ରାୟଗଡ଼ାରେ ସାଂସଦ ଅପରାଜିତା: ଦୂରେଇଲା ବିଜେପି, ସ୍ୱାଗତ କଲା ଭିଏଚପି

ଜଣେ ବି ବିଜେପି ନେତା ଓ କର୍ମୀଙ୍କ ଦେଖା ମିଳିଲାନି

ରାୟଗଡ଼ା: ଭୁବନେଶ୍ୱର ସାଂସଦ ତଥା ଜାତୀୟ ବିଜେପି ପ୍ରବକ୍ତା ଅପରାଜିତା ଷଡଙ୍ଗୀ ଦୁଇ ଦିନିଆ ରାୟଗଡ଼ା ଗସ୍ତରେ ଆସିଛନ୍ତି। ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) ଜିଲ୍ଲା ଶାଖା ପକ୍ଷରୁ ଅପରାଜିତାଙ୍କୁ ସିରିକଣାରୁ ବାଇକ ରାଲିରେ ସ୍ୱାଗତ କରାଯାଇଥିଲା। ଷ୍ଟେଟ୍ ବ୍ୟାଙ୍କ ଛକରୁ ପଦଯାତ୍ରାରେ ବାହାରି ସମର୍ଥକଙ୍କ ସହ ଅପରାଜିତା ଜିଲ୍ଲା କୋର୍ଟ ପର୍ଯ୍ୟନ୍ତ ଯାଇଥିଲେ। କୋର୍ଟ ସମ୍ମୁଖରେ ଆଇନଜୀବୀଙ୍କ ପକ୍ଷରୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଧିତ କରାଯାଇଥିଲା। କୋର୍ଟ ପରିସରରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ସାଂସଦ ଶ୍ରୀମତି ଷଡଙ୍ଗୀ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେ ଜେକେପୁର ଅଭିମୁଖେ ବାଇକ୍ ରାଲିରେ ବାହାରି ଗୁଣପୁର ଅଭିମୁଖେ ଯାତ୍ରା କରିଥିଲେ। ଗୁଣପୁରରେ ଭାଜପା କାର୍ଯ୍ୟକର୍ତାଙ୍କ ସହ ବୈଠକ କରି ସଂଗଠନକୁ ଆହୁରି କିପରି ଭାବେ ସୁଦୃଢ କରି ହେବ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକାଭିମୁଖୀ ବିକାଶ ଯୋଜନା ସଂପର୍କରେ ଲୋକଙ୍କୁ ଅବଗତ କରାଇବି ବୋଲି ଶ୍ରୀମତି ଷଡଙ୍ଗୀ ପ୍ରକାଶ କରିଥିଲେ।

ସାଂସଦଙ୍କ ଗସ୍ତ ସମୟରେ ବିଶ୍ୱ ହିନ୍ଦୁ ପରିଷଦର ଜିଲ୍ଲା ସଭାପତି ରାଜେନ୍ଦ୍ର କୁମାର ସାହୁ ଓ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ। ତେବେ ସାଂସଦଙ୍କ ଏହି ଗସ୍ତରେ ଜିଲ୍ଲା ବିଜେପିର କୌଣସି କର୍ମକର୍ତ୍ତାଙ୍କୁ ଦେଖିବାକୁ ମିଳିନଥିଲା। ବିଜେପି କର୍ମୀ ସାଂସଦଙ୍କ କାର୍ଯ୍ୟକ୍ରମରୁ ଦୂରେଇ ରହିଥିବା ବେଳେ ବିଶ୍ବ ହିନ୍ଦୁ ପରିଷଦ କର୍ତ୍ତୃପକ୍ଷ ବାଇକ୍ ରାଲି, ବାଜା, ବାଣ, ନାଚଗୀତି ପଟୁଆର କରି ସାଂସଦଙ୍କୁ ସ୍ବାଗତ କରିଛନ୍ତି। ଆଜି ସାଂସଦ ରାୟଗଡ଼ା ସହର ପରିକ୍ରମା କରିଥିବା ବେଳେ ମଙ୍ଗଳବାର ସଂଧ୍ୟାରେ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିବା ସହ ସାମ୍ବାଦିକ ସମ୍ମିଳନୀରେ ଯୋଗଦେବେ। ସୋମବାର ଅପରାହଣରୁ ମଙ୍ଗଳବାର ଅପରାହଣ୍ ପର୍ଯ୍ୟନ୍ତ ଗୁଣପୁରରେ ସାଂସଦ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ତେବେ ବିଜେପି କର୍ମୀ ସାଂସଦକୁ ଉପେକ୍ଷା କରିବା ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।

ଦଳୀୟ ଫୋରମରେ ସାଂସଦ ଆସିନଥିବାରୁ ଅପରାଜିତାଙ୍କୁ ନ ଭେଟିବା ପାଇଁ ବିଜେପି ଅଘୋଷିତ ହୁଇପ୍ ଜାରି କରିଛି। କାର୍ଯ୍ୟାନୁଷ୍ଠାନ ଭୟରେ କୌଣସି କର୍ମୀ ପାଖ ନ ମାଡ଼ିବା ବିଜେପିର ଦଳୀୟ ସଂଗଠନ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଥି ସହିତ ଅପରାଜିତାଙ୍କୁ ନେଇ ଦଳ ଭିତରେ ଥିବା ଫାଟ ମଧ୍ୟ ସ୍ପଷ୍ଟ ହୋଇଯାଇଛି। ବୃତ୍ତିଗତ ଜୀବନରେ ଆଇଏଏସ୍ ଅଧିକାରୀ ଭାବେ କାମ କରିଥିବା ଅପରାଜିତା ନିର୍ବାଚନରେ ଭୁବନେଶ୍ବର ସାଂସଦ ଭାବେ ନିର୍ବାଚିତ ହେବା ସହ ଦଳର ଜାତୀୟ ପ୍ରବକ୍ତା ଭାବେ ଘୋଷିତ ହୋଇଛନ୍ତି। ଏହା ସତ୍ତ୍ବେ ସାଂସଦଙ୍କୁ ଭେଟିବାର ବିଜେପି କର୍ମୀଙ୍କ କେଉଁଠି ଅସୁବିଧା ରହିଲା ବୋଲି ବିରୋଧୀ ପ୍ରଶ୍ନ ଉଠାଇଛନ୍ତି।

ଶାସକ ବିଜେଡ଼ି ଓ କ୍ଷମତାରୁ ଦୂରରେ ଥିବା କଂଗ୍ରେସର ବିଭିନ୍ନ କାର୍ଯ୍ୟକ୍ରମ ଓ ସଂଗଠନକୁ ନେଇ ବିଜେପି ଆରୋପ ଲଗାଉଥିବା ବେଳେ ନିଜ ଦଳର ସାଂସଦ ଓ ପ୍ରବକ୍ତାଙ୍କ ସଠିକ୍ ସମ୍ମାନ ଦେବାରେ ବିଫଳ ହୋଇଛି ବୋଲି ବିରୋଧୀ ମତ ପ୍ରକାଶ କରିଛନ୍ତି। ରବିବାର ଭୋରରେ ଟ୍ରେନ୍ ଯୋଗେ ଭୁବନେଶ୍ବରରୁ ଆସି ଅପରାଜିତା ରାୟଗଡ଼ାରେ ପହଞ୍ଚିଥିଲେ। ହେଲେ ସ୍ବାଗତ କରିବାକୁ ବିଜେପି ପକ୍ଷରୁ କେହି ଉପସ୍ଥିତ ନଥିଲେ। ଏପରିକି ସର୍କିଟ୍ ହାଉସରେ ମଧ୍ୟ କାହାର ଦେଖା ମିଳିନିଥିଲା। ଏକ ଏନଜିଓ ସଂସ୍ଥାର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସାଂସଦ ଆସିଥିବାରୁ  ଦଳୀୟ କାର୍ଯ୍ୟକର୍ତା ଯୋଗ ଦେଇନାହାନ୍ତି ବୋଲି ବିଜେପି ରାୟଗଡ଼ା ଜିଲ୍ଲା ସଭାପତି ଶିବ ପଟ୍ଟନାୟକ ସୂଚନା ଦେଇଛନ୍ତି। ତେବେ ଅପରାଜିତାଙ୍କ ଗସ୍ତ ସମୟରେ ପଦାରେ ପଡିଥିବା ବିଜେପି ଫାଟ ଆଗାମୀ ନିର୍ବାଚନରେ ପ୍ରଭାବ ପକାଇବ ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର