ଜୟପୁର: କରୋନା କଟକଣା ପାଇଁ ଶ୍ରଦ୍ଧାଳୁ ଭକ୍ତ ଓ ଭାବର ଠାକୁର ଜଗାଙ୍କ ମଧ୍ୟରେ ଦୂରତା ବଢ଼ିଥିଲା। ତେବେ ଏହି ବର୍ଷ କିଛି କଟକଣା ନଥିବାରୁ ହର୍ଷଉଲ୍ଲାସ ସହ ଶ୍ରଦ୍ଧାପୂର୍ବକ ରଥଯାତ୍ରା ପାଳନ କରାଯାଇଛି। ପୂର୍ବ ପ୍ରଚଳିତ ପରମ୍ପରା ଓ ଜନଶ୍ରୃତି ଅନୁଯାୟୀ ଆଜି ମଧ୍ୟାହ୍ନରେ ଜୟପୁର ଜଗନ୍ନାଥ ମନ୍ଦିରରୁ ଚାରି ଠାକୁରଙ୍କୁ ଧାଡି ପହଣ୍ଡି କରି ରଜାନଅରସ୍ଥ ରଥଖଳାକୁ ଆଣି ରଥା ରୁଢ଼ କରାଯାଇଥିଲା। ସକାଳୁ ରଥ ପୂଜା ଓ ହୋମଯଜ୍ଞ ଆଦି କରାଯାଇଥିଲା। ଚାରି ଠାକୁରଙ୍କୁ ରଥ ନିକଟକୁ ଅଣାଯିବା ପରେ ରଥର ଚାରି ପାର୍ଶ୍ବରେ ବୁଲାଯାଇଥିଲା। ସେଭଳି ସାନ ରଥରେ ଜଗତର ନାଥ ଜଗନ୍ନାଥଙ୍କୁ ରଥାରୁଢ଼ କରାଯାଇଥିଲା। ଏହି ପରମ୍ପରା ଦେଖିବା ପାଇଁ ହଜାର ହଜାର ଶ୍ରଦ୍ଦାଳୁ ଭାଗ ନେଇଥିଲେ। ଜୟପୁର ପୌରପାଳିକା ପକ୍ଷରୁ ରାଜନହର ରଥଖଳାରେ ସୁନ୍ଦର ସୁନ୍ଦର ଚିତ୍ର ଅଙ୍କା ଯାଇଥିବା ଦେଖିବାକୁ ମିଳିଥିଲା। ଉପଜିଲ୍ଲାପାଳ ବେଦବର ପ୍ରଧାନ, ଦେବୋତ୍ତର ଅଧିକାରୀ ତଥା ତହସିଲଦାର ସୁଶ୍ରୀ ସାଗରିକା ଷଡଙ୍ଗୀ, ପୌରକାର୍ଯ୍ୟନିର୍ବାହୀଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ, ପୌର ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି, ଉପାଧ୍ୟକ୍ଷା ବି. ସୁନିତା ପ୍ରମୁଖ ଭାଗ ନେଇଥିଲେ।
ଏସଡିପିଓ ହରିଶ ବି. ସି, ଟାଉନଥାନା ଅଧିକାରୀ ସମ୍ବିତ ବେହେରା ଓ ସଦରଥାନା ଅଧିକାରୀ ଇଶ୍ବର ତାଣ୍ଡି, ମହିଳା ଥାନା ଅଧିକାରୀ ମମତା ପାଣିଗ୍ରାହୀ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ। ରାଜରାଜୁଡା ଅମଳରୁ ଚାଲି ଆସିଥିବା ପୁରଣାଗଡ଼ ଜଗନ୍ନାଥ ମନ୍ଦିରରେ ଚାରି ଠାକୁରଙ୍କୁ ଧାଡ଼ି ପହଣ୍ଡି କରିବା ସହ ରଥଟଣା ଯାଇଥିଲା। ସେଭଳି ବାରିଣୀପୁଟରେ ଅନୁଷ୍ଠିତ ରଥଯାତ୍ରା ଉତ୍ସବରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ସମାଜସେବୀ ସୁଶାନ୍ତ ମୁଦୁଲି , ସଂଜୟ ଜୈନ ପ୍ରମୁଖ ଭାଗ ନେଇ ଭକ୍ତଙ୍କୁ ଉତ୍ସାହିତ କରିଥିଲେ। ସେଭଳି ଜୟପୁର ବ୍ଲକର ଆମ୍ବାଗୁଡା, ପୁଜାରୀପୁଟରେ ବି ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସେଭଳି ବାଟଜଗନ୍ନାଥପୁର ଗ୍ରାମବାସୀ ମାନେ ବି ରଥଯାତ୍ରା ପାଳନ କରିଛନ୍ତି। ବର୍ଷାକୁ ଖାତିର ନକରି ବାଟଜଗନ୍ନାଥପୁର ସହ ରାଣୀଗଡ ଓ ଅନ୍ୟାନ୍ୟ ଆଖପାଖ ଗାଁର ଗ୍ରାମବାସୀ ମାନେ ଏହି ଯାତ୍ରାରେ ଭାଗ ନେଇ ରଥ ଟାଣିଥିଲେ। ସମସ୍ତ ସ୍ଥାନରେ ଶାନ୍ତି ଶୃଙ୍ଖଳାରେ ହର୍ଷ ଉଲ୍ଲାସର ସହ ରଥଯାତ୍ରା ପାଳନ କରାଯାଇଛି।