ବେଡ଼ି ଉପରେ କୋରଡ଼ା ମାଡ଼: କରୋନା ମହାମାରୀକୁ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ମୂଲ୍ୟବୃଦ୍ଧି

ବାରିପଦା: କରୋନା ମହାମାରୀର ଦ୍ବିତୀୟ ଲହର କାରଣରୁ ମୟୂରଭଞ୍ଜରେ ପୁଣିଥିରେ ରାତ୍ରି କର୍ଫ୍ୟୁ ଭଳି କଟକଣା ଆରମ୍ଭ ହୋଇଛି। ପୂର୍ବବର୍ଷର ଆର୍ଥିକ ଦୁର୍ଗତି ସୁଧୁରିନଥିବାବେଳେ ପୁଣିଥରେ ଅନ୍ଧାର ଭିତରକୁ ଠେଲି ହୋଇଯାଇଛି ସାଧାରଣ ଜନତାଙ୍କ ଭବିଷ୍ୟତ। ଏଭଳି ସ୍ଥଳେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧି ସାଧାରଣ ଗ୍ରାହକଙ୍କ ପାଇଁ ବେଡ଼ି ଉପରେ କୋରଡ଼ା ମାଡ଼ ସଦୃଶ ହୋଇଛି। ପନିପରିବାଠାରୁ ଆରମ୍ଭ କରି ଡାଲି, ତେଲ, ଲୁଣ ପର୍ଯ୍ୟନ୍ତ ସବୁର ଦର ବୃଦ୍ଧି ପାଇବାରେ ଲାଗିଛି । ବଜାରରେ ଅସମତୁଲ ବଣ୍ଟନ କାରଣରୁ ଏପରି ହେଉଥିବା ଅଭିଯୋଗ ହୋଇଛି। ଏଥିସହିତ ଯୋଗାଣ ବିଭାଗର ମଧ୍ୟ ଏନେଇ କୌଣସି ନିୟନ୍ତ୍ରଣ ନଥିବା ପରି ମନେ ହେଉଛି। କରୋନା ଆଳରେ ମଧ୍ୟ ହୋର୍ଡିଂ ବଢ଼ୁଛି। ଏହା ସହିତ ତାଳ ଦେଇ ବଢ଼ୁଛି ଦରଦାମ।

ଯାହାକି ଧନୀ, ମଧ୍ୟବିତ୍ତ ଓ ଗରୀବ ସମସ୍ତଙ୍କ ରୋଷେଇ ଘରେ ଝଡ଼ ଉଠିଥିବା ପରି ପ୍ରତୀୟମାନ ହେଉଛି। ଏପରି ମୂଲ୍ୟ ବୃଦ୍ଧିକୁ ରୋକିବାରେ ସରକାର ବିଫଳ ହୋଇଥିବା ସାଧାରଣରେ ଚର୍ଚ୍ଚା ହେଉଛି। ବାରିପଦା ସହରର ପରିବା ବଜାର କୁହାଯାଉଥିବା କଚେରୀ ଓ ରାତି ପରିବା ମାର୍କେଟରେ ତେଲ, ଡ଼ାଲିଠାରୁ ଆରମ୍ଭ କରି ପନିପରିବାର ଦର ଉଚ୍ଚା ରହିଛି । ବର୍ତ୍ତମାନ ପ୍ରତି କିଲୋଗ୍ରାମ ଟାଟା ଲୁଣ- ଟ୨୦/-, ଆଳୁ ୧୨ ଟଙ୍କା, ପିଆଜ ୨୫ ଟଙ୍କା, ବାଇଗଣ-ଟ୫୦/- ,କଲରା-ଟ୮୦/-, ଜହ୍ନି-ଟ୪୦/-, ବୋଇତାଳୁ-ଟ୩୦/-, ଅମୃତଭଣ୍ଡା-ଟ୨୦/-, ସାରୁ-ଟ୫୦/-, କାଙ୍କଡ ୧୨୦/-, ଖମ୍ବଆଳୁ-ଟ୫୦/-, କୁନ୍ଦୁରୀ-୫୦/-, ବିଲାତି-ଟ୨୦/-, କଞ୍ଚାଲଙ୍କା-ଟ୨୦୦/-, ଫୁଲକୋବି(ଛୋଟ)-ଟ୩୦/-, ବିନସ-ଟ୮୦/-, ସଜନା ନାଡ଼ି-ଟ୧୬୦/-, କଞ୍ଚା କଦଳୀ କୁ ୨୦/- , ଶାଗ ବିଡ଼ା ୫ ଟଙ୍କା, ସୋରିଷ ତେଲ(ଇଞ୍ଜିନ)- ଟ୧୮୦/-, ରିଫାଇନ(ଫର୍ଚ୍ୟୁନ) – ୧୭୦/-, ମୁଗଡାଲି-୧୦୦/-,ହରଡ଼- ୧୦୫/-, ବୁଟ ଡ଼ାଲି ୭୦/-, ମସୁରୀ ଡ଼ାଲି ୮୦, ଚାଉଳ(ମୋଟା) –ଟ୩୦/-, ସରୁ ଚାଉଳ-ଟ୫୦/-ରୁ ଟ୧୫୦/- ଓ ହଳଦୀ(ଗୋଟା)- ୧୩୦, ହଳଦୀ ଗୁଣ୍ଡ-୧୮୦/-, ଶୁଖିଲା ଲଙ୍କା ୨୨୦/- , ଚିଙ୍ଗୁଡ଼ି (ଛୋଟ)- ୪୦୦/-, ମହୁରାଳି- ୩୦୦/-, ଦେଶୀ କୁକୁଡ଼ା ୫୬୦/-, ଖାସି ମାଂସ – ୬୮୦/- ଏହି ପରି ସମସ୍ତ ଜିନିଷ ବିକ୍ରି ହେଉଛି ।

ହଜାରେ ଟଙ୍କାରେ ବ୍ୟାଗ ଭର୍ତ୍ତି ହେଉ ନାହିଁ । ଯାହା ଫଳରେ ଖାଉଟି ବଜାରକୁ ଯିବାକୁ ଭୟ କରୁଛନ୍ତି। ଆୟ ଉପାର୍ଜନ କମି ଆସିଥିବା ବେଳେ ମହଙ୍ଗା ମାଡ଼ରେ ପରିବାରର ଚଳାଇବାର ବୋଝ ସମ୍ଭାଳିବା କଷ୍ଟକର ହୋଇପଡ଼ିଲାଣି। ଏପରି ସମୟରେ ବଜାରର ମୂଲ୍ୟବୃଦ୍ଧି ସରକାରଙ୍କ ନିୟନ୍ତ୍ରଣରେ ଥିବା ଭଳି ମନେ ହେଉ ନାହିଁ।
ସୁବ୍ରତ ମୁଖୀ, ବାରିପଦା

ଆଗ ଅପେକ୍ଷା ବେପାର କମିଛି । କେତେକ ଲୋକେ ଆସୁଛନ୍ତି, ଦାମ୍ ପଚାରି ମୁହଁକୁ ଆମ୍ବିଳା କରି ଚାଲି ଯାଉଛନ୍ତି । ପୂର୍ବ ଅପେକ୍ଷା ପରିବା ବ୍ୟବସାୟରେ ଆୟ ଉପାର୍ଜନ କମିଛି । ଆଗରୁ ଯେଉଁ ଗ୍ରାହକ ଏକ କି.ଗ୍ରା ବାଇଗଣ କିଣୁଥିଲେ, ବର୍ତ୍ତମାନ ୫୦୦ ଗ୍ରାମ କିଣୁଛନ୍ତି । ତେଣୁ ବେପାର ମାନ୍ଦା ଅବସ୍ଥାକୁ ଆସି ଯାଇଥିବାରୁ ଆମକୁ ମଧ୍ୟ ପରିବାର ଚଳାଇବା କଷ୍ଟ ହୋଇ ପଡ଼ିଛି ।
ହିମାଂଶୁ କର, ପରିବା ବ୍ୟବସାୟୀ, କୁଳିଅଣା

ସମ୍ବନ୍ଧିତ ଖବର