କୋରାପୁଟ: ଗହଳିଚହଳିରେ ଫାଟି ପଡିଲା ବଡଦାଣ୍ଡ। ସବୁଠି ଭାବ, ଭକ୍ତିର ପରିବେଶ। ଆଉ ଭକ୍ତଙ୍କ ମେଳରେ ବଡ ଠାକୁର ଆଗେ ଆଗେ ଚାଲିଲେ। ମଝିରେ ଭଉଣୀ ସୁଭଦ୍ରା ଆଉ ଶେଷରେ ନାଟୁଆ କାଳିଆ। ତିନି ଠାକୁର ଅଲଗା ଅଲଗା ୩ଟି ରଥରେ ଯାତ୍ରା କରି ଭକ୍ତଙ୍କୁ ଧନ୍ୟ କରି ଦେଇଛନ୍ତି। ଆଉ ଠାକୁରଙ୍କ ଏହି ଯାତ୍ରା ଶାବର ଶ୍ରୀକ୍ଷେତ୍ରରେ ଶ୍ରୀକ୍ଷେତ୍ରର ଅନୁଭବ ଦେଇଛି। ପୁରୀ ଯାଇ ରଥଯାତ୍ରା ଦେଖି ପାରୁ ନ ଥିବା ଭକ୍ତ ଆଜି କୋରାପୁଟରେ ଠାକୁରଙ୍କ ଏହି ପବିତ୍ର ଯାତ୍ରାର ଆନନ୍ଦ ଊଠାଇ ପାରିଛନ୍ତି। ଆଜି କୋରାପୁଟରେ ହୋଇଥିବା ଅସମ୍ଭବ ଭିଡ ଏହାର ପ୍ରମାଣ ଦେଇଛି। ଆଜି ଠାକୁରଙ୍କ ଯାତ୍ରାରେ ସାମିଲ ହେବା ପାଇଁ ୩୦ ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ଆକଳନ କରାଯାଉଛି।

Advertisment

ମନମୋହିଲା ଦେଶିଆ ନାଚ, ଢେମସା:  ହରିବୋଲ, ହୁଳହୁଳି, ଜୟ ଜଗନ୍ନାଥ ଧ୍ବନି ଦେଇ ଭକ୍ତମାନେ ଠାକୁରଙ୍କୁ ଟାଣି ନେଇଥିଲେ ଗୁଣ୍ତିଚା ମନ୍ଦିରକୁ। କିଛି ଭକ୍ତ ଠାକୁରଙ୍କ ଆଗରେ ନିଜକୁ ସମର୍ପି ଦେଇ ନାଚଗୀତରେ ହଜି ଯାଇଥିଲେ। ତେବେ ସବୁଠାରୁ ଆକର୍ଷଣୀୟ ଥିଲା ଦେଶିଆ ନାଚ। ଶିରିବେଡାରୁ ଆସିଥିବା ଆଦିବାସୀ ଯୁବକଯୁବତୀମାନେ ଠାକୁରଙ୍କ ସମ୍ମୁଖରେ ପାରମ୍ପରିକ ଦୁରୁଆ ନୃତ୍ୟ କରି ଗୁଣ୍ତିଚା ମନ୍ଦିରକୁ ପାଛୋଟି ନେଇଥିଲେ। ବିଭିନ୍ନ ସ୍ଥାନରୁ ଆସିଥିବା ସଂକୀର୍ତ୍ତନ ମଣ୍ତଳୀ, ଘଣ୍ଟୁଆଙ୍କ ଉପସ୍ଥିତି ବଡଦାଣ୍ତରେ ଏକ ଭାବଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା। ବାଘ ନାଚ ଓ ଢେମସା ବି ବେଶ ଆକର୍ଷଣୀୟ ହୋଇଥିଲା। ବିଭିନ୍ନ ପ୍ରକାର ଆଦିବାସୀ ନୃତ୍ୟର ତାଳେତାଳେ ଭାବର ଠାକୁର ଯାତ୍ରା କରିଥିଲେ।

ସୁଭଦ୍ରାଙ୍କ ପାଖେ ପାଖେ ମହିଳା

କୋରାପୁଟରେ ଏଥର ବି ୩ଟି ରଥ ହୋଇଥିବା ବେଳେ ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ଟାଣିଥିଲେ। ବଡଦାଣ୍ଡରୁ ରଥଟଣା ଆରମ୍ଭ ହେବା ସମୟରେ ହଜାର ହଜାର ମହିଳା ସୁଭଦ୍ରାଙ୍କ ରଥ ପାଖରେ ଥିଲେ। ରଥଟଣା ଶେଷ ହେବା ପର୍ଯ୍ୟନ୍ତ କେବଳ ମହିଳା ମାନେ ରଥକୁ ଟାଣିଥିଲେ। ଆଗରୁ ମହିଳା ମାନେ ଠାକୁରଙ୍କ ରଥ ଛୁଇଁବାକୁ ସୁଯୋଗ ପାଉ ନଥିଲା ବେଳେ ଏଥର ରଥ ଟାଣିବା ପରେ ବେଶ ଖୁସି ଜାହିର କରିଥିଲେ। କେବଳ ଏତିକି ନୁହେଁ, ସୁଭଦ୍ରାଙ୍କୁ ମହିଳାମାନେ ପହଣ୍ଡି କରିବା ସହ ରଥରେ ପୂଜାର୍ଚ୍ଚନା କରିଥିଲେ। ସେହିପରି ରଥରେ ଡାହୁକ କାମ ବି ତୁଲାଇଥିଲେ ମହିଳା। ଏହା ଏକ ନିଆରା ପରିବେଶ ସୃଷ୍ଟି କରିଥିଲା।

publive-image Sambad

ଭକ୍ତଙ୍କ ପାଇଁ ମାଗଣା ପ୍ରସାଦ: କୋରାପୁଟରେ ରଥଯାତ୍ରା ପାଇଁ ଏଥର ଅଧିକ ଗହଳି ହୋଇଥିଲାବେଳେ ଭକ୍ତଙ୍କ ପାଇଁ ମାଗଣା ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା। ଜଗନ୍ନାଥ ମନ୍ଦିରରେ ପ୍ରସାଦର ସୁବିଧା ରହିଥିଲା। ସେହିପରି ବସଷ୍ଟାଣ୍ଡ ପାଖ ଶିବ ମନ୍ଦିର ନିକଟରେ ମାଗଣା ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା। କୋରାପୁଟର କିଛି ବଦାନ୍ୟ ବ୍ୟକ୍ତି ଏହି ମାଗଣା ପ୍ରସାଦର ଆୟୋଜନ କରିଥିଲେ। ଫଳରେ ଦୂର ଦୂରାନ୍ତରୁ ଆସିଥିବା ଭକ୍ତମାନଙ୍କ ପାଇଁ ସୁବିଧା ହୋଇଥିଲା। ଅପରପକ୍ଷରେ ରଥଯାତ୍ରା ସମୟରେ ବିଭିନ୍ନ ସଂଗଠନ ପକ୍ଷରୁ ସଫେଇ କାର୍ଯ୍ୟ କରାଯାଉଥିଲା। ଏହା ସହିତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସ୍ବେଛାସେବୀ ମାନେ ଭକ୍ତଙ୍କୁ ସହାୟତା କରୁଥିଲେ।

publive-image Sambad

ବଡ ଦାଣ୍ତରେ ନେତା, ପ୍ରଶାସକ: ଶାବର ଶ୍ରୀକ୍ଷେତ୍ର ରଥଯାତ୍ରାରେ ସାମିଲ ହେବା ପାଇଁ ସାଧାରଣ ଲୋକଙ୍କ ଭିତରେ ଅସମ୍ଭବ ଆଗ୍ରହ ରହିଥିଲା। ଏଥିରୁ ବାଦ୍‌ ପଡି ନ ଥିଲେ ରାଜନେତା ଓ ପ୍ରଶାସକ। ବିଧି ଅନୁଯାୟୀ, ରଥ ଉପରେ ଦୁଇ ଜଣ ଉପଜିଲ୍ଲାପାଳ ଗାଁ ମୁଖିଆଙ୍କ ମୁଣ୍ତରେ ଶିରପା ବାନ୍ଧିଥିଲେ। ଏପଟେ ଠାକୁରଙ୍କ ପହଣ୍ତି ଓ ରଥଟଣାରେ ସାମିଲ ହୋଇଥିଲେ ଏକାଧିକ ରାଜନେତା ଓ ପ୍ରଶାସକ। ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, ଜିଲ୍ଲା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି, କୋରାପୁଟ ବିଧାୟକ ରଘୁରାମ ପଡାଲ, ପୂର୍ବତନ ବିଧାୟକ ଗୁପ୍ତ ପ୍ରସାଦ ଦାସ, ଜିଲ୍ଲା ବିଜେଡି ସଭାପତି ଇଶ୍ବର ପାଣିଗ୍ରାହୀ, ରୀତା ପାଣିଗ୍ରାହୀ, ମୀରା ପରିଡା, ପୂର୍ବତନ ବିଧାୟକ ନିମାଇଁ ସରକାର, ପୂର୍ବତନ ନଗରପାଳ ଭଗବାନ ବାହିନୀପତି, ନଗରପାଳ ଲାଲଟ ରଞ୍ଜନ ସେଠୀ, ଉପନଗରପାଳ ସବିତା ପଣ୍ଡା, ବିଜେଡି ନେତା ରକି ପଣ୍ଡା ପ୍ରମୁଖ ଭକ୍ତଙ୍କ ଗହଣରେ ରଥ ଟାଣିଥିଲେ। ସେହିପରି କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ରାମେଶ୍ୱର ପ୍ରଧାନ, ରାଜେନ୍ଦ୍ର ମାଝୀ, ସୂଚନା ଓ ଲୋକ ସଂପର୍କ ଅଧିକାରୀ ସ୍ୱରାଜ ଶୀଶା, ସତ୍ୟ ନାରାୟଣ ପ୍ରଧାନ, ମନ୍ଦିର ପରିଚାଳନା କମିଟିର ସଂପାଦକ ଜଗବନ୍ଧୁ ସାମଲ ପ୍ରମୁଖ ରଥଟଣାରେ ସାମିଲ ହୋଇଥିଲେ।