ମେ’ ୧ରୁ ରବି ମଣ୍ଡି, ପଞ୍ଜୀକରଣ ପାଇଁ ଚାଷୀ ଅମଙ୍ଗ, ପଡ଼ୋଶୀ ରାଜ୍ୟକୁ ଚାଲିଯିବ ଅମଳ ଧାନ

୩୫୦୦ ହେକ୍ଟର ଜମିରେ ହୋଇଛି ଚାଷୀ, ଲକଡାଉନ୍ ପାଇଁ ଖଳାରେ ପଡ଼ିଛି ଅମଳ ଧାନ

ରାୟଗଡ଼ା: ଖରିଫ୍ ଧାନ ବିକ୍ରିରେ ପଞ୍ଜିକରଣକୁ ନେଇ ହଟହଟା ହେଲୁ। ବିଭାଗୀୟ ଦାଓପେଞ୍ଚରେ ପେସି ହୋଇ ପଡିଲୁ। ଖରା, ବର୍ଷାରେ ୨ ମାସ ଧାନ ପଡ଼ି ରହିବା ପରେ ବିକ୍ରି ହେଲା। ଆଉ ପଞ୍ଜିକରଣ କରିବାକୁ ଇଚ୍ଛା ନାହିଁ। ଯଦି ଧାନ ନେବ ଆଗ ଟଙ୍କା ଦିଅ। ପଞ୍ଜିକରଣ ବି ନିଜେ କର। ରବି ମଣ୍ଡି ଆରମ୍ଭ ପୂର୍ବରୁ ଯୋଗାଣ ବିଭାଗ ଓ ମିଲର୍ସଙ୍କୁ ଏପରି ଚେତାବନୀ ଦେଇଛନ୍ତି ଚାଷୀ।

ମେ’ ୧ରୁ ରାୟଗଡ଼ାରେ ଖୋଲିବ ରବି ମଣ୍ଡି। ହେଲେ ଏଯାବତ୍ ମାତ୍ର ୨୧୦୦ ଚାଷୀ ପଞ୍ଜିକରଣ କରିଛନ୍ତି। ଚାଷୀଙ୍କଠାରୁ କେତେ ଧାନ କିଣାଯିବ ସେ ନେଇ ସରକାରଙ୍କ ପକ୍ଷରୁ ଟାର୍ଗେଟ୍ ମଧ୍ୟ ଆସିନି। ଆଜି ରାଜ୍ୟ ସରକାର ମଣ୍ଡି ଖୋଲିବାକୁ ନିର୍ଦେଶ ଦେବା ପରେ ତତ୍ପର ହୋଇଛି ଯୋଗାଣ ବିଭାଗ। କିନ୍ତୁ ପଞ୍ଜିକରଣ ପାଇଁ ଚାଷୀ ଅମଙ୍ଗ ହେଉଛନ୍ତି। ଖରିଫରେ ପଞ୍ଜିକରଣରୁ ବାଦ୍ ପଡ଼ିଥିବା ଚାଷୀ ପଡୋଶୀ ରାଜ୍ୟକୁ ଧାନ ବିକ୍ରି କରି ଦେବାକୁ ଚେତାବନୀ ଦେଇଛନ୍ତି। ଲ୍ୟାମ୍ପସ ମାଧ୍ୟମରେ ଧାନ କ୍ରୟ ପାଇଁ ବିଭାଗ ଲକ୍ଷ୍ୟ ରଖିଥିବା ବେଳେ ଜିଲ୍ଲାର ସମସ୍ତ ଲ୍ୟାମ୍ପସରେ ଚାଷୀ ପଞ୍ଜିକରଣ ଆଶାତୀତ ଭାବେ ହୋଇନି। ପଞ୍ଜିକରଣ ସମୟରେ ଜମି ପଟା, ସିସ୍ତୁ, ବ୍ୟାଙ୍କ ଆକାଉଣ୍ଟ୍, ଆଧାରକାର୍ଡ, ଜଳକର ସାର୍ଟିଫିକେଟ୍ ପ୍ରଦାନ ଲାଗି ବିଭାଗ ନିୟମ କରିଥିବାରୁ ଚାଷୀ ପଞ୍ଜିକରଣ କେନ୍ଦ୍ରକୁ ଆସିବାକୁରଇଚ୍ଛା ପ୍ରକାଶ କରୁନାହାନ୍ତି। ଅନ୍ୟପକ୍ଷରେ ଲକଡାଉନ୍ ଯୋଗୁ ଯାନବାହନ ଚଳାଚଳ ବନ୍ଦ ଥିବାରୁ ଗ୍ରାମାଞ୍ଚଳ ଚାଷୀ ପଞ୍ଜିକରଣ କେନ୍ଦ୍ରକୁ ଆସି ପାରୁନାହାନ୍ତି। ବହୁ ଚାଷୀ ପଞ୍ଜିକରଣ ସଂପର୍କରେ ଅଜ୍ଞ ଥିବାରୁ ଲ୍ୟାମ୍ପସ କର୍ତ୍ତୃପକ୍ଷ ଗତ ବର୍ଷ ଚାଷୀ ତାଲିକା ଦେଖି ନି‌ଜ ଆଡ଼ୁ ଫୋନ୍ କରି ପଞ୍ଜିକରଣ ପାଇଁ ଚାଷୀଙ୍କୁ ନିବେଦନ କରୁଛନ୍ତି। କିଛି ଲ୍ୟାମ୍ପସ କର୍ତ୍ତୃପକ୍ଷ ଚାଷୀଙ୍କୁ ୱାଟସଅପରେ ଆବଶ୍ୟକ କାଗଜପତ୍ର ପଠାଇବାକୁ କହିବା ସହ ନିଜେ ପଞ୍ଜିକରଣ କରାଉଛନ୍ତି। ଏହା ସତ୍ତ୍ବେ ଚାଷୀ ପଞ୍ଜିକରଣ କରିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି।

ଚଳିତ ରବି ଋତୁରେ ରାୟଗଡ଼ା ଜିଲ୍ଲାର ୩୫୦୦ ହେକ୍ଟର ଜମିରେ ଧାନ ଚାଷ ହୋଇଛି। ଜଳସେଚିତ ଅଞ୍ଚଳରେ ଏହି ଚାଷ ହୋଇଥିବାରୁ ହେକ୍ଟର ପିଛା ୫୫ କୁଇଣ୍ଟାଲ୍ ଧାନ ଅମଳ ହେବା ନେଇ କୃଷି ବିଭାଗ ଆକଳନ କରିଛି। ଫଳରେ ପାଖାପାଖି ୨ ଲକ୍ଷ କୁଇଣ୍ଟାଲ୍ ଧାନ ଅମଳ ହେବ। ଗତ ବର୍ଷ ଯୋଗାଣ ବିଭାଗ ରବି ମଣ୍ଡିରେ ଚାଷୀଙ୍କ ନିକଟରୁ ୬୫ ହଜାର କୁଇଣ୍ଟାଲ ଧାନ କିଣିଥିଲା। ଚଳିତ ବର୍ଷ ମଣ୍ଡି ଆରମ୍ଭ ହେବାକୁ ଆଉ ୧୨ ଦିନ ବାକିଥିବା ବେଳେ ଧାନ କିଣା ଟାର୍ଗେଟ୍ ଆସିନି। ଫଳରେ ପଞ୍ଜିକରଣ କରିଥିବା ଚାଷୀ ଚିନ୍ତାରେ ପଡ଼ିଛନ୍ତି। ଆସନ୍ତା ୪/୫ ଦିନ ଧରି କଳାବୈଶାଖୀ ତାଣ୍ଡବ ମଚାଇବା ନେଇ ପାଣିପାଗ ବିଭାଗର ଘୋଷଣା ପରେ ଚାଷୀକୂଳ ଚିନ୍ତାରେ ପଡ଼ିଛନ୍ତି। ୭୦ ପ୍ରତିଶତ ଧାନ ଅମଳ ସରିଥିବା ବେଳେ ଲକଡାଉନ୍ ଯୋଗୁ ଗାଡ଼ି ସୁବିଧା ନଥିବାରୁ ଅମଳ ଧାନ ସୁରକ୍ଷିତ ସ୍ଥାନକୁ ଆସି ପାରୁନି। ଅନ୍ୟପକ୍ଷରେ ପଞ୍ଜିକରଣ କରୁନଥିବା ଚାଷୀଙ୍କ ଉପରେ ପଡୋଶୀ ବ୍ୟବସାୟୀ ନଜର ରଖିବା ସହ ଲକ୍ଷାଧିକ କୁଇଣ୍ଟାଇ ଧାନ ବୋହି ନେବାକୁ ଯୋଜନା କରିଛନ୍ତି। କିଛି ଚାଷୀଙ୍କୁ ଏ ନେଇ ଅଗ୍ରୀମ ଟଙ୍କା ମଧ୍ୟ ମିଳିଛି। ଯାହାର ସୂଚନା ଯୋଗାଣ ବିଭାଗ ପାଖରେ ନାହିଁ। ଏ ସଂପର୍କରେ ଜିଲ୍ଲା ଯୋଗାଣ ଅଧିକାରୀ ବଜେନ୍ଦ୍ର କୁମାର ନାୟକଙ୍କୁ ପଚାରିବାରୁ ପଞ୍ଜିକରଣ ବୃଦ୍ଧି ପାଇଁ ପ୍ରୟାସ ଚାଲିଛି। ମେ’ ୧ରୁ ମଣ୍ଡି ଖୋଲିବ। ଲକଡାଉନ୍ ପରେ ହିଁ ଧାନ କିଣା ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର