ପାତଳୀ କ୍ଷେତ୍ରରେ ଗଡ଼ିଲାନି ରଥ, ଛଳିଆ ପାହାଡ଼ ଲାଗିଲା ଖାଁ ଖାଁ

ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ପାତଳୀ କ୍ଷେତ୍ରରେ ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ରଥ ଗଡ଼ି ନାହିଁ। କୋଭିଡ-୧୯ କଟକଣା ତଥା ସୁପ୍ରିମ କୋର୍ଟଙ୍କ ନିର୍ଦେଶ କ୍ରମେ ପ୍ରଶାସନର ବାରଣ ହେତୁ ଆଜି ଶ୍ରୀଜଗନ୍ନାଥଙ୍କ ଅନ୍ୟତମ ଆଦି ଲୀଳା କ୍ଷେତ୍ରରେ କେବଳ ରୀତିନୀତିରେ ସୀମିତ ରହିଛି ଠାକୁରଙ୍କ ଘୋଷ ଯାତ୍ରା।

ଆଜି ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା, ଦ୍ୱାର ଫିଟା, ମଙ୍ଗଳ ଆଳତି, ଖେଚୁଡ଼ି ଭୋଗ, ବେଶ ପରେ ପୂଜା ନୀତି ସମ୍ପର୍ଣ ହୋଇ ଥିଲା। ଶ୍ରୀଜିଉମାନଙ୍କୁ ଧାଡି ପହଣ୍ଡିରେ ବାହାର କରାଯାଇଥିଲା। ସପ୍ତମ ପାହାଚରେ ଟାହିଆ ଲାଗି ହେଲା ପରେ ଘଣ୍ଟ ଶଙ୍ଖରେ ନିନାଦିତ ହୋଇ ଥିଲା ଛଳିଆ କନ୍ଦର। ଶ୍ରୀଜିଉମାନଙ୍କୁ ପହଣ୍ଡି କରି ବାଇଶି ପାହାଚ ଅବତରଣ କରି ଅରୁଣ ସ୍ତମ୍ଭ ପଛପଟୁ ଅସ୍ଥାୟୀ ଆଡ଼ପ ମଣ୍ଡପକୁ ବିଜେ କରାଗଲା।ଏହା ପରେ ଶ୍ରୀଜିଉମାନଙ୍କ ଆଡ଼ପ ନୀତି ଆରମ୍ଭ ହୋଇଥିଲା।

ପ୍ରକାଶ ଥାଉ କି ପାତଳୀ କ୍ଷେତ୍ରରେ ଅନ୍ୟ ବର୍ଷ ମାନଙ୍କରେ ଲୋକାରଣ୍ୟ ହୋଇ ଯାଉଥିବା ବେଳେ ଚଳିତ ବର୍ଷ ଭକ୍ତ ବିନା ପରିବେଶ ସମ୍ପୂର୍ଣ ଖାଁ ଖାଁ ଲାଗୁଥିଲା। ସାମାଜିକ ଦୂରତା ରକ୍ଷା କରି ସେବାୟତମାନେ ମୁହଁରେ ତୁଣ୍ଡି ବ୍ୟବହାର କରି ନୀତି ସମ୍ପାଦନ କରିଥିଲେ। ଶ୍ରୀଜିଉମାନେ ନୀଳାଦ୍ରି ବିଜେ ପର୍ଯନ୍ତ ଆଡ଼ପ ମଣ୍ଡପରେ ପୂଜା ପ୍ରାପ୍ତ ହେବା ସୂଚନା ମିଳିଛି। ବାରଣ ସତ୍ୱେ ବହୁ ଦୂର ଦୁରାନ୍ତରୁ ଅନେକ ଭକ୍ତ ନିରାଶରେ ଘୋଷ ଯାତ୍ରା ଦେଖି ନ ପାରି ଫେରିଥିଲେ।

ପଣ୍ଡିତ ବିଶ୍ୱେଶ୍ୱର ପାଢ଼ୀ, ଦେବାର୍ଚ୍ଚନ ଦାଶ, ଗୁଣାକାର ପଣ୍ଡା ଏବଂ ବିଭିନ୍ନ ଗ୍ରାମର ବ୍ରାହ୍ମଣ ସେବାୟତମାନେ ଯୋଗ ଦେଇ ଠାକୁରଙ୍କ ନୀତି ସମ୍ପାଦନ କରିଥିଲେ। ଟ୍ରଷ୍ଟର ସମ୍ପାଦକ ଉତ୍ତର କୁମାର ପାତ୍ର, ସଦସ୍ୟ ପୂର୍ଣଚନ୍ଦ୍ର ପାଢ଼ୀ, ଜଗଦୀଶ କର୍ଣ୍ଣ ମହାଦେବ ସାହୁ, ଜାନକୀ ରାମ ଦେହୁରୀ, ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରି ଥିଲେ।

ସମ୍ବନ୍ଧିତ ଖବର