ଭଦ୍ରକ: ଭଦ୍ରକ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଦେବଦତ୍ତ ପଟ୍ଟନାୟକ ଆଗରପଡା ଥାନା ରାଉତରା ଗଡିଆ ୱାର୍ଡମେମ୍ବର ଚିନ୍ତାମଣି ପାଳଙ୍କୁ ମରଣାନ୍ତକ ଆକ୍ରମଣ ଓ ହତ୍ୟା ଉଦ୍ୟମ ମାମଲାର ବିଚାର କରି ଅଭିଯୁକ୍ତ ସେହି ଗ୍ରାମର କମଳାକାନ୍ତ ଗିରିଙ୍କ ପୁତ୍ର ପ୍ରଫୁଲ୍ଲ କୁମାର ଗିରିଙ୍କୁ ୩୦୭ ଦଫାରେ ଦୋଷୀ ସାବ୍ୟସ୍ତ କରି ୪ ବର୍ଷ ସଶ୍ରମ କାରାଦଣ୍ଡ ଓ ୫ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି । ଜରିମାନା ଅନାଦେୟ ହେଲେ ପୁଣି ୬ ମାସ ସଶ୍ରମ ଜେଲ ଦଣ୍ଡ ଭୋଗିବା ପାଇଁ ମାନ୍ୟବର କୋର୍ଟ ନିର୍ଦ୍ଦେଶ ଦେବା ସହ ଆଦାୟ ଜରିମାନା ଟଙ୍କାକୁ ୱାର୍ଡମେମ୍ବର ଚିନ୍ତାମଣିଙ୍କୁ ଦେବା ପାଇଁ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି।
ଘଟଣାରୁ ପ୍ରକାଶ ୨୦୧୫ ମସିହାରେ ରାଉତରାଏ ଗଡିଆରେ କେନାଲ କାମ ଚାଲୁଥିବା ବେଳେ ସେହି ଗ୍ରାମର ୱାର୍ଡମେମ୍ବର ଚିନ୍ତାମଣି ଉପସ୍ଥିତ ରହି କାମ ତଦାରଖ କରୁଥିଲେ। ସେହି ବର୍ଷ ଫେବୃଆରି ମାସ ୬ ତାରିଖରେ କାମ ଚାଲୁଥିବା ବେଳେ ସେହି ଗ୍ରାମର ପ୍ରଫୁଲ୍ଲ ପାଳ ହଠାତ ତାଙ୍କୁ ଅଶଭ୍ୟ ଭାଷାରେ ଗାଳି ଗୁଲଜ କରି ଏକ ଗୁଟିଆ (ଛୋଟ କୁରାଢୀ) ସାହାଯ୍ୟରେ ମାରଣାନ୍ତକ ଆକ୍ରମଣ କରି ରକ୍ତାକ୍ତ କରି ଦେଇଥିଲା। ଫଳରେ ଗୁରୁତର ଆଘାତ ପ୍ରାପ୍ତ ହୋଇ ଥିବା ଚିନ୍ତାମଣିଙ୍କୁ ପ୍ରଥମେ ଆଗରପଡା ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତର କରା ଯାଇଥିଲା।
ସେ ଗୁରୁତର ଥିବାରୁ ଏ ବିଷୟରେ ସେହି ଗ୍ରାମର କାହ୍ନୁଚରଣ ଗିରି ଆଗରପଡା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ କେସ ନଂ-୧୫/୧୫ ଦଫା ୨୯୪,୩୨୩, ୩୨୫, ୩୦୭ ଦଫାରେ ଏକ ମାମଲା ରୁଜୁ କରି ପ୍ରଫୁଲ୍ଲକୁ ଗିରଫ କରି କୋର୍ଟ ଚାଲାଣ କରି ଥିଲା। ପରେ ମାନ୍ୟବର କୋର୍ଟ ତାକୁ ଜାମିନ ପ୍ରଦାନ କରି ଥିଲେ। ମାମଲାଟି ତଦନ୍ତ ପରେ ଚାର୍ଜସିଟ ହେବା ପରେ ଏହି ମାମଲାଟି ଭଦ୍ରକ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅଦାଲତରେ ଏସଟି ନମ୍ବର- ୦୩/୨୦୧୭ରେ ବିଚାର ହୋଇ ଆଜି ଏହି ରାୟ ପ୍ରକାଶ ପାଇଛି। ସରକାରଙ୍କ ତରଫରୁ ଭଦ୍ରକର ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ଜତିକାନ୍ତ ନାୟକ ମାମଲା ପରିଚାଳନା କରୁଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/Jail.jpg)