ପୁରୀ: ଏପ୍ରିଲ ୪, ବୁଧବାର ଦିନ ଏକବିଂଶ ଶତାବ୍ଦୀରେ ପ୍ରଥମ ଥର ପାଇଁ ଖୋଲାଯିବାକୁ ଯାଉଛି ଶ୍ରୀଜଗନ୍ନାଥଙ୍କ ରତ୍ନ ଭଣ୍ଡାର । ୧୯୮୪ ମସିହାରେ ଶେଷ ଥର ପାଇଁ ରତ୍ନଭଣ୍ଡାର ଖୋଲାଯିବା ବେଳେ ସେସମୟରେ ଶ୍ରୀମନ୍ଦିରର ସହଯୋଗୀ ପ୍ରଶାସକ ଥିଲେ ରବୀନ୍ଦ୍ର ନାରାୟଣ ମିଶ୍ର । ଶ୍ରୀ ମିଶ୍ରଙ୍କର ରତ୍ନ ଭଣ୍ଡାର ପ୍ରବେଶ ଅନୁଭୂତି ବେଶ୍ ତାତ୍ପର୍ଯ୍ୟ ବହନ କରେ।
ରବୀନ୍ଦ୍ର ନାରାୟଣ ମିଶ୍ରଙ୍କ କହିବା ଅନୁଯାୟୀ, ୧୯୮୪ ମସିହାରେ ରତ୍ନଭଣ୍ଡାର ଖୋଲିବା ପାଇଁ ଏକ ଚାରି ଜଣିଆ କମିଟି ଗଠନ ହୋଇଥିଲା । ଏହି କମିଟିରେ ଗଜପତି ମହାରାଜଙ୍କ ପ୍ରତିନିଧି, ଭଣ୍ଡାର ମେକାପ, ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ଓ ସେବକ ଥିଲେ। ଅନ୍ଧାରୁଆ ରତ୍ନଭଣ୍ଡାର ଭିତରକୁ ଯିବା ପାଇଁ ଏକ ବଡ ଦୀପର ସାହାଯ୍ୟ ନିଆଯାଇଥିଲା। ରତ୍ନ ଭଣ୍ଡାର ଭିତରେ ଦୀପ ଆଲୁଅରେ ଯାହା ଦେଖିବାକୁ ମିଳିଥିଲା ତାହା ତାଙ୍କୁ ବିସ୍ମିତ କରିଥିଲା । ଦୀପ ଆଲୁଅରେ ସେ ଭଣ୍ଡାରର ଏକ ର୍ନିଦ୍ଦିଷ୍ଟ ସ୍ଥାନରୁ ଅଳଙ୍କାର ସଂଗ୍ରହ କରିଥିଲେ । ସବୁ ସିନ୍ଦୁକ ଖୋଲି ନ ଥିଲେ ମଧ୍ୟ ଯେତିକି ସିନ୍ଦୁକ ଖୋଲାଯାଇଥିଲା ସେଥିରେ ବିଭିନ୍ନ ଦୁର୍ମୂଲ୍ୟ ଅଳଙ୍କାର ରହିଥିଲା । ଏପରି କଦଳୀ ଭଣ୍ଡା ଭଳି କୁଣ୍ଡଳ ଓ ଏକ ହାତ ଲମ୍ବର ଚିତା ଦେଖିବା ପରେ ସେ ସ୍ତମ୍ଭୀଭୂତ ହୋଇଯାଇଥିଲେ । ଏହାର ନିର୍ମାଣ ଶୈଳୀ ଦେଖି ସେ ଚମକି ପଡ଼ିଥିଲେ ।
ପ୍ରଥମ ଭଣ୍ଡାର ଘରେ କେବଳ ମହାପ୍ରଭୁଙ୍କ ବେଶ ଓ ନୀତିକାନ୍ତି ପାଇଁ ଅଳଙ୍କାର ରହିଥିବା ବେଳେ ଭିତର ଭଣ୍ଡାରରେ ଅନେକ ସୁନା,ହୀରା, ମଣି, ମୁକ୍ତା ଭଳି ଦୁର୍ମୂଲ୍ୟ ପଦାର୍ଥ ରହିଛି । କିନ୍ତୁ ସବୁ ସିନ୍ଦୁକ ଖୋଲିବାକୁ ତାଙ୍କୁ ଅଧିକାର ଦିଆ ଯାଇ ନ ଥିବାରୁ ସେ ଅଳ୍ପ କିଛି ସିନ୍ଦୁକ ଖୋଲି ମହାପ୍ରଭୁଙ୍କ ଅଳଙ୍କାର ପାଇଁ ଆବଶ୍ୟକ ସୁନା ନେଇ ସେଠାରୁ ଚାଲିଆସିଥିଲେ । ତେବେ ରତ୍ନଭଣ୍ଡାର ଭିତରକୁ ଯିବା ପାଇଁ ତାଙ୍କୁ ଆଦୌ ଭୟ ଲାଗୁ ନଥିଲା ବୋଲି ସେ କହିଛନ୍ତି । ବରଂ ପ୍ରଭୁଙ୍କ କାମ ପାଇଁ ରତ୍ନଭଣ୍ଡାର ଭିତରକୁ ଯିବା ବେଳେ ସେ ବେଶ ଆନନ୍ଦିତ ହୋଇଥିଲେ। ଯେଉଁମାନେ କୌଣସି ଅପରାଧିକ କାର୍ଯ୍ୟ ପାଇଁ ପ୍ରଭୁଙ୍କ ରତ୍ନଭଣ୍ଡାରକୁ ଯାଇଥାନ୍ତି ସେମାନଙ୍କୁ ଭୟ ଲାଗିଥାଏ । ଯେହେତୁ ସେ ପ୍ରଭୁଙ୍କ କାମ ପାଇଁ ରତ୍ନଭଣ୍ଡାର ଭିତରକୁ ଯାଇଥିଲେ ତେଣୁ ସେଭଳି ଭୟ ତାଙ୍କ ମନରେ ନଥିଲା । ତେବେ ରତ୍ନଭଣ୍ଡାର କଥା ଭାବିଲେ ତାଙ୍କ ଲୋମମୂଳ ଟାଙ୍କୁରି ଉଠିଥାଏ ବୋଲି ରବୀନ୍ଦ୍ର ନାରାୟଣ ମିଶ୍ର କହିଛନ୍ତି।