ହିଣ୍ଡାଲକୋ ଜମିହରା ବିସ୍ଥାପିତଙ୍କ ଦୁଃଖ କାହାଣୀ: ୬ ଏକର ଜମିର ମାଲିକ ଏବେ ଦିନ ମଜୁରିଆ

କଂପାନି ପ୍ରତିଷ୍ଠା ନାଁରେ ଜମିଅଧିଗ୍ରହଣକୁ ବିତିଲା ୧୫ ବର୍ଷ, ୫ ମୌଜାବାସୀ ଶାଗମାଛ ଦରରେ ବିକିଛନ୍ତି ୧୦୩୬ ଏକର

ରାୟଗଡ଼ା: ପୁରୁଷ ପୁରୁଷର ଜମିକୁ ଶାଗମାଛ ଦରରେ ବିକିଦେଲୁ। ଆଶା ଥିଲା କଂପାନି ପ୍ରତିଷ୍ଠା ହେବ। ଚାକିରୀ ମିଳିବ। ୪ ପୁଅ ମଣିଷ ହେବେ। ହେଲେ ଆଶା ନିରାଶରେ ପରିଣତ ହେଲା। ଜମି ଅଧିଗ୍ରହଣର ୧୫ ବର୍ଷ ପରେ ମଧ୍ୟ କଂପାନି ପ୍ରତିଷ୍ଠାର ନାଁ ଗନ୍ଧ ନଥିବାରୁ ବହୁ କଷ୍ଟରେ ଚଳୁଛି ପରିବାର। ଜମି ବିକ୍ରି ବାବଦ ଟଙ୍କା ସରିଯିବା ପରେ ଏବେ ୬ ଏକର ଜମିର ମାଲିକ ମହେଶ୍ବର ଝୋଡ଼ିଆ ପାଲଟିଛନ୍ତି ଦିନ ମଜୁରିଆ।

ହିଣ୍ଡାଲକୋ କଂପାନି ପାଇଁ ଜମି ହରାଇ ଏପରି ଦୁର୍ଦିନରେ ଶିକାର ହୋଇଛନ୍ତି କାଶୀପୁର ତହସିଲ ପୁହୁଣ୍ଡି ଗ୍ରାମର ମହେଶ୍ବର। ୪ ପୁଅ, ୨ ବୋହୂ, ସ୍ତ୍ରୀକୁ ନେଇ ୮ ପ୍ରାଣୀଙ୍କ ସଂସାର ଏବେ ଗୋଟିଏ କୋଠରି ଭିତରେ ଦିନ କାଟୁଛନ୍ତି। କଂପାନିରେ ଚାକିରୀ ଆଶାରେ ୨୦୦୫ ମସିହାରେ ମହେଶ୍ବର ୫ ଏକର ୧ ଡିସିମିଲି ଜମି ବିକ୍ରି କରିଥିଲେ। ଜମି ବିକ୍ରି ବାବଦକୁ ମିଳିଥିଲା ୪ ଲକ୍ଷ ୮୦ ହଜାର। ଜମି ବିକ୍ରି ପରେ ଚାଷବାସ ବନ୍ଦ ହୋଇଯିବାରୁ ଦୈନନ୍ଦିନ ଚଳଣି ସହ ବିଭିନ୍ନ କାମ ବାବଦରେ ଜମି ବିକ୍ରି ଟଙ୍କା ସରିଗଲାଣି। ୟା, ଭିତରେ ୨ ପୁଅ ଉପେନ୍ଦ୍ର, ମଠୁଙ୍କ ବିବାହ ମଧ୍ୟ ସରିଛି। କଂପାନି ପ୍ରତିଷ୍ଠା ହେଉନଥିବା ବେଳେ ଚାଷ ପାଇଁ ଆଉ ଜମିନଥିବାରୁ ୪ ପୁଅ ଘରେ ବେରୋଜଗାର ହୋଇ ବସି ରହିଛନ୍ତି। ପୂର୍ବରୁ ୬ ଏକର ଜମିରେ ଧାନ, ମକା ଚାଷ ହେଉଥିଲା। ବର୍ଷ ତମାମ ପରିବାର ଚଳିବା ସହ ଅମଳ ଧାନ ଓ ମକା ବିକ୍ରି ବାବଦକୁ ବେଶ୍ ଭଲ ଦି ପଇସା ଲାଭ ହେଉଥିଲା। ଯାହା ଏବେ ସ୍ବପ୍ନ ପାଲଟିଛି।

କଂପାନିକୁ ଜମି ବିକ୍ରି କରି କେବଳ ମହେଶ୍ବର ନୁହଁନ୍ତି ଶହ ଶହ ପରିବାର ଏପରି ଦୁର୍ଦିନର ଶିକାର ହେବା ସହ ନାହିଁନଥିବା ଅସୁବିଧା ମଧ୍ୟରେ ଦିନ କାଟୁଛନ୍ତି। ଆଜି ବିସ୍ଥାପିତ ପରିବାର ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କୁ ସାକ୍ଷାତ କରି କଂପାନି ପ୍ରତିଷ୍ଠା କର ନଚେତ୍ କ୍ଷତିପୂରଣ ସହ ଜମି ଫେରାଇ ଦେବାକୁ ଦାବି କରିଛନ୍ତି। ନଚେତ୍ ଆଗାମୀ ୧୫ ଦିନ ପରେ ବିସ୍ଥାପିତ ପରିବାର ରାଜରାସ୍ତାକୁ ଓହ୍ଲାଇବା ସହ ଉତ୍କଳ ଆଲୁମିନା ଗେଟ୍ ସମ୍ମୁଖରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି।
କଂସାରୀଗୁଡା ଆଲୁମିନା କଂପାନି ପ୍ରତିଷ୍ଠା ପାଇଁ ହିଣ୍ଡାଲକୋ କାଶୀପୁର, ଲକ୍ଷ୍ମୀପୁର ଓ ରାୟଗଡ଼ା ତହସିଲରୁ ୨ ହଜାରରୁ ଉର୍ଧ୍ବ ଜମି ଅଧିଗ୍ରହଣ କରିଥିଲା। ଯାହା ମଧ୍ୟରେ ବେସରକାରୀ ଜମି ୧୦୩୬ ହେକ୍ଟର ଥିବା ବେଳେ ବଳକା ସରକାରୀ ଜମି ରହିଛି। କାଶୀପୁର ତହସିଲର ପୁହୁଣ୍ଡି ମୌଜାରୁ ୩୦୦ ହେକ୍ଟର, କଂସାରିଗୁଡା ମୌଜାରୁ ୪୯୮ ହେକ୍ଟର, ଫୁଲଜବା ମୌଜାରୁ ୨୯୯ ହେକ୍ଟର, ପୋଡାପାଡ଼ି ମୌଜାରୁ ୩୬ ହେକ୍ଟର, କିନ୍ଦିରିପଦର ମୌଜାରୁ ୧୨୭ ହେକ୍ଟର ଜମି ଅଧିଗ୍ରହଣ ହୋଇଛି।

ଜମି ଅଧିଗ୍ରହଣ ସରିବା ପରେ ରାଜ୍ୟ ସରକାରଙ୍କ ସହ ହିଣ୍ଡାଲକୋ କଂପାନି ୨୦୦୫ ମସିହାରେ କଂପାନି ପ୍ରତିଷ୍ଠା ଲାଗି ଏମଓୟୁ ସ୍ବାକ୍ଷର କରିଥିଲା। କିନ୍ତୁ ୨୦୧୫ ମସିହା ପର୍ଯ୍ୟନ୍ତ କଂପାନି ପ୍ରତିଷ୍ଠା ପାଇଁ ଅଧିଗ୍ରହଣ ହୋଇଥିବା ଜମିରେ ମାଟି ମୁଠାଏ ପଡ଼ିଲା ନାହିଁ। ଓଲଟା ଅଧିଗ୍ରହଣ ଜମିରୁ ମାଟି ଖୋଳି ନେଇ କଂପାନି ରେଳ ଲାଇନ୍ ତିଆରି କଲା। ଫଳରେ ଅଧିଗ୍ରହଣ ହୋଇଥିବା ଜମିରେ ଏବେ ୫୦ ଫୁଟର ଗର୍ତ ସୃଷ୍ଟି ହୋଇଛି। ଯେଉଁଥି ପାଇଁ ଚାଷ ତ ଦୂରର କଥା ଗୃହପାଳିତ ପ୍ରାଣୀମାନେ ମଧ୍ୟ ଏହି ଜମିକୁ ଚରିବାକୁ ଯାଇ ପାରୁନାହାନ୍ତି। ବିଭିନ୍ନ ସମସ୍ୟା ଦେଖାଇ କଂପାନି କନଷ୍ଟ୍ରକସନ୍ କାମ ବିଳମ୍ବ କରିବା ପରେ ସରକାର ୨୦୧୭ ପର୍ଯ୍ୟନ୍ତ ଏମଓୟୁ ଅବଧିକୁ ବଢ଼ାଇଥିଲେ।

ହେଲେ କୌଣସି ସୁଫଳ ମିଳିଲା ନାହିଁ। ରାଜ୍ୟରେ କଂପାନି ପ୍ରତିଷ୍ଠା ପାଇଁ ସବୁଠି ବିରୋଧର ସ୍ବର ଉଠୁଥିବା ବେଳେ କଂସାରୀଗୁଡା ପ୍ରକଳ୍ପ ପାଇଁ ବିସ୍ଥାପିତଙ୍କ ସଂପୂର୍ଣ୍ଣ ସମର୍ଥନ ରହିଛି। ଏହା ସତ୍ତ୍ବେ କଂପାନି ଦିନ ଗଡ଼ାଇ ଚାଲିଛି। ୨୦୨୦ ଜାନୁଆରୀ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଂସାରିଗୁଡା ପ୍ରକଳ୍ପ ପାଇଁ ଆର୍ଥିକ ସହାୟତା ଘୋଷଣା କରିବା ସହ କଂପାନି ଦ୍ବାରା ୪ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ୨୦୨୦ ବର୍ଷ ସରି ଯିବାକୁ ବସିଥିବା ବେଳେ ନିଜସ୍ବ ଖଣିନଥିବା ଦର୍ଶାଇ ହିଣ୍ଡାଲକୋ ଠକି ଚାଲିଛି। କଂପାନି କର୍ତ୍ତୃପକ୍ଷ-ରାଜ୍ୟ ସରକାରଙ୍କ ମଧ୍ୟରେ ସଲାସୁତୁରା ଚାଲିଥିବାରୁ କଂପାନି ପ୍ରତିଷ୍ଠା ପଦ୍ମ ଘୁଞ୍ଚି ଘୁଞ୍ଚି ଚାଲିଛି ବୋଲି ଅଭିଯୋଗ କରିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗା ପ୍ରସାଦ ପଣ୍ଡା, ଡଉଳରତ୍ନ ଚୌଧୁରୀ, ସୁରେନ୍ଦ୍ର ବାଗ।

ସମ୍ବନ୍ଧିତ ଖବର