ଆରମ୍ଭ ହେଲା ରତ୍ନଭଣ୍ଡାର ଚାବି ନେଇ ବିଚାର ବିଭାଗୀୟ ତଦନ୍ତ, ଅଗଷ୍ଟ ୭ରେ ହେବ ପରବର୍ତ୍ତୀ ଶୁଣାଣି

ପୁରୀ: ପୁରୀ ସର୍କିଟ ହାଉସରେ ସୋମବାର ବିଚାରପତି ରଘୁବୀର ଦାସ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଶୁଣାଣି କରିଛନ୍ତି । ଆଜି ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ରଖିଥିବା ପକ୍ଷରେ ସନ୍ତୋଷ ପ୍ରକାଶ କରି ନଥିବା ଜଣାଇଛନ୍ତି କମିଶନ ଅଧ୍ୟକ୍ଷ ଜଷ୍ଟିସ ଦାସ, ତେଣୁ ଆସନ୍ତା ଅଗଷ୍ଟ ୭ରେ ଏହାର ପରବର୍ତ୍ତୀ ଶୁଣାଣ କରିବା ପାଇଁ ତଦନ୍ତ କମିଶନ ଅଧ୍ୟକ୍ଷ ଜଷ୍ଟିସ୍‌ ରଘୁବୀର ଦାସ ନିର୍ଦ୍ଦେଶ ଦେଇଛନ୍ତି। ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ପୂର୍ବରୁ ଦାଖଲ ହୋଇଥିବା ସତ୍ୟପାଠ ତଥ୍ୟଭିତିକ ନୁହେଁ ବୋଲି କମିଶନ ଜଣାଇଛନ୍ତି । ତେଣୁ ପୁର୍ନବାର ସତ୍ୟପାଠ ଦାଖଲ ପାଇଁ ମନ୍ଦିର ପ୍ରଶାସନ , ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ, ଚାବି ପ୍ରକୃତରେ ହଜିଛି, ନା କାହାପାଖରେ ରହିଛି, ଯଦି ହଜିଛି ତେବେ କେଉଁ ପରିସ୍ଥିତିରେ ଚାବି ହଜିଛି ଏସବୁ ଦିଗ ଉପରେ ପକ୍ଷକୁ ଦୃଷ୍ଟିରେ ରଖି ପୁଙ୍ଖାନୁପୁଙ୍ଖ ତଦନ୍ତ କରିବେ ଜଷ୍ଟିସ ଦାସ। ଗତ କିଛି ମାସ ତଳେ ରତ୍ନ ଭଣ୍ଡାର ଯାଞ୍ଚ ସମୟରେ ମନ୍ଦିରର ଭିତର ଭଣ୍ଡାର ଦ୍ୱାରରେ ୩ଟି ତାଲା ଦେଖିଥିଲେ ଯାଞ୍ଚକାରୀ । ସେହି ୩ଟି ରୁ ଗୋଟିଏରେ ଜଉମୁଦ ଦିଆଯାଇଥିବା ଦେଖିବାକୁ ମିଳିଥିଲା ଆହୁରି ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ଦେଇଥିବା ଚାବି ସେ ତାଲାରେ ନଥିବା କଥା ଜଣାପଡିଥିଲା । ପରେ ଜିଲ୍ଲା ପ୍ରଶାସନକୁ ରତ୍ନ ଭଣ୍ଡାରର ଡୁପ୍ଲିକେଟ ଚାବି ମିଳିବା ପରେ ଅନେକ ବିବାଦ ଦେଖାଯାଇଥିଲା । ଯାହାକୁ ନେଇ ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇ ଜଷ୍ଟିସ ରଘୁବୀର ଦାସଙ୍କୁ ତଦନ୍ତ କମିଶନର ଦାୟି୍‌ତ୍ୱ ଭାର ଦେଇଥିଲେ ମୁଖ୍ୟମନ୍ତ୍ରୀ । ରଥଯାତ୍ରା ଶେଷ ହେବାପରେ ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନଙ୍କୁ ଉପଯୁକ୍ତ ସମୟ ମିଳିବ, ଏବଂ ସେମାନେ ନିଜର ପକ୍ଷ ମଧ୍ୟ ସଠିକ ଭାବେ ରଖି ପାରିବେ।

ସମ୍ବନ୍ଧିତ ଖବର