କୋରାପୁଟ: ବର୍ଷକୁ ଥରେ ଭାବ ବିନୋଦିଆ କଳା ଠାକୁର ବଡ଼ଦାଣ୍ଡକୁ ଓହ୍ଲାଇ ଆସନ୍ତି। ଭକ୍ତଙ୍କ ମେଳରେ ଗୁଣ୍ଡିଚାବାଡିକୁ ଯାଆନ୍ତି। ଭକ୍ତ-ଭଗବାନଙ୍କ ଏହି ଅପୂର୍ବ ମିଳନରେ ଏଥର ବି ବାଧା ଦେଇଛି ମହାମାରୀ କରୋନାର ଦ୍ବିତୀୟ ଲହର। ଫଳରେ ଶାବର ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡରେ ଆଦିବାସୀମାନେ ସେମାନଙ୍କ ପ୍ରିୟ ଠାକୁରଙ୍କୁ ନ ପାଇ ନିରାଶ ହୋଇଛନ୍ତି। ରାସ୍ତା ବି ଝୁରୁଛି। ଯେଉଁ ସମୟରେ କୋରାପୁଟର ରାଜରାସ୍ତାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ, ଆଜି ସେହି ସମୟରେ ଶୁନଶାନ ହୋଇ ଯାଇଛି।
ଏପଟେ ମନ୍ଦିର ଭିତରେ ଠାକୁରଙ୍କ ରଥଯାତ୍ରା ନୀତି ସମ୍ପନ୍ନ ହୋଇଛି। ଆଦିବାସୀଙ୍କ ଆରାଧ୍ୟ ଦେବତା ବଡ଼ ଠାକୁର ପ୍ରଭୁ ଜଗନ୍ନାଥଙ୍କ ସବୁଠାରୁ ବଡ଼ ଉତ୍ସବ ରଥଯାତ୍ରା ପାଇଁ ଶାବର ଶ୍ରୀକ୍ଷେତ୍ରରେ ବେଶ ଉତ୍ସାହ ପ୍ରକାଶ ପାଇଥାଏ। ଠାକୁରଙ୍କ ରଥରେ ଆଦିବାସୀ ଲୋକ ହିଁ ଛେରାପହଁରା କରିବା ସହ ଆଦିବାସୀମାନଙ୍କ ବିଭିନ୍ନ ଭୋଗ ଠାକୁରଙ୍କ ପାଖରେ ଲାଗି କରାଯାଏ। ଫଳରେ ରଥଯାତ୍ରା ଦିନ କାହିଁ କେତେ ଦୂରରୁ ଆଦିବାସୀମାନେ ମୁଣ୍ଡରେ ଭୋଗ ବୋହି ଆଣି ସେମାନଙ୍କ ପ୍ରିୟ ଠାକୁରଙ୍କ ଅର୍ପଣ କରିଥାନ୍ତି। ଏଥିପାଇଁ ଶାବର ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡରେ ଭାବପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଥାଏ।
ଗତବର୍ଷ ପରି ଚଳିତବର୍ଷ ମଧ୍ୟ ଘୋଷ ଯାତ୍ରାରେ ଥିଲା ସବୁ ଶୁନଶାନ। ଜଗନ୍ନାଥ ମନ୍ଦିର ଆଖପାଖରେ ପୁଲିସର କଡ଼ା ପହରା ସହ ମନ୍ଦିର ପ୍ରବଶେକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରାଯାଇଥିଲା। ମନ୍ଦିର ନିକଟକୁ କାହାକୁ ଛଡ଼ା ଯାଉ ନ ଥିଲା। ଫଳରେ ମନ୍ଦିର ନିକଟକୁ ବି ଶ୍ରଦ୍ଧାଳୁ ଯାଇ ପାରି ନ ଥିଲେ। ଏପଟେ ମନ୍ଦିର ଭିତରେର ଠାକୁରଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା।
ଦେଉଳ ଭିତରେ ସୀମିତ ସେବାୟତଙ୍କୁ ନେଇ ଏହା କରାଯାଇଥିଲା। ଆଜି ସକାଳେ ଠାକୁରଙ୍କ ପୂଜାର୍ଚ୍ଚନା ପରେ ଆଜ୍ଞାମାଳ ଆସିଥିଲା। ପରେ ୩ ଠାକୁର ପହଣ୍ଡିରେ ଯାଇ ରଥାଋଢ ହୋଇଥିଲେ। ରଥରେ ରୀତିନୀତି ବଢିବା ପରେ ରଥଟଣା ଆରମ୍ଭ ହୋଇଥିଲା। ମନ୍ଦିର ପରିସରରେ ଏହି ସାନ ରଥ ମାତ୍ର ୯୦ ଫୁଟ ଯାଇଥିଲା। ପରେ ୩ ଠାକୁର ରଥରୁ ଆସି ମନ୍ଦିର ପରିସରରେ ଏକ ଅସ୍ଥାୟୀ ମଣ୍ଡପରେ ୩ ଠାକୁର ଅବସ୍ଥାନ କରିଥିଲେ। ମଧ୍ୟାହ୍ନ ସୁଦ୍ଧା ଏହି ରଥଯାତ୍ରା ଶେଷ ହୋଇଥିଲା। ଏଥିନେଇ ମନ୍ଦିର ପରିଚାଳନା କମିଟିର ସଂପାଦକ ଗଦାଧର ପରିଡା କହିଛନ୍ତି ଯେ, ଆଜି ସକାଳ ୮ଟା ୪୫ଟାରେ ଠାକୁରଙ୍କ ପୂଜାର୍ଚ୍ଚନା ରଥଯାତ୍ରା ନୀତି ବଢିଥିଲା। ୩ ଠାକୁରଙ୍କୁ ରଥରେ ନେଇ ଅସ୍ଥାୟୀ ଗୁଣ୍ଡିଚା ମଣ୍ଡପରେ ଅବସ୍ଥାନ କରାଯାଇଥିଲା। ୧୨ଟା ୩୦ଟା ଭିତରେ ସବୁ ନୀତି ଶେଷ ହୋଇଥିଲା ବୋଲି ସେ କହିଛନ୍ତି। ଅପରକ୍ଷରେ ଆସନ୍ତାକାଲି ଠାରୁ ଆଡପମଣ୍ଡପରେ ଠାକୁରଙ୍କ ବିଭିନ୍ନ ବେଶ କରାଯିବ ବୋଲି ସେ କହିଛନ୍ତି।