ରାୟଗଡ଼ା: ‘‘ଆମେ ଓଡ଼ିଶା ସରକାରଙ୍କ ସହ ଅଛୁ। ସବୁ ସୁବିଧା ସୁଯୋଗ ଓଡ଼ିଶାରୁ ପାଇଛୁ। ଭତ୍ତା, ଚାଉଳ ଠିକ୍ ସମୟରେ ମିଳୁଛି। ଆନ୍ଧ୍ର ପଞ୍ଚାୟତ ନିର୍ବାଚନରେ କେହି ଭୋଟ ଦେଇନୁ। ଭୋଟ ମାଗିବାକୁ ଆନ୍ଧ୍ରର କୌଣସି ଅଧିକାରୀ ଆସିନାହାନ୍ତି କି ପ୍ରଲୋଭିତ କରିନାହାନ୍ତି…’’।
Sambad is now on WhatsApp
Join and get latest news updates delivered to you via WhatsApp
ଆନ୍ଧ୍ର ସୀମାନ୍ତ ଓଡ଼ିଶା ଗାଁରେ ସ୍ଥିତି ସମୀକ୍ଷା ସମୟରେ ଏପରି ପ୍ରକାଶ କରିଛନ୍ତି ରାୟଗଡ଼ା ବ୍ଲକର ମିରାବାଲି, ଦୁର୍ଗାପାଡ଼ୁ, ଗାଜିଗାଁ ଓ ବୈରାଗୀହାଲୁଆ ପଞ୍ଚାୟତବାସୀ। କୋଟିଆ ବିବାଦ ପରେ ଆନ୍ଧ୍ର ସୀମାନ୍ତକୁ ଲାଗିଥିବା ଜିଲ୍ଲାର ୬୧ ଗାଁ ଉପରେ ସ୍ବତନ୍ତ୍ର ନଜର ରଖିବାକୁ ରାଜସ୍ବ ବିଭାଗ ଜିଲ୍ଲା ପ୍ରଶାସନକୁ ନିର୍ଦେଶ ଦେଇଛି। ବିଭାଗୀୟ ସଚିବଙ୍କ ନିର୍ଦେଶ ମୁତାବକ ସୀମାନ୍ତ ଗାଁରେ ଆନ୍ଧ୍ରର ଅନୁପ୍ରବେଶ, ଦବଦବା ରୋକିବାକୁ ରାୟଗଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ସ୍ବତନ୍ତ୍ର ଅଭିଯାନ।
ରାୟଗଡ଼ା ତହସିଲଦାର ଉମା ଶଙ୍କର ବେହେରା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର ମାଝି, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ରାଜସ୍ବ ସୁପରଭାଇଜର ମଲ୍ଲିକାର୍ଜୁନ, କାରୁବାଇ, ଜେମାଦେଇପେଣ୍ଠ ରାଜସ୍ବ ନୀରିକ୍ଷକଙ୍କ ନେତୃତ୍ବରେ ଏକ ଟିମ୍ ଆଜି ସୀମାନ୍ତ ଗାଁ ବୁଲି ସ୍ଥିତି ସମୀକ୍ଷା କରିଛନ୍ତି।
ପ୍ରଥମେ ଟିମ୍ ମିରାବାଲି ପଞ୍ଚାୟତର ସୁରଣି ଗ୍ରାମରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଥିଲା। ଆନ୍ଧ୍ର ସୀମାନ୍ତ ଗାଁକୁ ସୁରଣି ଲାଗିଥିବାରୁ ଆନ୍ଧ୍ରର ଗତିବିଧି ଓ ଆନ୍ଧ୍ର ଅଧିକାରୀଙ୍କ କାର୍ଯ୍ୟକଳାପ ସଂପର୍କରେ ତହସିଲଦାର ଓ ବିଡ଼ିଓ ଗ୍ରାମବାସୀଙ୍କୁ ପଚାରି ବୁଝିଥିଲେ। ଗତ ୧୩ ତାରିଖରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ଶେଷ ହୋଇଥିବାରୁ ଉକ୍ତ ନିର୍ବାଚନରେ ଗ୍ରାମର କୌଣସି ଲୋକ ଭୋଟ ଦେଇନଥିବା ଗ୍ରାମବାସୀ ପ୍ରକାଶ କରିଥିଲେ।
ଏହା ପରେ ଟିମ୍ ରେଙ୍ଗାଲପାଡ଼ୁ, ସାନ୍ଧୁବାଡ଼ି ଗ୍ରାମ ପରିଦର୍ଶନରେ ଯାଇଥିଲା। ଗାଁରେ ଚାଲିଥିବା ସରକାରଙ୍କ ବିକାଶମୂଳକ କାମର ତଦାରଖ କରିବା ସହ ଟିମ୍ ସୁବିଧା ଅସୁବିଧା ସଂପର୍କରେ ଲୋକଙ୍କ ସହ ଭାବ ବିନିମୟ କରିଥିଲା। ସରକାରୀ ଯୋଜନା ଓ ହିତାଧିକାରୀଙ୍କ ପାଇଁ ଉର୍ଧିଷ୍ଟ ଭତ୍ତା, ଚାଉଳ, ଆବାସ ଯୋଜନାରେ ଘର କିମ୍ବା ମନରେଗାରେ କାମ ଠିକ୍ ଭାବରେ ମିଳୁଛି କି ନାହିଁ ସେ ସଂପର୍କରେ ଟିକନିକ୍ ଖବର ସଂଗ୍ରହ କରିଥିଲା ଟିମ୍। ମିରାବାଲି ପଞ୍ଚାୟତ ପରେ ଦୁର୍ଗାପାଡୁ ପଞ୍ଚାୟତର ଡଙ୍ଗରିତୁଳସୀ, ପାଙ୍ଗାତୁଳସୀ ଗାଁ ପରିଦର୍ଶନ କର ଗାଁରେ ଲାଗିଥିବା ଉନ୍ନୟନମୂଳକ କାମର ସମୀକ୍ଷା କରିଥିଲେ ବିଡ଼ିଓ, ତହସିଲଦାର। ଏହା ପରେ ବୈରାଗୀହାଲୁଆ ପଞ୍ଚାୟତର ସାନଲୁକୁଟି ଗ୍ରାମ ଅଭିମୁଖେ ଯାଇଥିଲା ଟିମ୍।
ତେବେ ଏହି ଗାଁକୁ ଯିବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ କୌଣସି ରାସ୍ତା ନଥିବାରୁ ଆନ୍ଧ୍ରପ୍ରଦେଶର ଗାଁ ଦେଇ ଟିମ୍ ସାନଲୁକୁଟିରେ ପହଞ୍ଚିଥିଲା। ରାସ୍ତାରେ ଯିବା ସମୟରେ ସୀମା ଚିହ୍ନଟକରଣ ପିଲର୍ ଓ ଅନ୍ୟ କିଛି ଦିଗ ପ୍ରତି ଟିମ୍ ଧ୍ୟାନ ଦେଇଥିଲା। ଶେଷରେ ଗାଜିଗାଁ ପଞ୍ଚାୟତର ଜାଙ୍ଗେସୁ, ଆଚବା, ଗଣ୍ଡାୱାଲସା ଗ୍ରାମରେ ସ୍ଥିତି ସମୀକ୍ଷା ପରେ ଟିମ୍ ସଂଧ୍ୟାରେ ରାୟଗଡ଼ା ଅଭିମୁଖେ ଆସିଥିଲେ।
ସୂଚନାଯୋଗ୍ୟ, ରାୟଗଡ଼ା ଜିଲ୍ଲାର ୪ ତହସିଲ ରାୟଗଡ଼ା, ଗୁଣପୁର, ରାମନାଗୁଡ଼ା, କୋଲନରାର ୬୧ଟି ଗାଁ ଆନ୍ଧ୍ର ସୀମାନ୍ତକୁ ଲାଗି ରହିଛି। ରାୟଗଡ଼ା ତହସିଲ ଗାଜିଗାଁ ସର୍କଲର ୫ଟି, ଜେମାଦେଇପେଣ୍ଠ ସର୍କଲର ୮ଟି, କାରୁବାଇ ସର୍କଲର ୨୩ଟି, କୋଲନରା ତହସିଲ ରେଖାପଦର ସର୍କଲର ୨ଟି, ରାମନାଗୁଡ଼ା ତହସିଲ ଗୋଗୁପାଡ଼ୁ ସର୍କଲର ୫ଟି, ଗାରଣ୍ଡା ସର୍କଲର ୩ଟି, ଗୁଣପୁର ତହସିଲ ଜଗନ୍ନାଥପୁର ସର୍କଲର ୪ଟି, ଗୋଠଳପଦର ସର୍କଲର ୧୧ଟି ଗ୍ରାମ ଆନ୍ଧ୍ର ସୀମାନ୍ତକୁ ଲାଗିଛି। ଏହି ସମସ୍ତ ଗାଁରେ ସ୍ଥିତି ସମୀକ୍ଷା ପାଇଁ ଏଣିକି ପ୍ରତି ସପ୍ତାହରେ ଜିଲ୍ଲାସ୍ତରୀୟ ଅଧିକାରୀ ଗାଁକୁ ଯିବେ ବୋ୍ଲି ଜଣା ପଡିଛି।