ପାତ୍ରପୁର: ଗଞ୍ଜାମ ଜିଲ୍ଲାର ପାର୍ଥସାରଥିଧାମ ଭାବେ ପରିଚିତ ଜରଡ଼ାଗଡ଼ରେ ରଥଯାତ୍ରା ଆଧ୍ୟାତ୍ମିକମୟ ପରିବେଶରେ ପାଳିତ ହୋଇଯାଇଛି। ଯାତ୍ରାରେ ସୀମାନ୍ତ ଆନ୍ଧ୍ରପ୍ରଦେଶ ସମେତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଭାଗରୁ ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ମହାପ୍ରଭୁଙ୍କ ସମସ୍ତ ରୀତିନୀତି ନିର୍ଦ୍ଧାରିତ ସମୟରେ ସଂପନ୍ନ ହୋଇଥିଲା। ଶ୍ରଦ୍ଧାଳୁମାନେ ଭାରରେ ଆଣିଥିବା ଦହିଲିଆ ମହାପ୍ରଭୁଙ୍କ ନିକଟରେ ସଂପନ୍ନ କରିଥିବା ବେଳେ ବହୁ ମାନସିକଧାରୀମାନେ ପିଲାଙ୍କ ମୁଣ୍ଡନ କରିଥିଲେ। ଏହାପରେ ପହଣ୍ଡି ଆରମ୍ଭ ହୋଇଥିଲା।
ବାଜାବାଜଣା ଓ ହୁଳହୁଳିରେ ମହାପ୍ରଭୁ ରଥାରୂଢ଼ ହୋଇଥିଲେ। ଜରଡ଼ା ରାଜା ଦୀପକ କୁମାର ଛେରା ପହଁରା କରିବା ପରେ ରଥଟଣା ଆରମ୍ଭ ହୋଇଥିଲା। ‘ଜୟ ଜଗନ୍ନାଥ, ଜୟ ସାରଥି ଗୋସାଇଁ’ ଧ୍ବନିରେ ପରିବେଶ ପ୍ରକମ୍ପିତ ହୋଇଉଠିଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ମନ୍ଦିର କମିଟି ଓ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ବହୁ ସଂଖ୍ୟାରେ ସ୍ବେଚ୍ଛାସେବୀ ସହଯୋଗ କରିଥିଲେ। ସେହିଭଳି ଜୟନ୍ତୀପୁର, ତୁମ୍ବା, ନୂଆଗଡ଼ ଓ ପଦାଦିଗିରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପରମ୍ପରା ଅନୁସାରେ ସୁରଙ୍ଗିଗଡ଼ରେ ଶ୍ରୀଜିଉଙ୍କ ପହଣ୍ଡି ବିଜେ ପରେ ଆସନ୍ତାକାଲି ରଥଟଣା ଅନୁଷ୍ଠିତ ହେବ। ପାତ୍ରପୁରରେ ପୂର୍ବତନ ବାଚସ୍ପତି ଚିନ୍ତାମଣି ଦ୍ୟାନସାମନ୍ତରାଙ୍କ ତତ୍ତ୍ବାବଧାନରେ ରଥଯାତ୍ରା ପାଳିତ ହୋଇଛି।