣା ବାପାମାଙ୍କୁ ଚିକିତ୍ସା କରାଇବାକୁ ୬ ମାସ ହେବ ନିଜର ରାସନ କାର୍ଡକୁ ବନ୍ଧା ପକାଇ ୩୫୦୦ ଟଙ୍କା ଆଣିଥିଲେ। ହେଲେ ଲକଡାଉନର ତିନିମାସ ପୂର୍ବରୁ ଏହି ଦଲାଲ ଜଣକ ଅଧା ଚାଉଳ ସହ ଅନ୍ୟ ରାସନରୁ ମଦ୍ୟ ଅଧା ନେଉଥିଲା। ଏବେ ତିନିମାସର ଆଗୁଆ ଚାଉଳରୁ ମଧ୍ୟ ଅଧା ନେଇଛି। ଦୁଃଖକଷ୍ଟରେ ପଇସା ଆଣିଥିଲୁ ବୋଲି ଏବେ ଆମେ ଭୋଗୁଛୁ ବୋଲି ସେ କହିଛନ୍ତି।
ଏନେଇ ଗାଁର ବାଲାଜି ହରିଜନ କହିଛନ୍ତି ଯେ ଝିଅର ଏକୋସିଆ ପାଇଁ ବର୍ଷ‌େ ହେବ ରାସନ କାର୍ଡ ବନ୍ଧା ପକାଇ ୫୦୦୦ଟଙ୍କା ଆଣିଥିଲି। ଏବେ ଏହି ଧାର ଆଣିଥିବା ଟଙ୍କାର ସୁଧ ବଢି ବଢି ଚାଲିଥିବାବେଳେ ହାତରୁ ପ୍ରତି ମାସରେ ଅଧା ଚାଉଳ ମଧ୍ୟ ଯାଉଛି ବୋଲି ସେ କହିଛନ୍ତି।
ସେହିପରି ଗାଁର ଧନପତି ହରିଜନ କହିଛନ୍ତି ଯେ କଳିଅକଳିରେରେ ଦରକାର ଥିଲା ବୋଲି ୨୫୦୦ ଟଙ୍କା ଧାର ଆଣିଥିଲି ଏବେ ତାହା ମାସକୁ ମାସ ଚକ୍ରବର୍ତ୍ତି ସୁଧ ଆକାରରେ ବଢିବାକୁ ଲାଗିଲାଣି। କେମିତି ପରିଷ‌ୋଧ କରିବି ତାହା ଜାଣିପାରୁ ନାହିଁ। ଏପଟରେ ଲକଡାଉନ ଯୋଗୁଁ କାମ ଧନ୍ଧା ମିଳୁ ନ ଥିବାବେଳେ ସେପେଟ ଚାଷରେ ଚଳିତ ସିଜିନରେ ଭଲ ହୋଇନି କିପରି ଏହି ଋଣ ଦେବି ତାହାକୁ ନେଇ ଚିନ୍ତାରେ ଅଛି ବୋଲି ସେ କହିଛନ୍ତି।

ଏନେଇ ଉପଜଲ୍ଲାପାଳ ଲୋକନାଥ ଦଳବେହେରା କହିଛନ୍ତି ଯେ କୌଣସି ବି ପରିସ୍ଥିତିରେ ଏପରି ହେବା କଥା ନାହିଁ। ଯିଏ କେହି ବି ଏଥିରେ ସଂପୃକ୍ତ ରହିଥିବେଳେ ତାଙ୍କ ନାମରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ। କରୋନା ପରି ମହାମାରି ବେଳେ ହିତାଧିକାରୀଙ୍କୁ ଶୋଷଣ କରାଯିବାକୁ ହେବ ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର