ରବି ମଣ୍ଡି ୨୮ରୁ, ପ୍ରଥମ ଥର କୋରାପୁଟ ଜିଲ୍ଲାର ୨୨ମିଲର ଚୁକ୍ତି କଲେ

ଜୟପୁର : ତିନି ଦିନ ଗଲେ ଆରମ୍ଭ ହେବ ଏବର୍ଷର ରବି ମଣ୍ଡି। ତେବେ ଏ ପର୍ୟ୍ୟନ୍ତ ଜୟପୁର ଉପଖଣ୍ଡରେ ଧାନ କଟା ଆରମ୍ଭ ହୋଇ ପାରିନି। ଗୋଟିଏ ପଟେ କରୋନା ସଂକ୍ରମଣ ଭୟ। ଗତ କିଛି ଦିନର କାଳବୈଶାଖୀ ବର୍ଷା । ଆନ୍ଧ୍ରରୁ ଧାନ କଟା ମେସିନ୍ ଆସିପାରି ନଥିବା ଏବଂ ଗାଁରେ କୃଷି ଶ୍ରମିକ ମିଳୁନି। ଏହି ସ୍ଥିତିରେ ଧାନ କଟା ଓ ଅମଳ ହୋଇପାରିନି। ଜିଲ୍ଲାପ୍ରଶାସନ ଏହାରି ମଧ୍ୟରେ ଏହାକୁ ଦୃଷ୍ଟିରେ ରଖି ମଣ୍ଡି ଆରମ୍ଭର ତାରିଖ ଘୁଚାଂଇ ୨୮ରେ ରଖିଛି। ଏବେ ଉପକୁଳ ଅଂଚଳରେ ଆରମ୍ଭ ହେବାକୁ ଥିବା ସାମୁଦ୍ରକିକ ବାତ୍ୟା ‘ୟସ’ର ପ୍ରଭାବ ଏଠାରେ ପଡ଼ିବ କି ବୋଲି ଚାଷୀ ମାନେ ଚିନ୍ତିତ ହୋଇ ପଡ଼ିଛନ୍ତି। । ୟାସ୍ ପ୍ରଭାବରେ ବର୍ଷା ହେବକି ବୋଲି ଡରି ଚାଷୀ ଧାନ ବି କାଟି ନାହାନ୍ତି।

ପ୍ରଶାସନ ପକ୍ଷରୁ ୧୬ଟି ଲ୍ୟାମ୍ପ , ୧୮ଟି ମହିଳା ସ୍ବୟଂ ସହାୟକ ଦଳ ଓ୨ଟି ପାଣିପଂଚାୟତ ପକ୍ଷରୁ ଜୟପୁର ଉପଖଣ୍ଡରେ ୫୫ଟି ଓ କୋରାପୁଟ ଉପଖଣ୍ଡରେ ୧୩ଟି ଏଭଳି ୬୮ଟି ମଣ୍ଡିରେ ଧାନ କିଣାଯିବ। ଧାନ ବିକ୍ରୀ କରିବା ପାଇଁ ୧୪ହଜାର ୬୩୦ଜଣ ଚାଷୀ ଉପରୋକ୍ତ କ୍ରୟକାରୀ ସଂସ୍ଥା ଜରିଆରେ ପଂଜିକରଣ କରିଛନ୍ତି। ଅନ୍ୟ ପକ୍ଷରେ କ୍ରୟକାରୀ ସଂସ୍ଥା ମାନେ ଧାନ କିଣିବା ପରେ ଧାନ ଉଠାଇବାକୁ ୪୯ଟି ମିଲର ଚୁକ୍ତି କରିସାରିଛନ୍ତି ବୋଲି କହିଛନ୍ତି ସିଏସଓ ପ୍ରଦୀପ କୁମାର ପଣ୍ଡା। ପ୍ରଥମ କରି କୋରାପୁଟ ଜିଲ୍ଲାର ୨୨ଟି ମିଲର ଏଥିରେ ସାମିଲ ରହିଛନ୍ତି। ସେଭଳି ପୂର୍ବବର୍ଷ ପରି ଏଥରକ ବି ବଲାଙ୍ଗୀର ଜିଲ୍ଲାର ୨୭ଜଣ ମିଲର ବି ଚୁକ୍ତି କରିଛନ୍ତି। ୪୯ଟି ମିଲର ଧାନ ଉଠାଇ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗକୁ ଏହା ବଦଳରେ ଚାଉଲ ଦେବେ ବୋଲି କହିଛନ୍ତି ଜିଲ୍ଲାଯୋଗାଣ ଅଧିକାରୀ ଶ୍ରୀ ପଣ୍ଡା। ଗାଁର  କୃଷି ଶ୍ରମିକ ଦାଦନ ଖଟିବାକୁ ବାହାରକୁ ଯିବା ଏବଂ  ଗାଁରେ ଥିବା କିଛି କୃଷି ଶ୍ରମିକ ସଂକ୍ରମଣ ଭୟରେ ଆସୁନାହାନ୍ତି। ଆନ୍ଧ୍ରରୁ ଆସୁଥିବା ଧାନ କଟା ଓ ଅମଳ ମେସିନ୍ ବି ଏଥରକ କରୋନା କଟକଣା ପାଇଁ ଜିଲ୍ଲାକୁ  ଆସି ପାରିନି। କିଛି ଚାଷୀଙ୍କର ଧାନ ପାଚି ଯାଇ କାଟିବା ସ୍ଥିତିକୁ ଆସିଲାଣି। ଏହା ସାଙ୍ଗକୁ ଏବେ ୟସ ସାମୁଦ୍ରିକ ବାତ୍ୟା ଚିନ୍ତାରେ ପକାଇଛି ବୋଲି କହିଛନ୍ତି ଚାଷୀ ଜୟନ୍ତ ପଟ୍ଟନାୟକ, ନିରଂଜନ ବେହେରା, ମାଧୁରୀ ମୋହନ ହୋତା, ଚନ୍ଦନ ପଟ୍ଟନାୟକ, ଅରୁଣ ପାଣିଗ୍ରାହୀ, ମନୋଜ ପାତ୍ର, ବାବୁ ଗୌଡ, ନବୀନ ପାତ୍ର, । ଯେ କୌଣସି ସ୍ଥିତିରେ ବି ଆସନ୍ତା ୨୮ତାରିଖ ଦିନ କୋଟପାଡ଼ ମଣ୍ଡିରୁ ଧାନ କିଣା ଆରମ୍ଭ ହେବା ଯୋଜନା ରହିଛି ବୋଲି ଜିଲ୍ଲା ଯୋଗାଣ ଅଧିକାରୀ କହିଛନ୍ତି।

 

 

 

ସମ୍ବନ୍ଧିତ ଖବର