ଭଞ୍ଜନଗର: ଭଞ୍ଜନଗର ନିକଟ ଐତିହ୍ୟସଂପନ୍ନ କୁଲାଡ଼ରେ ଆଧ୍ୟାତ୍ମିକ ପରିବେଶରେ ଶ୍ରୀଜିଉଙ୍କ ଘୋଷଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଥିପାଇଁ ଗ୍ରାମର ବଡ଼ଦାଣ୍ଡ ଜନସମୁଦ୍ର ପାଲଟିଯାଇଥିଲା। ଭଞ୍ଜବଂଶ ଦାୟାଦ ପ୍ରଶାନ୍ତ ଭଞ୍ଜଦେଓ, ପ୍ରଶାସନିକ ଓ ପୁଲିସ ଅଧିକାରୀମାନଙ୍କ ଉପସ୍ଥିତିରେ ଶ୍ରୀଜିଉଙ୍କ ସମସ୍ତ ପହଣ୍ଡି ସମେତ ସମସ୍ତ ନୀତି ସଂପନ୍ନ କରାଯାଇ ରଥାରୂଢ଼ କରାଯାଇଥିଲା। ଏହାପରେ ସନ୍ଧ୍ୟାରେ ରଥଟଣା ଆରମ୍ଭ ହୋଇଥିଲା। ମନ୍ଦିର ପରିଚାଳନା କମିଟି ସଭାପତି ତଥା ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ, ତହସିଲଦାର ଅଚ୍ୟୁତାନନ୍ଦ ଜାନି, ଏଟିଓ ନିହାର ରଞ୍ଜନ ବେହେରା ଓ ଆରଆଇ କୁନ୍ଦନ ପାତ୍ର ପ୍ରମୁଖ ଉପସ୍ଥିତ ରହି ରଥ ଟାଣିଥିଲେ।
ପୂର୍ବତନ ସରପଞ୍ଚ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ଓ ସରପଞ୍ଚ ପ୍ରତିନିଧି ରାଜୀବଲୋଚନ ରାଜୁଙ୍କ ସମେତ ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ସହଯୋଗ କରିଥିଲେ। ଭଞ୍ଜନଗର ଥାନାଧିକାରୀ ଧୀରେଶ କୁମାର ଦାସଙ୍କ ତତ୍ତ୍ବାବଧାନରେ ଶାନ୍ତିଶୃଙ୍ଖଳା ରକ୍ଷା କରାଯାଇଥିଲା। ସେହିପରି ବଡ଼କୋଦଣ୍ଡା, ଭେଜିପୁଟ, ଜିଲୁଣ୍ଡି, ଗାଲେରୀ, ଡୁମାକୁମ୍ପା ଓ ଲେମ୍ଭାଇରେ ମଧ୍ୟ ରଥଯାତ୍ରା ପାଳିତ ହୋଇଯାଇଛି। ଭଞ୍ଜନଗର ସହରରେ ଥିବା ଜଗନ୍ନାଥ ମନ୍ଦିର ପକ୍ଷରୁ ନୂତନ ରଥରେ ଶ୍ରୀଜିଉଙ୍କୁ ବିଜେ କରାଯାଇଥିଲା। ଗାଲେରୀରେ ଦଧିବାମନ ସ୍ବାମୀଙ୍କ ରଥଯାତ୍ରା ପାଳିତ ହୋଇଛି। ମନ୍ଦିର ପରିଚାଳନା କମିଟି ଟ୍ରଷ୍ଟି ରବି ପ୍ରସାଦ ଶତପଥୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପୁରୋହିତ ତାରିଣୀ ଚରଣ ତ୍ରିପାଠୀ ବିଭିନ୍ନ ନୀତି ସମାପନ କରିଥିଲେ।