ଗୁଣ୍ଡିଚା ମନ୍ଦିରରେ ସ୍ଥାପନ ହେଲେ ପତିତପାବନ ଦେବଙ୍କ ଚଳନ୍ତି ପ୍ରତିମା

ବାଲିଅନ୍ତା: ମହାମାରୀ କରୋନା କଟକଣା ନେଇ କେଉଁ ଆବହମାନ କାଳରୁ ଅନୁଷ୍ଠିତ ହୋଇ ଆସୁଥିବା ସ୍ଥାନୀୟ କାକରୁଦ୍ରପୁର ସ୍ଥିତ ପତିତପାବନ ଦେବଙ୍କ ଗୁଣ୍ଡିଚା ଯାତ୍ରା ବନ୍ଦ କରାଯାଇଛି। ହେଲେ ଠାକୁରଙ୍କ ବିଧି ରକ୍ଷା ନେଇ ମନ୍ଦିରରେ ସମସ୍ତ ପୂଜାନୀତି ଯଥାବିଧି କରାଯାଇଥିଲା। ଶ୍ରଦ୍ଧାଳୁମାନେ ରଥରେ ଦିଅଁଙ୍କୁ ଦର୍ଶନ କରିବାର ସୁଯୋଗ ପାଇନଥିବାରୁ ଦୁଃଖରେ ମର୍ମାହତ ହୋଇପଡ଼ିଥିଲେ। ଅକ୍ଷୟ ତୃତୀୟା ଦିନ ବଡ଼ଦାଣ୍ଡରେ ରଥ ନିର୍ମାଣ ନେଇ କାଠ ଅନୁକୂଳ ହୋଇଥିଲା। ରଥ ତିଆରି ଲାଗି କାଠ ସଂଗ୍ରହ ଠାରୁ ଆରମ୍ଭ କରି ସବୁ ପ୍ରକାରର ପ୍ରସ୍ତୁତି ସରିଥିଲା। ହେଲେ ଶେଷ ମୁହୂର୍ତ୍ତରେ ରଥଟଣା ହୋଇପାରିବ ନାହିଁ ବୋଲି ସରକାରୀ ସ୍ତରରେ ନିର୍ଦ୍ଦେଶ ହେବା ପରେ ନିର୍ମାଣ କାର୍ଯ୍ୟ ବନ୍ଦ କରାଯାଇଥିଲା। ସେହିପରି ଆଜି ବଡ଼ଦାଣ୍ଡରେ ରଥଟଣା ଯାଇନଥିଲେ ହେଁ ଠାକୁରଙ୍କ ଚଳନ୍ତି ପ୍ରତିମାକୁ ପୂଜକ ଓ ସେବାୟତ ମାନେ ନେଇ ଗୁଣ୍ଡିଚା ମନ୍ଦିରରେ ସ୍ଥାପନ କରିଥିଲେ।

ପ୍ରତ୍ୟୁଷରେ ମଇଲମ, ତଡ଼ପ ଲାଗି, ସୂର୍ଯ୍ୟପୂଜା, ଗୋପାଳବଲ୍ଲଭ ଆଦି ପୂଜାନୀତି ସଂପନ୍ନ ହୋଇଥିଲା। ଏହାପରେ ପତିତପାବନ ଦେବଙ୍କ ଚଳନ୍ତି ପ୍ରତିମା ଗୁଣ୍ଡିଚା ମନ୍ଦିରକୁ ବିଜେ କରିଥିଲେ। ମଧ୍ୟାହ୍ନରେ ଅଣସର ବେଦୀରୁ ପତିତପାବନ ଦେବଙ୍କୁ ନେଇ ମୁଖ୍ୟ ମନ୍ଦିର ସିଂହାସନରେ ସ୍ଥାପନ କରାଯାଇଥିଲା। ସେହିପରି ବିଧିରକ୍ଷା ପାଇଁ ଅନୁରୂପ ଭାବେ ପରଂପରା ଅନୁଯାୟୀ ବାହୁଡ଼ାବାସୀ ଦିନ ପତିତପାବନ ଦେବଙ୍କ ଚଳନ୍ତି ପ୍ରତିମା ବିଗ୍ରହ ମନ୍ଦିରକୁ ଫେରିବେ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି। ଅନ୍ୟପକ୍ଷରେ ପତିତପାବନ ଦେବଙ୍କ ରଥଯାତ୍ରା ସିନା ବନ୍ଦ ରହିଲା, ହେଲେ ବିଭିନ୍ନ ଗାଁ ଗଳିରେ କୁନି କୁନି ପିଲାଙ୍କ ରଥ ଗାଁ ଦାଣ୍ଡରେ ଗଡ଼ିଥିଲା। ପିଲାମାନେ ରଥରେ ପ୍ରଭୁ ଜଗନ୍ନାଥଙ୍କ ଫଟୋ ଚିତ୍ର ରଖି ରଥ ଟାଣିଥିଲେ।

ସମ୍ବନ୍ଧିତ ଖବର