ବାଲିପାଟଣା: ପବିତ୍ର ରଥଯାତ୍ରା ଅଵସରରେ ଭୁବନେଶ୍ୱର କମିସନରେଟ ପୁଲିସ ଅଧିନ ବାଲିପାଟଣା ଥାନାର ବିଭିନ୍ନ ସ୍ଥାନରେ ମହାପ୍ରଭୁ ଜଗନ୍ନାଥଙ୍କ ଘୋଷ ଯାତ୍ରା ଆଡ଼ମ୍ବରରେ ପାଳନ ହୋଇଛି। ବାଲିପାଟଣା ବଜାରସ୍ଥିତ ଜଗନ୍ନାଥଙ୍କ ମନ୍ଦିରରେ ୪୧ ବର୍ଷ ହେଲା ରଥ ଟଣା ହେଉଛି। ସକାଳୁ ପ୍ରଭୁଙ୍କ ଯଥାରୀତିନୀତି ପୂଜାର୍ଚନା ସମାପନ ହୋଇଥିଲା। ମଧ୍ୟାହ୍ନରେ ପହଣ୍ଡି ବିଜେ ଅନୁଷ୍ଠିତ ହୋଇ ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ରଥ ଉପରେ ବିଜେ ହୋଇଥିଲେ। ଭାବଗ୍ରାହୀ ଗୋଛାୟତ ଛେରା ପହଁରା କରିଥିଲେ। ପୂଜକ ବଳରାମ ତ୍ରିପାଠୀ ପୂଜା କାର୍ଯ୍ୟ ତୁଲାଇ ଥିଲେ। ମାଗୁଣି ରଣା ଡାହୁକ ସେବାୟତ ଏବଂ କାଳନ୍ଦୀ ଦାସ ଘଣ୍ଟୁଆ ସେବାୟତ ରୂପେ ନିୟୋଜିତ ହୋଇଥିଲେ। ମୁଖ୍ୟ ଟ୍ରଷ୍ଟି ଗୁରୁ ପ୍ରସାଦ ମିଶ୍ର ଏବଂ ଜଗନ୍ନାଥ ସାହୁ , ଅଜୟ ହୋତା, ବଜାର କମିଟି ସଭାପତି ହେମନ୍ତ ଜେନା, ଜୟନ୍ତ କୁମାର ଶିଶୁ ଗୋସ୍ଵାମୀ, ପ୍ରଭାତ ମହାପାତ୍ର, ନରେନ୍ଦ୍ର ସାହୁ, ବିବେକାନନ୍ଦ ସାହୁ ପ୍ରମୁଖ ସହଯୋଗ କରିଥିଲେ।
ସେହିପରି ବନମାଳୀପୁର ନୂଆସାହି ଶ୍ରୀଜଗନ୍ନାଥ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ୨୫ ବର୍ଷ ହେଲା ରଥ ଟଣା ହେଉଛି। ପୂର୍ବରୁ ଛୋଟ ଆକାରରେ ରଥ ଟଣା ହେଉଥିଲା। ଚଳିତ ବର୍ଷ ନୂଆକରି କମିସନରେଟ ପୁଲିସ ତାଲିକା ଭୂକ୍ତ ହୋଇଛି। ଛବିନ୍ଦ୍ର ସାହୁ ଛେରାପହଁରା କରିଥିଲେ। ସୌରଭ ପଣ୍ଡା ଏବଂ କାର୍ତ୍ତିକ ପଣ୍ଡା ପୂଜା ଦାୟିତ୍ୱ ତୁଲାଇ ଥିଲେ। ଡାହୁକ ସେବାୟତ ରୂପେ ଲିଙ୍ଗରାଜ ସାହୁ ଏବଂ ନିତ୍ୟାନନ୍ଦ ସାହୁ କାର୍ଯ୍ୟ ତୁଲାଇଥିଲେ। କ୍ଳବ ସଭାପତି ବିଶ୍ୱଜିତ ସାହୁ ଏବଂ କର୍ମକର୍ତ୍ତା ରଥ ଟଣାରେ ସହଯୋଗ କରିଥିଲେ।
ଅନ୍ୟପକ୍ଷରେ ବନମାଳୀପୁର ଡେରାସାହି ଜୟ ଜଗନ୍ନାଥ କ୍ଳବ ଆନୁକୂଲ୍ୟରେ ୪୦ ବର୍ଷରୁ ଊର୍ଦ୍ଧ୍ବ ହେବ ରଥ ଯାତ୍ରାର ଆୟୋଜନ ହେଉଛି। ଶିବ ପ୍ରସାଦ ବେହେରା ଛେରାପହଁରା କରିଥିଲେ ଏବଂ କାହ୍ନୁ ଚରଣ ପଣ୍ଡା ପୂଜକ ରୂପେ କାର୍ଯ୍ୟ ତୁଲାଇ ଥିଲେ। କ୍ଳବ ସଭ୍ୟ ଏବଂ ଗ୍ରାମବାସୀ ସହଯୋଗ କରିଥିଲେ। ସେହିପରି ନରିଶୋ ଶାସନରେ ୪୦ ବର୍ଷ ହେବ ଚତୁର୍ଦ୍ଧାମୂର୍ତ୍ତିଙ୍କ ରଥ ଟଣା ହେଉଛି। ଜଗନ୍ନାଥ ତ୍ରିପାଠୀ ରଥରେ ଛେରାପହଁରା କରିଥିଲେ ଏବଂ ସୁମନ୍ତ ପାଢ଼ୀ ପୂଜକ ରୂପେ କାର୍ଯ୍ୟ ସମ୍ପାଦନ କରିଥିଲେ। ବାଡୁଆସାହିର ପ୍ରାଣକୃଷ୍ଣ ସ୍ୱାଇଁଙ୍କ ଘର ମାଉସୀ ମା’ ମନ୍ଦିରରେ ଠାକୁର ବାହୁଡା଼ଯାତ୍ରା ପର୍ଯ୍ୟନ୍ତ ଅଧିଷ୍ଠିତ ହୋଇଥାନ୍ତି।
ସେହିପରି ଗୋବିନ୍ଦପୁର, ସରିପୁର ପ୍ରଭୃତି ସ୍ଥାନରେ ରଥ ଟଣା ପରମ୍ପରା ପାଳନ ହୋଇଛି। ଢୋଲ, ଘଣ୍ଟ, ଘଣ୍ଟା, ଶଙ୍ଖ, ତୁରୀ ନାଦରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଖରାକୁ ଆଖି ଆଗରେ ରଖି ସାମଜିକ ଅନୁଷ୍ଠାନ ବର୍ଣଟୁ ହେଲ୍ପ ଅଲ ଏବଂ ବହୁ ସମାଜ ସେବୀ ଜଲଛତ୍ର ଏବଂ ଦହି ପଣା ବଣ୍ଟନ କରିଥିଲେ। ଜୋନ ୪ ଏସିପି ଶୁଭନାରାୟଣ ମୁଦୁଲି ଏବଂ ବାଲିପାଟଣା ଆଇଆଇସି ଓମ ପ୍ରକାଶ ମହାନ୍ତି ଓ ଟିମ ସୁରକ୍ଷା ଦାୟିତ୍ୱ ତଦାରଖ କରିଥିଲେ।